ଭୁବନେଶ୍ବର : ଭୁବନେଶ୍ବର, କଟକ ଓ କେନ୍ଦ୍ରାପଡ଼ା ପରେ ଏବେ ନକଲି ଔଷଧର ପେଣ୍ଠସ୍ଥଳୀ ପାଲଟିଛି ବରଗଡ଼ ଜିଲ୍ଲା। ଉପକୂଳ ଓଡ଼ିଶାକୁ ପଛରେ ପକାଇ ଚଳିତବର୍ଷ ଜିଲ୍ଲାର ହସ୍ପିଟାଲ ରୋଡ୍‌ରେ ଥିବା ଅଶୋକ ମେଡିକାଲ ହଲ୍‌ରୁ ୮ରୁ ଅଧିକ ନକଲି ଔଷଧ ଚିହ୍ନଟ କରାଗଲାଣି। ଏହାସହ ସଂପୃକ୍ତ ଔଷଧ ଦୋକାନରୁ ଶତାଧିକ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ଦିନକୁ ଦିନ ନକଲି ଔଷଧ ତାଲିକାରେ ଯୋଡ଼ି ହୋଇଥିବା ଜିଲ୍ଲା ସଂଖ୍ୟା ବଢ଼ିବାରେ ଲାଗିଛି। ଆଇନର ଫାକ ଓ ତ୍ବରିତ କାର୍ଯ୍ୟାନୁଷ୍ଠାନ ନ ହେବା କାରଣରୁ ନକଲି ଔଷଧକୁ ରୋକିବା ସମ୍ଭବ ହୋଇପାରୁନାହିଁ। ଗତ ୩ମାସ ଭିତରେ ଏତେ ସଂଖ୍ୟକ ନକଲି ଔଷଧ ବରଗଡ଼ର ଗୋଟିଏ ଦୋକାନରୁ ଚିହ୍ନଟ ହୋଇଥିବା ବେଳେ ସଂପୃକ୍ତ ଦୋକାନ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। କେବଳ ଗୋଟିଏ ମାମଲା ରୁଜୁ ହୋଇଛି। ହେଲେ ପ୍ରଶ୍ନ ଉଠୁଛି ରାଜ୍ୟକୁ ଏତେ ସଂଖ୍ୟକ ନକଲି ଔଷଧ ଆସୁଛି କେଉଁଠି ଓ ଏଥିରେ ସଂପୃକ୍ତ ଦୋକାନୀମାନଙ୍କ ଭୂମିକା କ’ଣ ? ବର୍ଷ ବର୍ଷ ଧରି ଏଭଳି ନକଲି ଔଷଧ ବ୍ୟବସାୟରେ ଔଷଧ ଦୋକାନୀମାନେ ଲିପ୍ତ ଅଛନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗରେ ଜୋରଦାର ଆଲୋଚନା ହେଉଛି।

Advertisment

ଗତ ସେପ୍ଟେମ୍ବର ମାସରେ ରାଜଧାନୀ ସମେତ କଟକରେ ନକଲି ଉଚ୍ଚ ରକ୍ତଚାପ ଔଷଧ ଟେଲ୍‌ମା-ଏଏମ୍‌ ଓ ୪୦ ଜବତ ପରେ ଏହାକୁ ନେଇ ଜୋରଦାର ଖୋଳତାଡ଼ ହୋଇଥିଲା। କଟକର ଏକାଧିକ ବିତରକଙ୍କ ବିରୋଧରେ ମାମଲା ଦାୟର କରାଯିବା ସହିତ ପୁଲିସ ଗିରଫଦାରୀ କରିଥିଲା। ନକଲି ଔଷଧ ବିହାରରୁ ଆସିଥିବା ଜଣାପଡ଼ିବା ପରେ ଓଡ଼ିଶା ପୁଲିସ ଓ ଭେଷଜ ନିର୍ଦେଶାଳୟ ମିଳିତଭାବେ ବିହାରରୁ ନକଲି ଔଷଧ ଯୋଗାଇଥିବା କାର୍ପଟଦାରଙ୍କୁ ଗିରଫ କରିଥିଲା। ମାତ୍ର ବରଗଡ଼ସ୍ଥିତ ଅଶୋକ ମେଡିକାଲ ହଲ୍‌ କ୍ଷେତ୍ରରେ ଏଭଳି ଦେଖିବାକୁ ମିଳୁନାହିଁ। ସଂପୃକ୍ତ ଔଷଧ ଦୋକାନରୁ ଜବତ ଏକାଧିକ ଔଷଧ ନକଲି ବୋଲି କମ୍ପାନି କର୍ତୃପକ୍ଷ ସ୍ପଷ୍ଟ କରିସାରିଥିଲେ ବି ବର୍ତମାନସୁଦ୍ଧା କୌଣସି ଏଫ୍‌ଆଇଆର ଦାୟର ହୋଇନାହିଁ। କାର୍ଯ୍ୟାନୁଷ୍ଠାନ ବିଳମ୍ବ ହେଉଥିବାରୁ ନକଲି ଔଷଧ ଯୋଗାଇଥିବା ମୁଖ୍ୟ କାର୍ପଟଦାର ନିକଟରେ ପହଞ୍ଚିବା ଅସମ୍ଭବ ହୋଇପଡ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି।

ଅଶୋକ ମେଡିକାଲ ହଲ୍‌ରୁ ଚିହ୍ନଟ ହେଲାଣି ୮ରୁ ଅଧିକ ନକଲି ଔଷଧ
ଭେଷଜ ନିର୍ଦେଶକଙ୍କୁ ସବୁ କାଗଜପତ୍ର ଦିଆଯାଇଛି: ବରଗଡ଼ ଡିଆଇ

publive-image Image Courtesy of The Indian Express

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତ ନଭେମ୍ବର ୧୮ତାରିଖରେ ବରଗଡ଼ ଡ୍ରଗ୍‌ ଇନ୍ସପେକ୍ଟରଙ୍କ(ଡିଆଇ) ପକ୍ଷରୁ ଅଶୋକ ମେଡିକାଲ ହଲ୍‌ରୁ ପରୀକ୍ଷା ପାଇଁ ପଠାଯାଇଥିବା ନମୁନା ମଣ୍ଟୈର ଏଲ୍‌ସି ନକଲି ବୋଲି ଜଣାପଡ଼ିଥିଲା। ଏହି ଔଷଧ ପ୍ରସ୍ତୁତ କରୁଥିବା ହରିଦ୍ବାର କମ୍ପାନି ପ୍ୟୁର ଏଣ୍ଡ କ୍ୟୁର ହେଲ୍‌ଥକେୟାର ମଣ୍ଟୈର ଏଲ୍‌ସି ତାଙ୍କ କମ୍ପାନି ଦ୍ବାରା ପ୍ରସ୍ତୁତ ହୋଇ ନ ଥିବା ଜଣାଇଥିଲା। ସଂପୃକ୍ତ ଔଷଧ ଦୋକାନରୁ ସେଲକାଲ-୫୦୦ ବଟିକାକୁ ମଧ୍ୟ ହରିଦ୍ବାରା କମ୍ପାନି ନକଲି ବୋଲି ସ୍ପଷ୍ଟ କରିଥିଲା। ସେହିପରି ଗୁଡିଫ ସିଭି-୨୦୦ ଔଷଧକୁ ଡ.ରେଡି ଲାବୋରେଟାରିଜ୍ ପକ୍ଷରୁ ନକଲି ବୋଲି କୁହାଯାଇଥିଲା। ଏହାସହ ଓମେଜ୍ ଡିଏସ୍‌ଆର, ଜିରୋଡୋଲ ଏସ୍‌ପି, ପାଣ୍ଡେରମ ପ୍ଲସ୍‌ପ୍ଲସ୍, ଭର୍ଟିନ୍ ୧୬, ସିମୋରାଲ ଫୋର୍ଟି ଓ କ୍ଲାଭମ-୬୨୫ ଔଷଧ ନକଲି ବୋଲି ଜଣାପଡ଼ିଥିଲା। ବରଗଡ଼ ଡିଆଇ ରେଞ୍ଜରୁ ଏ ସଂପର୍କରେ ଭେଷଜ ନିର୍ଦେଶାଳୟକୁ ସୂଚନା ଦିଆଯାଇଥିଲା। ନକଲି ଔଷଧ ସଂପର୍କରେ ସୂଚନା ଦିଆଯିବାର ପ୍ରାୟ ଦେଢ଼ ମାସ ବିତିଲାଣି। ଉତ୍ତର ପ୍ରଦେଶରୁ ଏହିସବୁ ଔଷଧ ଓଡ଼ିଶାକୁ ଆସିଥିବା ବେଳେ ଭେଷଜ ନିର୍ଦେଶାଳୟ ବର୍ତମାନ ସୁଦ୍ଧା ନକଲି ଔଷଧ ପ୍ରସ୍ତୁତକାରୀଙ୍କ ପାଖରେ ପହଞ୍ଚିପାରିନାହିଁ। ନକଲି ଔଷଧକୁ ନେଇ ରାଜ୍ୟବ୍ୟାପୀ ଚଢ଼ାଉ କରିବା ଲାଗି ଏକ ଟିମ୍ ମଧ୍ୟ ଗଠନ ହୋଇନାହିଁ। ଏଭଳି ଅନୁକମ୍ପା ରାଜ୍ୟ ପାଇଁ ବିପଦ ଡାକି ଆଣିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି।

ନିକଟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବରଗଡ଼ ନକଲି ଔଷଧ ସଂପର୍କରେ ଦିଆଯାଇଥିବା ସୂଚନା ଅନୁସାରେ, ନଭେମ୍ବର ୧୯ ଓ ୨୨ତାରିଖରେ ସଂପୃକ୍ତ ଦୋକାନରୁ ଔଷଧ ଜବତ କରାଯାଇଛି। ଉତ୍ତର ପ୍ରଦେଶରୁ ନକଲି ଔଷଧ ସଂପର୍କିତ କିଛି ତଥ୍ୟ ଅପେକ୍ଷା କରାଯାଇଛି। ଏକ ମାମଲା ମଧ୍ୟ ରୁଜୁ କରାଯାଇଛି। ତେବେ ବରଗଡ଼ ଡିଆଇ ସୁନିତା ନାଗ କହିଛନ୍ତି, ଅଶୋକ ମେଡିକାଲ ହଲ୍‌ରୁ ନକଲି ଔଷଧ ସଂପର୍କରେ ଉଭୟ ରାଜ୍ୟ ସରକାର ଓ ଭେଷଜ ନିର୍ଦେଶକଙ୍କୁ ସମସ୍ତ ସୂଚନା ଦେଇ ସାରିଛି। ‌ଏବେ ବି ତଦନ୍ତ ଜାରି ରହିଛି। ସଂପୃକ୍ତ ଦୋକାନୀ ବିରୋଧରେ ଏଫ୍‌ଆଇଆର କରାଯିବ କି ନାହିଁ ତାହା ସଂପର୍କରେ ରାଜ୍ୟ ସରକାର କିମ୍ବା ଭେଷଜ ନିର୍ଦେଶକ ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେବେ ବୋଲି ଶ୍ରୀମତୀ ନାଗ ସୂଚନା ଦେଇଛନ୍ତି।

ଜନସ୍ବାସ୍ଥ୍ୟ ଅଭିଯାନର ଆବାହକ ଗୌରାଙ୍ଗ ମହାପାତ୍ର କହିଛନ୍ତି, ସବୁ ଜିଲ୍ଲାରେ ଡ୍ରଗ୍ ଇନ୍ସପେକ୍ଟର ନାହାନ୍ତି। କେବଳ ସରକାରୀ ହସ୍ପିଟାଲରେ ମିଳୁଥିବା ଔଷଧର ବାରମ୍ବାର ନମୁନା ପରୀକ୍ଷା କରାଯାଉଛି। ବାହାର ଦୋକାନରୁ ଔଷଧ ନମୁନା କିଣି ପରୀକ୍ଷା କରିବା ପାଇଁ ଡିଆଇମାନଙ୍କୁ ଆବଶ୍ୟକ ଅର୍ଥ ଦିଆଯାଉନାହିଁ। ଏହାସହ ପ୍ରତିବର୍ଷ ବିଶ୍ବବ୍ୟାପୀ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ) କିଛି ଔଷଧକୁ ନିଷିଦ୍ଧ ଘୋଷଣା କରାଯାଉଛି। ତାହାର ମଧ୍ୟ ରାଜ୍ୟରେ ଠିକ୍‌ରେ ନିରୀକ୍ଷଣ କରାଯାଉନାହିଁ। ଷ୍ଟୋରରେ କିଭଳି ଭାବେ ଔଷଧ ରଖାଯାଉଛି ତାହାର ମଧ୍ୟ ନିୟମିତ ଯାଞ୍ଚ ହେଉନାହିଁ। ଔଷଧକୁ ଠିକ୍ ଭାବେ ନ ରଖିବା କାରଣରୁ ‘ନିରାମୟ’ରେ କିଣା ଯାଇଥିବା ଔଷଧ ନିଜର ଏଫିକେସି ବା ପ୍ରଭାବ ହ୍ରାସ ପାଇଥିବାର ଏକାଧିକ ନଜିର ରହିଛି। ଏବେ ଡିଆଇମାନେ ଔଷଧର ଯାଞ୍ଚ ଅପେକ୍ଷା ଅଧିକ ଔଷଧ ଲାଇସେନ୍‌ସ ପଞ୍ଜୀକରଣ/ନବୀକରଣ ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।