କଟକରୁ ସରୁନି ନକଲି ଔଷଧ: ପୁଣି ୨୦ଲକ୍ଷର ନକଲି ଟେଲ୍‌ମା ବଟିକା ଜବତ

ଏନ୍‌ଏଚ୍‌ଆର୍‌ସିଙ୍କ ନିକଟରେ ଅଭିଯୋଗ

କଟକ : କଟକରୁ ସରୁନି ନକଲି ଔଷଧ। ଡ୍ରଗ୍ସ କଣ୍ଟ୍ରୋଲ ବିଭାଗର ନିର୍ଦ୍ଦେଶ ସତ୍ତ୍ବେ ଏବେବି କଟକ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ନକଲି ଔଷଧ ମିଳିଚାଲିଛି। ଆଜି ରାତିରେ ଚଢ଼ାଉ ସମୟରେ ପୁଣି ୨୦ଲକ୍ଷ ଟଙ୍କାର ନକଲି ଉଚ୍ଚରକ୍ତଚାପ ଔଷଧ ଟେଲ୍‌ମା-୪୦ ଓ ଟେଲ୍‌ମା ଏଏମ୍‌ ଜବତ ଘଟଣାରୁ ଏହା ସ୍ପଷ୍ଟ ହୋଇଛି।

କଟକ ଆସିଷ୍ଟାଣ୍ଟ ଡ୍ରଗ୍ସ କଣ୍ଟ୍ରୋଲର୍‌ଙ୍କ ନେତୃତ୍ବରେ ନୟାସଡ଼କ ଓ ନିମଚୌଡ଼ି ଅଂଚଳରେ ଥିବା ୩ଟି ଔଷଧ ବିତରକ ସଂସ୍ଥା(ଏଜେନ୍ସି) ଉପରେ ଚଢ଼ଉ କରାଯାଇଥିଲା। ଚଢ଼ାଉ ସମୟରେ ନିମଚୌଡ଼ିସ୍ଥିତ କ୍ୟାଲ୍‌ ଏଜେନ୍ସି, ନୟାସଡ଼କସ୍ଥିତ ମହାବୀର ପ୍ରସାଦ ରାଧେଶ୍ୟାମ ଓ ଶ୍ରୀ ଏମ୍‌ଏଚ୍‌ ଫର୍ମାସିରୁ ୨୦ ଲକ୍ଷ ଟଙ୍କାର ନକଲି ଔଷଧ ମିଳିଥିଲା। ସେସବୁକୁ ଡ୍ରଗ୍ସ କଣ୍ଟ୍ରୋଲ୍‌ ବିଭାଗ ଜବତ କରିଛି। ଏଥିସହିତ, ଡ୍ରଗ୍ସ ଆଣ୍ଡ କସ୍‌ମେଟିକ୍ସ ଆକ୍ଟରେ ଏହି ସଂସ୍ଥା ନଁାରେ ଏସ୍‌ଡିଜେଏମ୍‌ କୋର୍ଟରେ ମାମଲା ରୁଜୁ କରାଯାଇଛି। ଏହାକୁ ମିଶାଇ କଟକ ବଜାରରୁ ଏଯାବତ୍‌ ୫୦ ଲକ୍ଷ ଟଙ୍କାର ନକଲି ଔଷଧ ଜବତ ହୋଇସାରିଲାଣି।

ପୂର୍ବରୁ, ଗତ ୯ ତାରିଖରେ କଟକର ପୂଜା ଏଣ୍ଟରପ୍ରାଇଜର୍ସ , ଭି.ଆର୍‌ ଡ୍ରଗ୍‌ ଏଜେନ୍ସିରୁ ୩୦ଲକ୍ଷ ଟଙ୍କାର ନକଲି ଉଚ୍ଚରକ୍ତଚାପ ଔଷଧ ଜବତ ହୋଇଥିଲା। ତେବେ, ଉଭୟ ପୁଲିସ ଓ ଭେଷଜ ନିୟନ୍ତ୍ରଣ ବିଭାଗ ପକ୍ଷରୁ ମିଳିତ କାର୍ଯ୍ୟାନୁଷ୍ଠାନ ଜାରି ରହିଥିବା ବେଳେ ପୁଣିଥରେ ଏତେ ପରିମାଣର ନକଲି ଔଷଧ ମିଳିବା ଚିନ୍ତା ବଢ଼ାଇ ଦେଇଛି। ଚଢ଼ାଉ ପରେ ବି ବଜାରରେ ବିଭିନ୍ନ ଦାମୀ କମ୍ପାନୀର ଅଧିକ ବ୍ୟବହାର ହେଉଥିବା ଔଷଧକୁ ନକଲି କରି ଓଡ଼ିଶା ବଜାରକୁ ଛଡ଼ାଯାଇଥିବା ଅନୁମାନ କରାଯାଉଛି।

ଅନ୍ୟପକ୍ଷରେ, ଆଜି ଡ୍ରଗ୍ସ କଣ୍ଟ୍ରୋଲ ବିଭାଗର ଏକ ଟିମ୍‌ ବିହାରର ଗୟା, ପାଟଣା ତଥା ରାଜ୍ୟ ବାହାରକୁ ‌ଯାଇ ନକଲି ଔଷଧ ଘଟଣାର ତଦନ୍ତ କରିବ ବୋଲି ଆସିଷ୍ଟାଣ୍ଟ ଡ୍ରଗ୍ସ କଂଟ୍ରୋଲର ଧର୍ମଦେବ ପୁହାଣ ସୂଚନା ଦେଇଛନ୍ତି। ଆଜିର ଚଢ଼ାଉର ଆସିଷ୍ଟାଣ୍ଟ ଡ୍ରଗ୍ସ କଣ୍ଟ୍ରୋଲର୍‌ ଧର୍ମଦେବ ପୁହାଣ, ଡ୍ରଗ୍ସ ଇନ୍ସପେକ୍ଟର୍‌ ତୁଷାର ରଞ୍ଜନ ପାଣିଗ୍ରାହୀ ଓ ହରପ୍ରିୟା ମଲ୍ଲିକ ପ୍ରମୁଖ ସାମିଲ ଅଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ, ଗ୍ଲେନ୍‌ମାର୍କ କମ୍ପାନିର ଲୋଗୋ ବ୍ୟବହାର କରି ନକଲି ଖୋଳରେ ବଜାରରେ ବିକ୍ରି ହେଉଥିବା ଉଚ୍ଚରକ୍ତଚାପ ଔଷଧ ନକଲି । ଏପରିକି ଆସିଥିବା ଲାବ୍‌ ପରୀକ୍ଷା ରିପୋର୍ଟରୁ ବି ଉକ୍ତ ଔଷଧ ବ୍ୟବହାରଯୋଗ୍ୟ ନୁହେଁ ବୋଲି ସ୍ପଷ୍ଟ ହୋଇଛି। ଏହି ଘଟଣାରେ ମାଣିକଘୋଷ ବଜାରସ୍ଥିତ ଭି.ଆର୍‌ ଡ୍ରଗ୍‌ ଏଜେନ୍ସିର ରାହୁଲ କୁମାର କ୍ୟାଲ୍‌ ଓ ଯାଉଁଳିଆପଟିସ୍ଥିତ ପୂଜା ଏଣ୍ଟରପ୍ରାଇଜର୍ସର ସଞ୍ଜୟ ଜଲାନ୍‌ଙ୍କୁ ପୁଲିସ ଗିରଫ କରି ଜେଲ୍‌ ପଠାଇଛି।

ଏନ୍‌ଏଚ୍‌ଆର୍‌ସିଙ୍କ ନିକଟରେ ଅଭିଯୋଗ
କଟକ : ନକଲି ଔଷଧ କାରବାର ଘଟଣାକୁ ନେଇ ଜାତୀୟ ମାନବାଧିକାର କମିସନ୍‌(ଏନ୍‌ଏଚ୍‌ଆର୍‌ସି)ଙ୍କ ନିକଟରେ ଅଭିଯୋଗ ଦାଖଲ ହୋଇଛି। ‘ନ୍ୟାୟ ପାଇଁ ଲଢେଇ ପରିବାର’ର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶଙ୍କ ତରଫରୁ ଏହି ଅଭିଯୋଗ ଦାଖଲ କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି, ନକଲି ଔଷଧ ବିକ୍ରି କରି ଲୋକମାନଙ୍କ ଜୀବନ ସହିତ ଖେଳ ଖେଳାଯାଉଛି। ଏହି ନକଲି ଔଷଧ କାରବାରର ମାଷ୍ଟର୍‌ମାଇଣ୍ଡଙ୍କୁ ଠାବ କରିବା ପାଇଁ ଉଚ୍ଚସ୍ତରୀୟ ତଦନ୍ତ ଆବଶ୍ୟକ। ମାନବାଧିକାର କମିସନ୍‌ଙ୍କ ଟିମ୍ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ପ୍ରଦାନ କରାଯାଉ ବୋଲି ଶ୍ରୀ ଦାସ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର