ନକଲି ଔଷଧ: ବ୍ରହ୍ମପୁରରେ ଚଢ଼ଉ, ପରୀକ୍ଷା ପାଇଁ ଗଲା ୮ ନମୁନା

ବ୍ରହ୍ମପୁର : କଟକରେ ଜାଲ୍‌ ଔଷଧ କାରବାର ପର୍ଦ୍ଦାଫାସ୍‌ ହେବାପରେ ରାଜ୍ୟବ୍ୟାପୀ ଔଷଧ ଦୋକାନରେ ଚଢ଼ଉକୁ ବ୍ୟାପକ କରାଯାଇଛି। ବ୍ରହ୍ମପୁର ସହରରେ ଥିବା ଔଷଧ ଦୋକାନ ଓ ଫାର୍ମାସ୍ୟୁଟିକାଲ୍‌ ସଂସ୍ଥା ଉପରେ ଡ୍ରଗ୍‌ ଇନ୍‌ସ୍ପେକ୍ଟର୍‌ ଦେବାଶିଷ କାଲୋ ଏବଂ ତାଙ୍କର ଟିମ୍‌ ଚଢ଼ଉ କରି ଯାଞ୍ଚ୍‌ କରିଛନ୍ତି। ଆଜି ସହରରେ ଥିବା ପ୍ରାୟ ୧୦ଟି ଔଷଧ ଦୋକାନ ଓ ଫାର୍ମାସ୍ୟୁଟିକାଲ୍‌ ସଂସ୍ଥାରେ ଚଢ଼ଉ କରି ୮ଟି ଔଷଧ ନମୁନା ସଂଗ୍ରହ କରା ଯାଇଥିବା ଡ୍ରଗ୍‌ ଇନ୍‌ସ୍ପେକ୍ଟର୍‌ ସୂଚନା ଦେଇଛନ୍ତି। ଆଗାମୀ ଦିନରେ ମଧ୍ୟ ଚଢ଼ଉ ଜାରି ରହିବ ବୋଲି ସେ କହିଛନ୍ତି।

ବିଶେଷ କରି ସାଧାରଣରେ ଅଧିକ ବ୍ୟବହାର ହେଉଥିବା କିଛି ଔଷଧ ଭେଜାଲ୍‌ କରାଯାଉଥିବା ଅଭିଯୋଗ ଆସିଥିଲା। କଟକରେ ଭେଜାଲ୍‌ ଔଷଧ ଠାବ ପରେ ଔଷଧ ଦୋକାନ ଓ ଷ୍ଟକିଷ୍ଟ୍‌ଗୁଡ଼ିକରେ ଚଢ଼ଉ ଆରମ୍ଭ ହୋଇଛି। ଗତକାଲି ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ଚଢ଼ଉ କରି ୬ଟି ନମୁନା ସଂଗ୍ରହ କରାଯାଇଥିଲା। ଆଜି ପୁଣିଥରେ କୋର୍ଟପେଟା ଛକ, ସେଲଟ୍ୟାକ୍ସ ଛକ, ବିଜିପୁର, ସୋମନାଥନଗର ପ୍ରଭୃତି ଅଞ୍ଚଳରେ ଥିବା ଔଷଧ ଦୋକାନ ଓ ଫାର୍ମାସ୍ୟୁଟିକାଲ୍‌ କମ୍ପାନିର ସଂସ୍ଥାରେ ଚଢ଼ଉ କରା ଯାଇଥିଲା। ସାଧାରଣରେ ଅଧିକ ବ୍ୟବହାର ହେଉଥିବା ରକ୍ତଚାପ ନିୟନ୍ତ୍ରଣ ଔଷଧ ସହ ଗ୍ୟାସ୍‌ଷ୍ଟ୍ରିକ୍‌ ଓ ଆଣ୍ଟିବାୟୋଟିକ୍‌ ଔଷଧର ୮ଟି ନମୁନା ସଂଗ୍ରହ କରାଯାଇଛି। ତାହା ପରୀକ୍ଷା ନିମନ୍ତେ ଭୁବନେଶ୍ବର ସ୍ଥିତ ରାଜ୍ୟ ଡ୍ରଗ୍‌ ଟେଷ୍ଟିଂ ଲାବୋରେଟରିକୁ ପଠାଯିବ ବୋଲି ଡ୍ରଗ୍‌ ଇନ୍‌ସ୍ପେକ୍ଟର୍‌ ସୂଚନା ଦେଇଛନ୍ତି। ଦକ୍ଷିଣ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ୍‌ରେ ଏଭଳି ଚଢ଼ଉ ଆରମ୍ଭ ହୋଇଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର