କଟକ : ନକଲି ଔଷଧ ମାମଲାରେ କମିସନରେଟ୍ ପୁଲିସ ବିହାର ଗୟା ଜିଲ୍ଲାର ବାଲାଜୀ ଡ୍ରଗସ୍ କମ୍ପାନିରେ ଚଢ଼ଉ କରିଛ। ଏହି କମ୍ପାନିର ଦୁଇ ବରିଷ୍ଠ ଅଧିକାରୀଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କୁ ଗିରଫ କରି ପୁରୀଘାଟ ଥାନା ପୁଲିସ ଟ୍ରାନଜିଟ୍ ରିମାଣ୍ଡରେ କଟକ ଆଣିବାକୁ ଯୋଜନା କରୁଛି। ତେବେ ପୁଲିସ ସେହି କମ୍ପାନିରୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ସୂଚନା ମିଳିଛି।

Advertisment

ସୂଚନା ଅନୁଯାୟୀ, ଭି.ଆର୍ ଡ୍ରଗ୍ ଏଜେନ୍ସିର ରାହୁଲ କ୍ୟାଲ୍ ଓ ପୂଜା ଏଣ୍ଟରପ୍ରାଇଜେସ୍‌ର ସଞ୍ଜୟ ଜଲାନଙ୍କ ନିକଟରୁ ୫୩ ଲକ୍ଷ ଟଙ୍କାର ନକଲି ଔଷଧ ଜବତ ଘଟଣାରେ ବିହାର ଯାଇଥିବା ୪ ଜଣିଆ ଟିମ୍ ଶନିବାର ଏକାଧିକ ସ୍ଥାନରେ ଚଢ଼ଉ କରିଛି। ଗୟା ପୁଲିସର ଏକ ଟିମ୍ ଏବେ ପୁରୀଘାଟ ଥାନା ପୁଲିସ ସହିତ ମିଶି ଏହି ତଦନ୍ତ କରୁଛି। ବାଲାଜୀ ଡ୍ରେଗସ୍ କମ୍ପାନିର କାଗଜପତ୍ର ପୁଲିସ ଯାଞ୍ଚ କରୁଛି। ଏହି କମ୍ପାନିକୁ ଡ୍ରଗସ୍ ପକ୍ଷରୁ କୌଣସି ଲାଇସେନ୍ସ ମିଳିଛି କି ନାହିଁ ଏବଂ କଟକରେ କେବଳ ରାହୁଲ ଓ ସଞ୍ଜୟକୁ ଏମାନେ ନକଲି ଔଷଧ ଚାଲାଣ କରୁଥିଲେ ନା ଅନ୍ୟ କେଉଁମାନଙ୍କୁ ଚାଲାଣ କରୁଥିଲେ, ସେ ନେଇ କାଗଜପତ୍ର ପୁଲିସ ଯାଞ୍ଚ କରୁଛି। ପୁଲିସ ଗୟା ପରେ କର୍ଣ୍ଣାଟକ ବାଙ୍ଗାଲୁରର ଶିବାଜୀ ନଗରରେ ଥିବା ଶ୍ରୀ ବାଲାଜୀ ଏଜେନ୍ସିକୁ ଯିବାକୁ ଯୋଜନା କରୁଛି। ସେଠାରେ କେଉଁମାନେ ଏହି ନକଲି ଔଷଧ ଓଡ଼ିଶାକୁ ଚାଲାଣ କରୁଥିଲେ, ସେମାନଙ୍କୁ ପୁଲିସ ତଦନ୍ତ ପରିସରଭୁକ୍ତ କରିଛି।

ଅନ୍ୟପଟେ ସାରା ରାଜ୍ୟରେ ଛାଇ ଯାଇଥିବା ନକଲି ଔଷଧକୁ ନେଇ ସେବନକାରୀଙ୍କ ମଧ୍ୟରେ ଆତଙ୍କ ବଢିବାରେ ଲାଗିଛି।
କେବଳ ଦୁଇଟି ଉଚ୍ଚ ରକ୍ତଚାପ ଔଷଧ ନୁହେଁ, ବିଭିନ୍ନ ରୋଗର ଚିକିତ୍ସା ପାଇଁ ବହୁଳ ବ୍ୟବହାର ହେଉଥିବା ‌ପ୍ରାୟ ୩୦ଟି ଔଷଧର ନକଲି ବଜାରକୁ ଛଡ଼ା ଯାଇଥିବା ଅଭିଯୋଗ ହେଉଛି। ଏହି ଔଷଧ ଗୁଡିକର ତାଲିକା ସାମାଜିକ ଗଣମାଧ୍ୟମରେ ଘୂରି ବୁଲିବା ଘଟଣା ରୋଗୀଙ୍କ ଚିନ୍ତା ବଢାଇ ଦେଇଛି। ସେଥିରେ ଏସିଡିଟି ଓ ଗ୍ୟାସ୍‌ ପାଇଁ ବହୁଳ ଭାବେ ବ୍ୟବହାର ହେଉଥିବା ଏକାଧିକ ଔଷଧ ରହିଥିବା ବେଳେ ଝାଡ଼ା, ଯନ୍ତ୍ରଣା ଉପଶମ, ଭିଟାମିନ୍, ଆଣ୍ଟିବାଓଟିକ୍‌ର ଅନେକ ଔଷଧ ରହିଛି। ଏଭଳି ଔଷଧ ବଜାରକୁ ଛଡ଼ା ଯିବା ଘଟଣାକୁ ନେଇ ରାଜ୍ୟ ଔଷଧ ବ୍ୟବସାୟୀ ସଂଘ ବି ପ୍ରଶ୍ନ ଉଠାଇଛି। ଏଭଳି କିଛି ଔଷଧର ନମୁନା ପରୀକ୍ଷା ପାଇଁ ପଦକ୍ଷେପ ନିଆଯାଇଥିବା ସୂଚନା ରହିଥିବା ବେଳେ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ କିନ୍ତୁ ଏ ସଂପର୍କରେ ସ୍ପଷ୍ଟ କରି ନାହିଁ। ଅନ୍ୟପଟେ ଜୀବନ ମରଣ ସହ ସଂପୃକ୍ତ ଏଭଳି ଏକ ସମ୍ବେଦନଶୀଳ ମାମଲାରେ ସରକାରଙ୍କ ଅସ୍ବାଭାବିକ ନିରବତା ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଯେଉଁ ଦୁଇଟି ସଂସ୍ଥା ନକଲି କାରବାରରେ ସଂପୃକ୍ତ ଥିବା ଘଟଣାରେ ଧରା ପଡ଼ିଛନ୍ତି ସେମାନେ ରାଜ୍ୟର ଆଗଧାଡ଼ିର ହୋଲସେଲର୍, ଡିଷ୍ଟ୍ରିବ୍ୟୁଟର୍ ଭାବେ ପରିଗଣିତ। ରାଜ୍ୟର ଅଧିକାଂଶ ଅଞ୍ଚଳର ରିଟେଲର୍ ସେମାନଙ୍କ ଠାରୁ ଔଷଧ ନିଅନ୍ତି। ତେଣୁ ନକଲି ଔଷଧ ରାଜ୍ୟରେ ଛାଇ ଯାଇଥିବା ଆଶଙ୍କା କରାଯାଉଥିବା ବେଳେ ଏଯାଏ କିନ୍ତୁ ସେଭଳି ଧରପଗଡ଼ ରାଜ୍ୟରେ ହୋଇ ପାରି ନାହିଁ। ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି।