ନକଲି ଔଷଧ କାରବାର ମାମଲା: ଔଷଧ କମ୍ପାନି ବି ଜାଲ୍‌, ଦୁଇ ଠକ ସଂସ୍ଥାର ମାଲିକ ଗିରଫ

ବିହାରୀ ଗଡ୍‌ଫାଦର୍ ଫେରାର୍‌

କଟକ : ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ନକଲି ଔଷଧ କାରବାର ମାମଲାରେ ପ୍ରଥମଥର ପୁଲିସ ରାଜ୍ୟ ବାହାରର ଦୁଇ ଔଷଧ ମାଫିଆଙ୍କୁ ଗିରଫ କରିଛି। ବିହାର ଗୟା ଜିଲ୍ଲା ରାମପୁର ଥାନା ଅଞ୍ଚଳରେ ଥିବା ବାଲାଜୀ ଡ୍ରଗ୍‌ସର ଦୁଇ ଅଧିକାରୀ ଆଲୋକ କୁମାର ମିଶ୍ରା ଓ ରାମପୁରରେ ରହୁଥିବା ରାଞ୍ଚି ଚୁତିଆର ବାସିନ୍ଦା ହରିଶ କୁମାରଙ୍କୁ ଗିରଫ କରାଯାଇଛି। କଟକକୁ ନକଲି ଔଷଧ କାରବାର ପଛରେ ଏମାନେ ମୁଖ୍ୟ କାର୍ପଟଦାର କୁହାଯାଉଛି। ସବୁଠାରୁ ଚକିତ କଲା ଭଳି ଘଟଣା ହେଉଛି କେବଳ ଔଷଧ ନକଲି ନୁହେଁ, ଏହି ବାଲାଜୀ ଡ୍ରଗ୍‌ସ ବି ଏକ ଜାଲ୍‌ ସଂସ୍ଥା। କାଗଜପତ୍ର ଜାଲିଆତି କରି ଡ୍ରଗ୍ ଲାଇସେନ୍ସ ପ୍ରସ୍ତୁତ କରାଯାଇଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ତେବେ, ଏହି ଦୁଇଜଣଙ୍କ ପଛରେ ଆଉ ଜଣେ ବିହାରୀ ଗଡ୍‌ଫାଦର୍ ଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ତାକୁ ପୁଲିସ ଠାବ କରିବାକୁ ଯୋଜନା ଚଳାଇଥିବା ସୂଚନା ମିଳିଛି।

ପୁରୀଘାଟ ଥାନା ପୁଲିସ ନକଲି ଔଷଧ କାରବାର ମାମଲାରେ ଗିରଫ କରିଥିବା ଭି.ଆର୍ ଡ୍ରଗ୍ ଏଜେନ୍ସିର ରାହୁଲ କ୍ୟାଲ୍ ଓ ପୂଜା ଏଣ୍ଟରପ୍ରାଇଜେସ୍‌ର ସଞ୍ଜୟ ଜଲାନ୍‌ଙ୍କ ବୟାନ ଆଧାରରେ ବିହାରର ପାଟଣାରେ ଥିବା ଶ୍ରୀ ବାଲାଜୀ ଏଜେନ୍ସିରେ ଚଢ଼ଉ କରିଥିଲା। ପୁରୀଘାଟ ଥାନା ଆଇଆଇସି ଯତିନ ସେଠୀଙ୍କ ସମେତ ଆସିଷ୍ଟାଣ୍ଟ ଡ୍ରଗ୍ କଣ୍ଟ୍ରୋଲର୍ ଧର୍ମଦେବ ପୁହାଣ, ଡ୍ରଗ୍ ଇନସ୍‌ପେକ୍ଟର ତୁଷାର ରଞ୍ଜନ ପାଣିଗ୍ରାହୀ ପ୍ରମୁଖ ଏହି ଚଢ଼ଉରେ ସାମିଲ ହୋଇଥିଲେ। ସେଠାରେ ଚଢ଼ଉ ପରେ ବାଲାଜୀ ଡ୍ରଗ୍ ସହିତ ଆଉ ଏକ ସଂସ୍ଥା ବାଲାଜୀ ଡ୍ରଗ୍ ପଏଣ୍ଟ ନାଁରେ ଆଉ ଏକ ସଂସ୍ଥା ଆଲୋକ ଓ ହରିଶଙ୍କ ନାଁରେ ରହିଛି। ଜାଲିଆତି କରି ଏମାନେ ଏହି ଦୁଇଟି ସଂସ୍ଥାର ଡ୍ରଗ୍ ଲାଇସେନ୍ସ ପ୍ରସ୍ତୁତ କରିଥିବା ପୁଲିସର ଯାଞ୍ଚ୍‌ରୁ ଜଣାପଡ଼ିଛି। ଏମାନେ ଓଡ଼ିଶା ସମେତ ଦେଶର ଯେଉଁ ଅଞ୍ଚଳକୁ ଔଷଧ ପଠାଉଥିଲେ, ଏହା ବାବଦ ଇନଭଏସ୍ ବି ଜାଲ୍‌ ଥିବା ଜଣାପଡ଼ିଛି। ଔଷଧ ସମେତ କମ୍ପାନି ଓ ଇନଭଏସ୍ ସବୁକିଛି ଜାଲିଆତି କରି ଚଳାଯାଉଥିଲା। ଏମାନେ ଔଷଧ ନିଜେ ପ୍ରସ୍ତୁତ କରୁ ନଥିଲେ। ଆଉ ଏକ ସଂସ୍ଥାରୁ ଉଭୟ ଔଷଧ ଆମଦାନୀ କରି ସାରାଦେଶକୁ ପଠାଉଥିଲେ। ତେବେ, ସେମାନଙ୍କୁ କିଏ ଔଷଧ ପଠାଉଥିଲା, ଉକ୍ତ ସଂସ୍ଥାକୁ ଠାବ କରିବାକୁ ପୁଲିସ ତନାଘନା ଆରମ୍ଭ କରିଦେଇଛି।

ଅନ୍ୟପକ୍ଷରେ, ଏମାନଙ୍କ ନିକଟରୁ ମୋବାଇଲ ଫୋନ୍, ଚେକ୍‌ବୁକ୍‌ ଓ ଜାଲି ଇନଭଏସ୍ ଜବତ ହୋଇଛି। ଗୟାର ଜେଏମ୍‌ଏଫ୍‌ସି କୋର୍ଟରେ ଉଭୟଙ୍କୁ ହାଜର କରାଯିବା ପରେ ସେମାନଙ୍କୁ ୩ ଦିନିଆ ଟ୍ରାନ୍‌ଜିଟ୍ ରିମାଣ୍ଡରେ ଅଣାଯାଇଛି। ଉଭୟ ଅଭିଯୁକ୍ତ କଟକରେ ପହଞ୍ଚିଥିବା ବେଳେ ପୁଲିସ ସେମାନଙ୍କୁ ପଚରାଉଚରା ଆରମ୍ଭ କରିଦେଇଛି। ଆସନ୍ତା ସୋମବାର ତାଙ୍କୁ କଟକ ସଦର ଏସ୍‌ଡିଜେଏମଙ୍କ କୋର୍ଟରେ ହାଜର କରାଯିବ। ପୁଲିସ ଏମାନଙ୍କୁ ଅଧିକ ପଚରାଉଚରା ପାଇଁ ରିମାଣ୍ଡରେ ଆଣିବାକୁ ଯୋଜନା ଚଳାଇଛି। ଏହି ଦୁଇ ଔଷଧ ମାଫିଆଙ୍କୁ ରିମାଣ୍ଡରେ ଆଣିବା ପରେ ବିହାରର କେଉଁ ବ୍ୟକ୍ତି ଏମାନଙ୍କୁ ନକଲି ଔଷଧ ଯୋଗାଉଥିଲେ, ଏମାନେ ଏହି ନକଲି ଔଷଧ କିଣିବା ପରେ ଓଡ଼ିଶାର କେଉଁ କେଉଁ ଜିଲ୍ଲାକୁ ଚାଲାଣ କରୁଥିଲେ, ସେ ନେଇ ପୁରୀଘାଟ ଥାନା ପୁଲିସ ଅନୁସନ୍ଧାନ ଚଳାଇଛି।

ସମ୍ବନ୍ଧିତ ଖବର