ନକଲି ଔଷଧ : କଠୋର ହେଲା ଔଷଧ ବ୍ୟାବସାୟିକ ସଂଘ, ନକଲି କାରବାର କରୁଥିଲେ ସମ୍ପର୍କ ଚ୍ଛିନ୍ନ

ସରକାର କଳା ତାଲିକାଭୁକ୍ତ କରିବା ପୂର୍ବରୁ ନିଷ୍ପତ୍ତି ନେଇଗଲା ସଂଘ
ମେଡିଲିଓଡ୍ ମେଡିକାମେଣ୍ଟ… ଉପରେ ଲଗାଇଲା କଟକଣା
କିଣିଥିବା ସବୁ ଔଷଧ ଡ୍ରଗ୍‌ସ କଣ୍ଟ୍ରୋଲ ବିଭାଗକୁ ହସ୍ତାନ୍ତର ହେବ

କଟକ : ନକଲି ଔଷଧ କାରବାର ଅଭିଯୋଗକୁ ନେଇ ଆଜି କଠୋର ଆଭିମୁଖ୍ୟ ଗ୍ରହଣ କରିଛି ରାଜ୍ୟ ଔଷଧ ବ୍ୟବସାୟୀ ସଂଘ। କଟକରେ ଚଢଉ ଆରମ୍ଭ ସମୟରେ ସଂଘ ଯେଉଁ ଆଭିମୁଖ୍ୟ ଗ୍ରହଣ କରିଥିଲା, ସେଥିରେ ପରିବର୍ତ୍ତନ କରିଛି। ସଂଘ ପକ୍ଷରୁ କୁହାଯାଇଥିଲା ଯେ ସଂସ୍ଥାର ନକଲି କାରବାର ପ୍ରମାଣିତ ହେଲେ, ତା’ସହିତ ସବୁ ବ୍ୟାବସାୟିକ ସଂପର୍କ ଛିନ୍ନ ହେବ। ଏହା କହିବା ସହିତ ସରକାର କୌଣସି ଠୋସ୍ ପ‌ଦକ୍ଷେପ ନେବା ପୂର୍ବରୁ ସଂଘ ଆଜି ‘ମେଡିଲିଓଡ୍ ମେଡିକାମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ’ ସହ ସବୁ ସଂପର୍କ ଛିନ୍ନ କରିଛି।

ରାଜ୍ୟ ଔଷଧ ବ୍ୟବସାୟୀ ସଂଘ ବା କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍‌ର ସଂପାଦକ ପ୍ରଶାନ୍ତ ମହାପାତ୍ରଙ୍କ କହିବା ଅନୁଯାୟୀ ମେଡିଲିଓଡ୍ ମେଡିକାମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ ରାଜ୍ୟରେ ଫାର୍ମା ବ୍ୟବସାୟ କରିପାରିବ ନାହିଁ। ସଂପୃକ୍ତ ସଂସ୍ଥା ଅଧୀନରେ ଥିବା ୪ଟି ସଂସ୍ଥାରୁ ରାଜ୍ୟର କୌଣସି ବ୍ୟବସାୟୀ ଔଷଧ କିଣିପାରିବେ ନାହିଁ। ରାଜ୍ୟର ଅନ୍ୟ ବ୍ୟାବସାୟିକ ସଂସ୍ଥା ଯାହା ବି ଔଷଧ ଉକ୍ତ ସଂସ୍ଥା‌ରୁ ନେଇଛନ୍ତି, ସେଗୁଡିକୁ ବଜାରରେ ବିକ୍ରି କରିପାରିବେ ନାହିଁ। ଯେଉଁ ଔଷଧ ବଳିଛି ତାହାକୁ ସେମାନେ ନିଜ ନିଜ ଜିଲ୍ଲାର ଡ୍ରଗ୍ସ କଣ୍ଟ୍ରୋଲ ଅଧିକାରୀଙ୍କ ନିକଟରେ ଦାଖଲ କରିବା ପାଇଁ ରାଜ୍ୟ ସଂଘ ସବୁ ଜିଲ୍ଲା ସଂଘକୁ ନିର୍ଦ୍ଦେଶ ଦେଇଛି। ଏହି କମ୍ପାନିରୁ ରାଜ୍ୟର ୧୪ଟି ଜିଲ୍ଲାକୁ ପାଖାପାଖି ୫୦ରୁ ୬୦ଲକ୍ଷ ଟଙ୍କାର ଔଷଧ ଯାଇଥିବା ସଂପର୍କରେ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।
ଅନ୍ୟପଟେ କଟକରୁ ନକଲି ଔଷଧ ଅଭିଯୋଗ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ଆରମ୍ଭ କରିଛି। ସଂପୃକ୍ତ ସଂସ୍ଥାକୁ କାହିଁକି କଳା ତାଲିକାଭୁକ୍ତ କରାଯିବ ନାହିଁ, ‌ସେ ସଂପର୍କରେ ତିନି ଦିନ ଭିତରେ ଉତ୍ତର ରଖିବାକୁ  ଉପଭେଷଜ ନିୟନ୍ତ୍ରକ ତଥା ଲାଇସେନ୍ସିଂ କର୍ତ୍ତୃପକ୍ଷ(ଡିଡିସି କମ୍‌ ଏଲ୍‌ଆଇ) ‘ମେଡିଲିଓଡ୍ ମେଡିକାମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ’କୁ କାରଣଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ମଧ୍ୟ କଟକ ସଦର ଏସ୍‌ଡିଜେଏମ୍‌ଙ୍କ ଅଦାଲତରେ ଔଷଧ ଜବତ୍ ଘଟଣାରେ ଦୁଇଟି ମାମଲା ରୁଜୁ କରିଛି। ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଉଥିବା ବେଳେ ‌ରାଜ୍ୟ ‌ଔଷଧ ବ୍ୟବସାୟୀ ସଂଘ ଏଭଳି ଆଗୁଆ ମେଡିଲିଓଡ୍ ମେଡିକାମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ ସଂସ୍ଥା ଓ ମାଲିକ ଶିବ ପ୍ରସନ୍ନ ଜେନାଙ୍କୁ କଳା ତାଲିକାଭୁକ୍ତ କରିବା ଘଟଣା ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।

ସୂଚନାଯୋଗ୍ୟ ଯେ ଗଲା ୧୧ ତାରିଖରେ କଟକ ତୁଳସୀପୁର କନିକାଛକସ୍ଥିତ ଏହି ସଂସ୍ଥା ଉପରେ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ ଚଢଉ କରାଯାଇ ୭୦ ଲକ୍ଷ ଟଙ୍କାର ଔଷଧ ଜବତ ସହିତ ୫ଟି ଔଷଧର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ତା’ ପରଦିନ ମଧ୍ୟ ମଙ୍ଗଳାବାଗର ଏକ ସଂସ୍ଥା ଉପରେ ବିଭାଗ ପକ୍ଷରୁ ଚଢଉ କରାଯାଇଥିଲା। ଏହି କାରବାରର ଚେର ଦେଶର ୪ଟି ରାଜ୍ୟ ଓ ଓଡ଼ିଶାର ୧୧ଟି ଜିଲ୍ଲାକୁ ମାଡି ଥିବା ପ୍ରାଥମିକ ଭାବେ କୁହାଯାଉଥିଲା।

ସମ୍ବନ୍ଧିତ ଖବର