କଟକରୁ ନକଲି ଔଷଧ ଜବତ୍‌ ଘଟଣାକୁ ୯ଦିନ ପୂରିଲା, କ୍ରାଇମବ୍ରାଞ୍ଚ୍‌କୁ ଏତଲା ଦେଇ ବିଭାଗ ଚୁପ୍‌

ଆଜି ପର୍ଯ୍ୟନ୍ତ କଳା ତାଲିକାଭୁକ୍ତ ହୋଇପାରିଲାନି ସଂସ୍ଥା
ବିନା ସାର୍ଟିଫିକେଟ୍‌ରେ କେମିତି ଚାଲିଛି ୧୫୦ କମ୍ପାନିର ଔଷଧ?
ପ୍ରତିବର୍ଷ ରାଜ୍ୟରେ ୪୫୦କୋଟିର ଔଷଧ ବେପାର

କଟକ : କଟକରୁ ୭୦ଲକ୍ଷ ଟଙ୍କାର ନକଲି ଔଷଧ ଜବତ୍‌ ଘଟଣାକୁ ୯ଦିନ ପୂରିଛି। ହେଲେ ଆଜି ପର୍ଯ୍ୟନ୍ତ ଡ୍ରଗ୍‌ସ କଂଟ୍ରୋଲ ବିଭାଗ ପକ୍ଷରୁ ‘ମେଡିଲିଓଡ୍ ମେଡିକାମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌’ ସଂସ୍ଥ‌ାକୁ କଳା ତାଲିକାଭୁକ୍ତ କରିପାରିନି ବିଭାଗ। ଏଭଳି ଅଭିଯୋଗକୁ ଭିତ୍ତି କରି ରାଜ୍ୟ ଔଷଧ ବ୍ୟବସାୟୀ ମହାସଂଘ ସମସ୍ତ ସଂପର୍କ ଛିନ୍ନ କରିସାରିଥିବା ବେଳେ ବିଭାଗ ପକ୍ଷରୁ କେବଳ କଟକ ଏସ୍‌ଡିଜେଏମ୍‌ଙ୍କ ଅଦାଲତରେ ଦୁଇଟି ମାମଲା ଓ କ୍ରାଇମବ୍ରାଞ୍ଚ ଏସ୍‌ଡିଏଫ୍‌ ଶାଖାରେ ଏତଲା ଦେବା ତଥା ସଂସ୍ଥାକୁ କେବଳ କାହିଁକି କଳା ତାଲିକାଭୁକ୍ତ କରା ନଯିବ ସେ ନେଇ ନୋଟିସ୍‌ ଦିଆଯାଇଛି। ହେଲେ ଆଜି ପର୍ଯ୍ୟନ୍ତ ‌କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଗତକାଲି ରାଜ୍ୟ ଔଷଧ ବ୍ୟବସାୟୀ ସଂଘ ୧୫୦ କମ୍ପାନିଙ୍କୁ ଆନାଲିଟିକାଲ ସାର୍ଟିଫିକେଟ୍‌ ମାଗିଛି।

ଯଦି ନଦେବେ ତାହେଲେ ସେମାନେ ରାଜ୍ୟରେ ବ୍ୟବସାୟ କରିପାରିବେ ନାହିଁ ବୋଲି କହିଛି। ଏଭଳି ସ୍ଥିତିରେ ଏବେ ପ୍ରଶ୍ନ ଉଠୁଛି; କିଏ ଏହି ୧୫୦ ସଂସ୍ଥାକୁ ଓଡ଼ିଶା ବଜାରରେ ବିକ୍ରି ପାଇଁ ଅନୁମତି ଦେଇଥିଲା। କ୍ରାଇମବ୍ରାଞ୍ଚ୍‌ ରାଜ୍ୟ ବାହାରକୁ ଯାଇ ଘଟଣାର ତଦନ୍ତ କରୁଥିବାବେଳେ ବିଭାଗ କ’ଣ ପଦକ୍ଷେପ ନେଉଛି, ତା’ ଉପରେ ସମସ୍ତଙ୍କ ନଜର।

ରାଜ୍ୟରେ କଟକ ହେଉଛି ଔଷଧ ବ୍ୟବସାୟର ହବ୍‌। ପରିସଂଖ୍ୟାନ କହୁଛି ପ୍ରତିବର୍ଷ ରାଜ୍ୟରେ ୪୫୦କୋଟିର ଔଷଧ ବେପାର ହେଉଛି। ମାଲଗୋଦାମ ଯେପରି କଟକର ବ୍ୟବସାୟିକ ପେଣ୍ଠସ୍ଥଳୀ, ସେହିଭଳି ଔଷଧର ହବ୍‌ ମଧ୍ୟ  ହେଉଛି କଟକ। କାରଣ କଟକ ସହରରେ ୧୨୦ଟି ଔଷଧ ଡିପୋ, ୪୫୦ ହୋଲସେଲ୍‌ ପଏଣ୍ଟ ଓ ୯୮୦ ରିଟେଲ କାଉଣ୍ଟର୍‌ କଟକରେ ରହିଛି। କଟକ ଔଷଧ ବଜାର ଉପରେ ୯୫ପ୍ରତିଶତ ଓ ଭୁବନେଶ୍ବରରେ ୫ପ୍ରତିଶତ ରାଜ୍ୟର ବ୍ୟବସାୟୀ ନିର୍ଭର କରିଥା’ନ୍ତି। ତେବେ ରାଜ୍ୟ ଔଷଧ ବ୍ୟବସାୟୀ ମହାସଂଘ ଓଡ଼ିଶା ବଜାରରେ ଔଷଧ ବିକ୍ରି କରୁଥିବା ୧୫୦ କମ୍ପାନିକୁ ‘ଆନିଲିଟିକାଲ ଟେଷ୍ଟ’ ରିପୋର୍ଟ ମାଗିଛି । ସପ୍ତାହେ ଭିତରେ ରିପୋର୍ଟ ଦେବା ପା‌ଇଁ କହିଛି ସଂଘ। ତେବେ ଏତେଦିନ ହେଲା ବିନା ସାର୍ଟିଫିକେଯରେ କେମତି ଚାଲିଥିଲା ସବୁ କମ୍ପାନି? କିଏ ଦେଇଥିଲା ଅନୁମତି? ଯଦି କଟକରେ ନକଲି ଔଷଧ ଜବତ୍‌ ହୋଇ ନଥାନ୍ତା ତାହେଲେ ଏମିତି ଚାଲିଥାନ୍ତା ବେପାର। ମହାରାଷ୍ଟ୍ର ଡ୍ରଗ୍‌ସ କଣ୍ଟ୍ରୋଲ ବିଭାଗର ତଥ୍ୟ ଅନୁସାରେ ତଥା ବଡ଼ଧରଣର ଚଢ଼ଉ ପରେ ବି କାହଁକି ବିଭାଗ ଉକ୍ତ ସଂସ୍ଥାର ଲାଇସେନ୍ସ ବାତିଲ କଲା ନାହିଁ ତାହାମଧ୍ୟ ବଡ଼ ପ୍ରଶ୍ନବାଚୀ। ଅନ୍ୟପଟେ ଡ୍ରଗ୍‌ସ କଣ୍ଟ୍ରୋଲ ବିଭାଗ କାରଣଦର୍ଶାଅ ନୋଟିସ୍‌ ଜାରି କରିଥିଲେ ବି ସଂସ୍ଥା ପକ୍ଷରୁ ନୋଟିସ୍‌ ଗ୍ରହଣ କରାଯାଇ ନ ଥିବାରୁ ଚିଠି ଫେରିଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର