ସାରାରାଜ୍ୟକୁ ଲମ୍ବିଛି ନକଲି ଔଷଧ ଚେର!

ବାରିପଦା, ବଲାଙ୍ଗୀର, କଳାହାଣ୍ଡିରେ ଚଢ଼ଉ
ଜବତ୍‌ ନକଲି ଫେଭିମେକ୍ସ-୪୦୦ ପରୀକ୍ଷା ପାଇଁ ଯିବ କୋଲକାତା
ଅନ୍ୟ ଜବତ୍‌ ଔଷଧର ରାଜ୍ୟ ଲାବୋରୋଟାରିରେ ହେବ ପରୀକ୍ଷା
ପରୀକ୍ଷଣ, ରିପୋର୍ଟ ଆଳରେ ମାମଲା ପ୍ରଭାବିତ ହେବା ଆଶଙ୍କା!

କଟକ/ବାରିପଦା/ବଲାଙ୍ଗୀର/କେସିଙ୍ଗା/ଧର୍ମଗଡ଼ : କରୋନା କାଳରେ ନକଲି ଔଷଧ କାରବାର ଏବେ ଚର୍ଚ୍ଚାର ବ‌ିଷୟ ପାଲଟିଛି। କଟକରୁ ୭୦ ଲକ୍ଷ ଟଙ୍କାର ଔଷଧ ଜବତ ହେବାପରେ ରାଜ୍ୟର କେତେକ ସ୍ଥାନରେ ଯେଉଁ ଚଢ଼ାଉ କରାଯାଇଥିଲା, ସେଥିରୁ ଚାଞ୍ଚଲ୍ୟକର ତଥ୍ୟ ସାମ୍‌ନାକୁ ଆସିଛି। ନକଲି କାରବାରର ଚେର କଟକରୁ ସାରାରାଜ୍ୟକୁ ଲମ୍ବିଥିବା ସ୍ପଷ୍ଟ ହେବାରେ ଲାଗିଛି।

ଗତ ଶୁକ୍ରବାର ଦିନ କଟକ ତୁଳସୀପୁର କନିକା ଛକସ୍ଥିତ ଏକ ହୋଲ୍‌ସେଲ୍‌ ଗୋଦାମ ଉପରେ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ଓ ପୁଲିସ୍‌ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ୭୦ ଲକ୍ଷ ଟଙ୍କା ମୂଲ୍ୟର ୭ ପ୍ରକାର ନକଲି ଔଷଧ ଜବତ କରାଯାଇଥିଲା। ଲୋକଙ୍କ ଜୀବନ ସହ ଖେଳ ଖେଳାଯିବା ଭଳି ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଗତକାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ ହୋଇଛି।

ଗତକାଲି କଟକ  ମଙ୍ଗଳାବାଗ ମହ୍ଲାସାହିରେ ଥିବା ଏକ ହୋଲସେଲ କାଉଣ୍ଟରରେ ଚଢ଼ାଉ କରାଯାଇ ନକଲି ଔଷଧ ଜବତ କରାଯାଇଥିଲା। ଜବତ୍‌ ହୋଇଥିବା ବିଭିନ୍ନ ସୋଲାନସ୍ଥିତ ମ୍ୟାକ୍ସ ହେଲଥ୍‌ କେୟାର ଲିମିଟେଡର କିଛି ଔଷଧ ସହ ୫ପ୍ରକାର ଔଷଧର ନମୁନା ମଧ୍ୟ ପରୀକ୍ଷା ପାଇଁ ପଠାଯିବ। ‘ମେଡିଲିଓଡ୍‌ ମେଡିକାମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌’ ବ୍ରାଣ୍ଡରେ ଥିବା କିଛି ଔଷଧ ମଧ୍ୟ ଜବତ୍‌ କରାଯାଇଛି। ସିଡିଏର ଉକ୍ତ ସଂସ୍ଥାଦ୍ବାରା ଜଣେ ହୋଲସେଲର ରହିଥିବାବେଳେ ଡ୍ରଗ୍ଦ କଣ୍ଟ୍ରୋଲ ବିଭାଗ ମଧ୍ୟ ରାଜ୍ୟର କେଉଁ କେଉଁ ଜିଲ୍ଲାକୁ କନିକାଛକସ୍ଥିତ ହୋଲସେଲ ଗୋଦାମରୁ ଔଷଧ ଯାଇଛି, ତା’ ର ସମସ୍ତ ତଥ୍ୟ ସଂଗ୍ରହ କରି ସବୁ ଜିଲ୍ଲାକୁ ଓ ରାଜ୍ୟ ଭେଷଜ ନିୟନ୍ତ୍ରକଙ୍କୁ ଜଣାଇ ଦେଇଛନ୍ତି। ଏହି ଘଟଣାରେ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ କେବଳ ନମୁନା ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରାଯାଇଥିବାବେଳେ ଛୁଟି ଥିବାରୁ ମାମଲା ମଧ୍ୟ କୋର୍ଟରେ ଦାଖଲ ହୋଇପାରିନଥିବା ଜଣାପଡ଼ିଛି। ଏଭଳି ସ୍ଥିତିରେ ସଂସ୍ଥାର ମାଲିକ ଶିବ ପ୍ରସନ୍ନ ଜେନା ସବୁ ଔଷଧ ବିଲରେ କିଣିଥିବା ଓ ବିଲରେ ବିକ୍ରି କରିଥିବା ଓ ଓଡ଼ିଶା ବଜାରରେ ଗୋଟିଏ ବି ଫେବିମେକ୍ସ -୪୦୦ ବଟିକା ବିକ୍ରି କରିନଥିବା କହିବା ସହ ସେ ଖୋଲାଖୋଲିଭାବେ ଡ୍ରଗ୍ଦ କଣ୍ଟ୍ରୋଲ ବିଭାଗର ଜବତ୍‌ ପ୍ରକ୍ରିୟା ଓ ନକଲି ଔଷଧ ଘଟଣାକୁ ଚାଲେଞ୍ଜ କରିଛନ୍ତି। ଅନ୍ୟପଟେ ଯଦି ମହାରାଷ୍ଟ୍ରରେ ନକଲି ଔଷଧ ସବୁ ଜବତ୍‌ ହୋଇନଥାନ୍ତା ଓ ସେଥିରେ କଟକର ବ୍ୟବସାୟୀଙ୍କ ନାମ ଉଠିନଥାନ୍ତା, ତା’ହେଲେ ରାଜ୍ୟରେ ଏଭଳି ଔଷଧ କାରବାର ସଂପର୍କରେ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ସାମାନ୍ୟତମ ସୁରାକ ପାଇପାରିନଥା’ନ୍ତା। ଯାହାର ସୁଯୋଗ ନେଇ ବଜାରରେ ଏବେ ନକଲି କରୋନା ଔଷଧ ଭର୍ତ୍ତି ହୋଇଯାଇଥାନ୍ତା ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି।

ରାଜ୍ୟର କେଉଁ ସ୍ଥାନକୁ ଚେର ଲମ୍ବିଛି, ତାହାର ଖୋଳତାଡ଼ ପାଇଁ ଚଢ଼ାଉ କରାଯାଇଥିବା ଜଣାପଡ଼ିଛି। ଆଜି ବାରିପଦାର ଦୁଇ ପ୍ରମୁଖ ଷ୍ଟକିଷ୍ଟ୍‌ ସନ୍ତୋଷ ମେଡିକାଲ୍‌ ଏଜେନ୍ସି ଓ ସରସ୍ୱତୀ ଫାର୍ମାସୁଟିକାଲସ୍‌ଠାରୁ ୯୦ ହଜାରରୁ ଅଧିକ ଟଙ୍କାର ନକଲି ଔଷଧ ଜବତ କରାଯାଇଛି। ଜବତ ହୋଇଥିବା ଔଷଧ ସ୍ନିଜି-୫୦୦, ମେଡି-ଟିବିଆର୍‌ ଟାବଲେଟ୍‌ ଥଣ୍ଡା, ବ୍ୟଥା, ଫୁଲା ଆଦି ରୋଗ ପାଇଁ ବ୍ୟବହୃତ ହୋଇଥାଏ। ଏହି ବ୍ରାଣ୍ଡର ନକଲି ଔଷଧ ନିକଟରେ କଟକରୁ ଜବତ ହୋଇଥିଲା। ତେଣୁ କଟକରୁ ବାରିପଦାକୁ ଏ ସବୁ ଔଷଧ ଆସିଥିବା ଜଣାପଡ଼ିଛି। ଔଷଧର ପ୍ରସ୍ତୁତି ସମ୍ପର୍କରେ ଦିଆଯାଇଥିବା ତଥ୍ୟ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସୂଚନା ଦେଇଛନ୍ତି ମୟୂରଭଞ୍ଜ ଡ୍ରଗ୍‌ ଇନ୍ସପେକ୍ଟର ଡ.ଆର୍‌ଏନ ସାହୁ। ଏ ନେଇ ଡ୍ରଗ୍‌ ଆକ୍ଟ ୧୭ ବିସି ଆଧାରରେ ଆସନ୍ତାକାଲି ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ମାମଲା ରୁଜୁ କରାଯିବ ବୋଲି କହିଛନ୍ତି ଡକ୍ଟର ସାହୁ। ସେହିଭଳି, କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ଜୟହିନ୍ଦ ଟ୍ରେଡର୍ସ ଓ କେସିଙ୍ଗାର ବିଜୟ ଫାର୍ମାସ୍ୟୁଟିକାଲ୍‌ସରେ ସ୍ଥାନୀୟ ପୁଲିସ ଚଢ଼ଉ କରିଛି। ଉଭୟ ସ୍ଥାନରୁ ଔଷଧ ଓ କାଗଜପତ୍ର ଜବତ କରାଯାଇଛି। କେସିଙ୍ଗାରୁ ୧୪୦ ଷ୍ଟ୍ରିପ ସ୍ନିଜ ଓ ୧୦ ଷ୍ଟ୍ରିପ୍‌ ମେଡିଟିବିଆର୍‌ ଔଷଧ ଜବତ ହୋଇଛି। ଧର୍ମଗଡ଼ରୁ ୪୭ ପ୍ୟାକେଟ ସ୍ନିଜ ଔଷଧ ଜବତ ହୋଇଛି। ଏହି ଔଷଧ ଆଣ୍ଟିବାୟୋଟିକ୍‌ ଓ ଆଣ୍ଟିକୋଭିଡ କେୟାର ଭାବରେ ବ୍ୟବହାର ହେଉଥିଲା। କଟକର ସ୍ବାଗତ ଏଣ୍ଟରପ୍ରାଇଜେସରୁ ଏହି ଔଷଧ ଆସିଥିଲା। ଏହି ଔଷଧ ବିକ୍ରି ପାଇଁ ଫ୍ରି ସ୍କିମ୍‌ ଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ରାଜ୍ୟରୁ ନିର୍ଦେଶ ପରେ ଏସ୍‌ପି ଶ୍ରବଣା ବିବେକଙ୍କ ନିର୍ଦେଶକ୍ରମେ ନୂତନ ଆଇଆଇସି ସତ୍ୟ କୁମାର ନନ୍ଦ, ମାଜିଷ୍ଟ୍ରେଟ ବିଡିଓ ପ୍ରଫୁଲ୍ଲ ଓଡୁଙ୍କ ଉପସ୍ଥିତରେ ଚଢ଼ଉ ହୋଇଥିଲା। ଗତକାଲି ବଲାଙ୍ଗୀର ସୁଦପଡ଼ାସ୍ଥିତ ମୋଦୀ ଫାର୍ମାସ୍ୟୁଟିକାଲ ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ ମେଡିଲିୟଡ କମ୍ପାନିର ସିଏନ୍‌ଜେଡ୍‌ଇଇ ଆଣ୍ଟିକୋଲ୍‌ଡ ଔଷଧ ଉକ୍ତ ଫାର୍ମାସ୍ୟୁଟିକାଲ କଟକରୁ ମଗାଇଥିବା ଏବଂ ତାହାକୁ ତୁଷୁରା ଅଂଚଳର ଏକ ଦୋକାନକୁ ୪୦ପେଟି ଔଷଧ ଯୋଗାଣ କରିଥିବା ଜଣାପଡ଼ିଥିଲା। ତାହାର ନମୁନା ସଂଗ୍ରହ କରି ପଠାଯାଇଥିବା ଡ୍ରଗ୍ସ ଇନିସ୍ପେକ୍ଟର ବାବୁଲାଲ ଟୁଡୁ କହିଛନ୍ତି।

କଟକ ଲିଙ୍କ୍‌ରେ ସାରାରାଜ୍ୟରେ ଚଢ଼ଉ ଚାଲିଥିବାବେଳେ ବିଭିନ୍ନ ବ୍ରାଣ୍ଡର ବେନାମୀ ଔଷଧ ସବୁ ଏବେ ସାମ୍ନାକୁ ଆସିଛି। କଟକରୁ ଜବତ୍‌ ହୋଇଥିବା ୧୭ହଜାର ଫେଭିମେକ୍ସ-୪୦୦ ବଟିକାକୁ ପରୀକ୍ଷା ପାଇଁ ସେଣ୍ଟ୍ରାଲ ଡ୍ରଗ୍ସ ଲାବୋରେଟୋରି, କଲିକତାକୁ ପଠାଯିବ ଓ ଅନ୍ୟ ଔଷଧ ସବୁକୁ ରାଜ୍ୟ ଲାବୋରେଟୋରିକୁ ପଠାଯିବ ବୋଲି କଟକ ଡ୍ରଗ୍ସ ଇନ୍ସପେକ୍ଯର-୧ ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି। ନକଲି ଔଷଧ କାରବାର ନେଇ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଜାରି କରିଥିବାବେଳେ କଟକରେ ନକଲି ଔଷଧ ଜବତ ଘଟଣାରେ କ’ଣ ପାଇଁ ବିଭାଗ କେବଳ ମାମଲା ରୁଜୁ କରି ଚୁପ୍‌ ବସିଛି, ତାହା ବର୍ତ୍ତମାନ ପ୍ରଶ୍ନ ଘେରରେ। ଅନ୍ୟପଟେ ନମୁନା ସଂଗ୍ରହ ରିପୋର୍ଟ ଅପେକ୍ଷାରେ ତଥ୍ୟ ପ୍ରମାଣ ନଷ୍ଟ ଓ ଏହାକୁ ପ୍ରଭାବିତ କରିବାର ଆ‌ଶଙ୍କା ରହିବା ସହିତ ସଂପୃକ୍ତ ସଂସ୍ଥା ଖସିଯିବାର ଆଶଙ୍କା ଅଧିକ ରହିଛି। ଏଭଳି ସଙ୍ଗିନ ତଥା ସ୍ପର୍ଶକାତର ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଆଜୀବନ କାରଦାଣ୍ଡ ବ୍ୟବସ୍ଥା ଓ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ଆଇନରେ ରହିଥିବା ହାଇକୋର୍ଟର ଆଇନଜୀବୀ ଦେବସ୍ନାନ ଦାସ କହିଛନ୍ତି।

ସମ୍ବନ୍ଧିତ ଖବର