କଟକ ଘଟଣା ପରେ ଚେତା ପଶିଲା, ଜଗଦମ୍ବା ମେଡିକାଲରୁ ନକଲି ଔଷଧ ଜବତ

ବରଗଡ଼ : କଟକରୁ ବ୍ୟାପକ ନକଲି ଔଷଧ ଜବତ ହେବା ପରେ ବରଗଡ଼ରେ ଏବେ ଚେତା ପଶିଛି। ପୁଲିସ୍‌ ଉପସ୍ଥିତିରେ ଜଗଦମ୍ବା ମେଡିକାଲ୍‌ରେ ଚଢ଼ଉ କରା‌ଯାଇ ବ୍ୟାପକ ନକଲି ଔଷଧ ଜବତ ହୋଇଛି। ସମ୍ଭବତଃ କଟକରୁ ଏସବୁ ନକଲି ଔଷଧ ବରଗଡ଼କୁ ବି ଚାଲାଣ ହୋଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି। ଜବତ ନକଲି ଔଷଧ ମଧ୍ୟରେ ଟ୍ରିଟ୍‌-ବିଏଲ୍‌ ଟେବ୍‌ଲେଟ୍‌, ମେଡି-ଟେବ୍‌ ଏବଂ ଫେଡ୍‌ରେର୍‌-ଏସ୍‌ ବଟିକା ଥିବା ଜଣାପଡ଼ିଛି। ରିପୋର୍ଟ ଲେଖାଯିବା ଯାଏଁ ଚଢ଼ଉ ଏବଂ ତନାଘନା ଜାରି ରହିଛି। ତଦନ୍ତ ସରିବା ପରେ ସବୁ ତଥ୍ୟ ଦିଆଯିବ ବୋଲି ଡ୍ରଗ୍ ଇନ୍ସପେକ୍ଟର ସୁସ୍ମିତା ଦେହୁରି କହିଛନ୍ତି।

ତେବେ ଜିଲ୍ଲାରେ ନକଲି ଔଷଧ କାରବାର ଚାଲିଥିବା ନେଇ ପ୍ରଥମେ ଏଠାକାର ବିଭାଗୀୟ ଅଧିକାରୀ ଠଉରାଇ ପାରିଲେ ନାହିଁ କାହିଁକି? ବର୍ଷତମାମ୍‌ ଡ୍ରଗ୍‌ ଇନ୍‌ସପେକ୍ଟର ନିଜ ଅଭିଯାନ କାହିଁକି କରୁନାହାନ୍ତି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସାଧାରଣତଃ ବରଗଡ଼ରେ ଜଣେ ଡ୍ରଗ୍‌ ଇନ୍ସପେକ୍ଟର ଅଛନ୍ତି ବୋଲି ଅନେକଙ୍କୁ ଜଣାନାହିଁ। ଏବେ କଟକ ଘଟଣା ପରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ଆସିବା ପରେ ବରଗଡ଼ର ଡ୍ରଗ୍‌ ଇନ୍ସପେକ୍ଟର ପଦାକୁ ଗୋଡ଼ କାଢ଼ିଛନ୍ତି।

ସମ୍ବନ୍ଧିତ ଖବର