ନକଲି ଔଷଧ ଜବତ୍‌ ଘଟଣା: ୧୫୦ କମ୍ପାନିଙ୍କୁ ଆନାଲିଟିକାଲ ସାର୍ଟିଫିକେଟ୍‌ ମାଗିଲା ସଂଘ

ଚିଠା ଲେଖିଥିବା ଡାକ୍ତରଙ୍କୁ କ୍ରାଇମବ୍ରାଞ୍ଚ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି

କଟକ : କଟକରୁ ୭୦ଲକ୍ଷ ଟଙ୍କାର ନକଲି  ଔଷଧ ଜବତ୍‌ ଘଟଣାରେ ପୁଣି ଏକ ନୂଆ ପଦକ୍ଷେପ ଗ୍ରହଣ କରିଛି ଔଷଧ ବ୍ୟବସାୟୀ ମହାସଂଘ। ଓଡିଶା ବଜାରରେ ଔଷଧ ବିକ୍ରି କରୁଥିବା ୧୫୦ କମ୍ପାନିକୁ ‘ଆନିଲିଟିକାଲ ଟେଷ୍ଟ ରିପୋର୍ଟ’ ମାଗିଛି ସଂଘ। ସାତ ଦିନ ମଧ୍ୟରେ ଏହି ରିପୋର୍ଟକୁ ଦାଖଲ କରିବାକୁ ସଂଘ ପକ୍ଷରୁ କୁହାଯାଇଛି। କେବଳ ସେତିକି ନୁହେଁ କଟକ ନକଲି ଔଷଧ ଜବତ୍‌ ଘଟଣାରେ ଔଷଧ ରୋଗୀଙ୍କୁ ଦେବା ପାଇଁ ପେସ୍‌କ୍ରିପସନ୍ ବା ଚିଠା ଲେଖିଥିବା ଡାକ୍ତରଙ୍କୁ ବି କ୍ରାଇମବ୍ରାଞ୍ଚ ତଦନ୍ତ ପରିସରଭୁକ୍ତ କରାଯାଉ ଓ କେଉଁ କେଉଁ ଜିଲ୍ଲାର ଡାକ୍ତରମାନେ ଏହି ସବୁ ଔଷଧ ଚିଠା ଲେଖୁଥିଲେ ତାର ମଧ୍ୟ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି ରାଜ୍ୟ ଔଷଧ ବ୍ୟବସାୟୀ ସଂଘର ସଂପାଦକ ପ୍ରଶାନ୍ତ ମହାପାତ୍ର। ଏଥିସହ ଭାରତରେ କେତେ କମ୍ପାନି ଔଷଧ ବ୍ୟବସାୟ ସହିତ ଜଡିତ, କେଉଁ କମ୍ପାନି ଠିକ୍‌ ଓ କିଏ ଠିକ୍‌ ନୁହେଁ ତାକୁ ଜାଣିବା ପାଇଁ ଏକ ମେଡିସିନ୍‌ ପୋର୍ଟାଲ ତୁରନ୍ତ କାର୍ଯ୍ୟକାରୀ କରାଯାଉ ବୋଲି ସଂଘ ପକ୍ଷରୁ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଅନ୍ୟପଟେ ଦୁଇଦିନ ପୂର୍ବରୁ ନକଲି କାରବାର କରୁଥିବା ‘ମେଡିଲିଓଡ୍ ମେଡିକାମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ’ ସଂସ୍ଥ‌ା ସହିତ  ରାଜ୍ୟ ଔଷଧ ବ୍ୟବସାୟୀ ମହାସଂଘ ସମସ୍ତ ସଂପର୍କ ଛିନ୍ନ କରିବା ସହ ଉକ୍ତ ସଂସ୍ଥାରୁୁ ଔଷଧ କିଣିଥିବା ବ୍ୟବସାୟୀଙ୍କୁ ନିଜ ଜିଲ୍ଲାରେ ଥିବା ଡ୍ରଗସ କଂଟ୍ରୋଲ ବିଭାଗକୁ ଔଷଧ ସବୁ ଫେରସ୍ତ କରିବା ପାଇଁ ଚିଠି ଲେଖିଥିଲେ।

ଓଡିଶା ବଜାରରେ ପ୍ରତିବର୍ଷ ଅତିକମ୍‌ରେ ଦେଢଶହ ନୂତନ କମ୍ପାନି ନିଜ ଔଷଧକୁ ବଜାର ପ୍ରବେଶ କରିଥାଏ।  ଏବେ ରାଜ୍ୟର ଦେଢଶହ ଔଷଧ କମ୍ପାନିଙ୍କୁ ଆନାଲିଟିକାଲ ରିପୋର୍ଟ ‌ନଦେଲେ ତାଙ୍କ ଔଷଧ ଗ୍ରହଣ କରାଯିବନି ବୋଲି କୁହାଯାଇଛି।  କମ୍ପାନୀ ଔଷଧ ବଜାରକୁ ଛାଡିବା ପୂର୍ବରୁ ତାର ଆନାଲିଟିକାଲ ଟେଷ୍ଟ ରିପୋର୍ଟ ଆସିବ। ରିପୋର୍ଟ ଯଦି ଷ୍ଟାଣ୍ଡାର୍ଡ କ୍ବାଲିଟି ହେବ ତାହେଲେ ସେହି ଔଷଧ ବଜାରକୁ ଛଡାଯିବ ବୋଲି ଶ୍ରୀ ମହାପାତ୍ର ‘ସମ୍ବାଦ’କୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର