ନକଲି ଔଷଧ ଧରପଗଡ଼ ଘଟଣା: ବିଭାଗ ଚୁପ୍‌, ଆନାଲିଟିକାଲ୍‌ ସାର୍ଟିଫିକେଟ୍‌ ମାଗିଲା ମହାସଂଘ

ପ୍ରଥମେ ୧୫୦, ପରେ ଆଉ ୪୨ ଔଷଧ କମ୍ପାନିକୁ ନୋଟିସ୍‌

କଟକ ନକଲି ଔଷଧ ଜବତ ଘଟଣାକୁ ପୂରିବ ଦେଢ଼ମାସ
ଆସିଲାନି ଲାବରେଟୋରି ପରୀକ୍ଷା ରିପୋର୍ଟ

କଟକ : ଓଡ଼ିଶା ବଜାରରେ ବେଧଡ଼କ ଚାଲିଛି ଶହ ଶହ କୋଟି ଟଙ୍କାର ଔଷଧ ବେପାର। ଜଣାପଡ଼ୁନି କିଏ ନକଲି, କିଏ ଅସଲି। ଏହି ଔଷଧ କଂପାନି ଉପରେ ଅଙ୍କୁଶ ଲଗାଇବାକୁ କେହି ନାହାନ୍ତି। କେଉଁ ‌କମ୍ପାନିର ଔଷଧ କେଉଁ ଅଂଚଳରେ ବିକ୍ରି ହେଉଛି ତାର ତଥ୍ୟ ଭେଷଜ ନିୟନ୍ତ୍ରକଙ୍କ ପାଖରେ ଯଦିଓ ରହିଛି, ତଥାପି ସେମା‌ନେ ଚୁପ୍‌। ତେବେ, ନକଲି ଔଷଧ ଧରପଗଡ଼ ଘଟଣା ପରେ ରାଜ୍ୟ ଔଷଧ ବ୍ୟବସାୟୀ ମହାସଂଘ ସେ ଭଳି କମ୍ପାନିକୁ ଟାର୍ଗେଟ୍‌ କରିଛି। ସେମାନଙ୍କ କହିବା କଥା ହେଲା, ବିନା ଆନାଲିଟିକାଲ୍‌ ସାର୍ଟିଫିକେଟ୍‌ରେ ରାଜ୍ୟରେ କୌଣସି କମ୍ପାନି ବ୍ୟବସାୟ କରିପାରିବେ ନାହିଁ। ତାହାକୁ ଆଧାର କରି ପ୍ରଥମେ ୧୫୦ କମ୍ପାନିକୁ ମହାସଂଘ ଆନିଲିଟିକାଲ ସାର୍ଟିଫିକେଟ୍‌ ମାଗିଥିବାବେଳେ ଏବେ ପୁଣି ସାମ୍ନାକୁ ଆସିଛନ୍ତି ଆହୁରି ୪୨ ଔଷଧ କମ୍ପାନି। ସେମାନେ ଉପାନ୍ତ ଓ ଗ୍ରାମାଞ୍ଚଳରେ ବ୍ୟବସାୟ କରୁଛନ୍ତି। ୪୨ କମ୍ପାନି ସେମାନଙ୍କ ଆନାଲିଟିକାଲ୍‌ ସାର୍ଟିଫିକେଟ୍‌ ତୁରନ୍ତ ଦାଖଲ କରିବା ପାଇଁ ମହାସଂଘ ପକ୍ଷରୁ ନୋଟିସ୍‌ ଜାରି କରାଯାଇଥିବା ସଂଘର ସଂପାଦକ ପ୍ରଶାନ୍ତ ମହାପାତ୍ର ସୂଚନା ଦେଇଛନ୍ତି।

ଏହି କମ୍ପାନିଗୁଡ଼ିକ ବିଶେଷ କରି ବଲାଙ୍ଗୀର, ମାଲକାନଗିରି, କୋରାପୁଟ, କଳାହାଣ୍ଡି, ସୋନପୁର, ‌ଦେବଗଡ଼, ନୂଆପଡ଼ା, ବୌଦ୍ଧ ଓ ଫୁଲବାଣୀ ଭଳି ଜିଲ୍ଲାର ଗ୍ରାମାଞ୍ଚଳ ବଜାରକୁ ନିଜ ନିୟନ୍ତ୍ରଣରେ ରଖିଛନ୍ତି। ଅନ୍ୟପଟେ ପ୍ରଥମେ ମଗାଯାଇଥିବା ୧୫୦ କମ୍ପାନି ମଧ୍ୟରୁ ୧୪୫ଟି କମ୍ପାନି ତାଙ୍କର ସାର୍ଟିଫିକେଟ୍‌ ଦାଖଲ କରିଥିବା ଜଣାପଡ଼ିଛି। ଅନ୍ୟପଟେ ଗତ ଜୁନ୍‌ ୧୧ ତାରିଖରେ ନକଲି ଔଷଧ କାରବାରକୁ ନେଇ କଟକର ମେଡିଲୟଡ୍‌ ମେଡିକାମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ଉପରେ ଚଢ଼ଉ କରାଯାଇ ୭୦ ଲକ୍ଷର ନକଲି ଔଷଧ ଜବତ କରାଗଲା। ଏହାର ନମୁନା ଜବତ କରି ସେଣ୍ଟ୍ରାଲ ଡ୍ରଗ୍ସ ଲାବୋରେଟୋରିକୁ ପରୀକ୍ଷା ପାଇଁ ପଠାଗଲା। କିଛି ନମୁନା ରାଜ୍ୟ ପରୀକ୍ଷାଗାରରେ ବି କରାଗଲା। ହେଲେ, ଘଟଣାକୁ ଦେଢ଼ମାସ ବିତିବାକୁ ବସିଥିବାବେଳେ ଆଜି ପର୍ଯ୍ୟନ୍ତ ଔଷଧର ନମୂନା ପରୀକ୍ଷା ରିପୋର୍ଟ ଆସିପାରିନି।

BORGEN Magazine

ରେକର୍ଡ ଅନୁଯାୟୀ ଓଡ଼ିଶାରେ ୫୫୦ ଔଷଧ କମ୍ପାନି ବ୍ୟବସାୟ କରୁଛନ୍ତି। ସେଥିରୁ ପ୍ରଥମ ପର୍ଯ୍ୟାୟରେ ୧୫୦ କମ୍ପାନି ନିୟମ ଅନୁଯାୟୀ କୌଣସି କାଗଜପତ୍ର ଦାଖଲ ନ କରି ବେପାର କରି ଆସୁଥିଲେ। ଏବେ ପୁଣି ୪୨ଟି କମ୍ପାନିକୁ ଧରିଛି ରାଜ୍ୟ ଔଷଧ ବ୍ୟବସାୟୀ ମହାସଂଘ। କଟକରେ ଜୁନ୍ ୧୧ ତାରିଖରେ ନକଲି ଔଷଧ କାରବାରକୁ ନେଇ ଚଢ଼ଉ ହେବା ଏବଂ ୭୦ ଲକ୍ଷ ଟଙ୍କାର ଔଷଧ ଜବତ ହେବା ଘଟଣା ପରେ ରାଜ୍ୟ ଔଷଧ ବ୍ୟବସାୟୀ ମହାସଂଘ ଉକ୍ତ ୧୫୦ କମ୍ପାନିକୁ ସେମାନଙ୍କ ଆନାଲିଟିକାଲ ସାର୍ଟିଫିକେଟ୍‌ ଦାଖଲ ପାଇଁ କହିଥିଲା। ସେମାନଙ୍କ ମଧ୍ୟରୁ ଆଜି ସୁଦ୍ଧା ୧୪୫ଟି କମ୍ପାନି ସାର୍ଟିଫିକେଟ୍‌ ଦାଖଲ କରିସାରିଥିବାବେଳେ ଏବେ ବି ୫ କଂପାନି ସେମାନଙ୍କ ସାର୍ଟିଫିକେଟ୍‌ ଦାଖଲ କରି ନାହାନ୍ତି।

ଏ କ୍ଷେତ୍ରରେ ଡ୍ରଗ୍‌ସ କଂଟ୍ରୋଲ ବିଭାଗର ନିରବତାକୁ ନେଇ ପ୍ରଶ୍ନ ଉଠୁଛି। ପ୍ରଥମେ ଆନାଲିଟିକାଲ୍‌ ସାର୍ଟିଫିକେଟ୍ ଦାଖଲ ପରେ ବ୍ୟବସାୟ କରିବାର ନିୟମ ଥିବା ବେଳେ ଏଭଳି କଂପାନିଙ୍କୁ ରାଜ୍ୟରେ ବ୍ୟବସାୟ ପାଇଁ ଛାଡ଼ି ଦିଆଯିବା ଘଟଣାରେ କିଏ ଉତ୍ତରଦାୟୀ ବୋଲି ପ୍ରଶ୍ନ ଉଠୁଛି। ତଥ୍ୟ ଅନୁଯାୟୀ ରାଜ୍ୟରେ ମାସକୁ ୪୫୦ କୋଟି ଟଙ୍କାର ଔଷଧ ବେପାର ହେଉଛି। ସେଥିରୁ କେବଳ ବଲାଙ୍ଗୀର, ମାଲକାନଗିରି, କୋରାପୁଟ, କଳାହାଣ୍ଡି, ସୋନପୁର, ‌ଦେବଗଡ, ନୂଆପଡା, ବୌଦ୍ଧ ଓ ଫୁଲବାଣୀରେ ଏହାର ୧୫ ରୁ ୨୦ ପ୍ରତିଶତ ବେପାର ହେଉଛି, ଯାହା କେବଳ ପ୍ରଚାରଧର୍ମୀ ଔଷଧ କମ୍ପାନି ଚଳାଇଛନ୍ତି। ଏପଟେ ଅନ୍‌ଲାଇନ୍‌ରେ ବି ଆକର୍ଷଣୀୟ ଉପହାର ଦେଇ ବଜାରକୁ କବ୍‌ଜାରେ ରଖିଛନ୍ତି କିଛି କମ୍ପାନି। ଏପରିକି ୪୦ ପ୍ରତିଶତ ପର୍ଯ୍ୟନ୍ତ ଔଷଧର ଦର ମଧ୍ୟ ଛାଡ଼ କରାଯାଉଛି। ରାଜ୍ୟର ଗ୍ରାମାଞ୍ଚଳ ଔଷଧ ବଜାରକୁ କିଛି ପ୍ରଚାରଧର୍ମୀ କମ୍ପାନି ନିଜ କବ୍‌ଜାରେ ରଖିଛନ୍ତି। ସେମାନଙ୍କ ଉପରେ କାହାର ନିୟନ୍ତ୍ରଣ ରହୁନି। ସେମାନେ ନିର୍ଦ୍ଦିଷ୍ଟ ବର୍ଗକୁ ଧରି ବର୍ଷ ବର୍ଷ ହେଲା ବେପାର ଚଳାଇଛନ୍ତି। ରାଜ୍ୟର ମାଲକାନଗିରି, କୋରାପୁଟ, କଳାହାଣ୍ଡି, ନୂ୍ଆପଡା, ବୌଦ୍ଧ, ଫୁଲବାଣୀ ଓ ବଲାଙ୍ଗୀର ଭଳି ଜିଲ୍ଲାର ଗ୍ରାମାଞ୍ଚଳକୁ ଏହିସବୁ କଂପାନି ଟାର୍ଗେଟ କରିଛନ୍ତି। ଉକ୍ତ ସ୍ଥାନଗୁଡିକରେ ନାମୀ କମ୍ପାନି ଆଣ୍ଠେଇ ପଡୁଥିବା ବେଳେ ସେଠାରେ ଏଭଳି କମ୍ପାନି କିନ୍ତୁ ୧୫ ରୁ ୨୦ ଲକ୍ଷ ଟଙ୍କାର ବେପାର ଚଳାଇଛନ୍ତି। ଯେଉଁ ଅଭିଯୋଗରେ କଟକର ମେଡିଲୟଡ଼୍ ମେଡିକାମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ଉପରେ ଚଢ଼ଉ କରାଯାଇ ନକଲି ଔଷଧ ଜବତ ହେଲା ଏବଂ ୪/୫ ଦିନ ଜୋରଦାର ଚଢ଼ଉ ହେଲା, ତା’ ପରଠାରୁ ରାଜ୍ୟ ଡ୍ରଗ୍‌ସ କଂଟ୍ରୋଲ ବିଭାଗ ପୂରା ଚୁପ୍ କାହିଁକି? କିଏ ଏଭଳି ଆନାଲିଟିକାଲ୍‌ ରିପୋର୍ଟ ଦେଉ ନଥିବା କଂପାନିକୁ ଜଗିବ ବୋଲି ପ୍ରଶ୍ନ ଉଠିଲାଣି।

ସମ୍ବନ୍ଧିତ ଖବର