ନକଲି ଔଷଧ କାରବାର ମାମଲା: ମୁଖ୍ୟ ଅଭିଯୁକ୍ତ ଶିବ ଜେନାଙ୍କ ସମେତ ତିନି ଜଣ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ

କଟକ : ନକଲି ଔଷଧ କାରବାର ମାମଲାରେ ମେଡିଲୟେଡ ମେଡିକାମେଣ୍ଟର ପରିଚାଳନା ନିର୍ଦ୍ଦେଶକ ଶିବ ପ୍ରସନ୍ନ ଜେନା, ମ୍ୟାନେଜର ପ୍ରୀତିରଂଜନ ପରିଡା ଓ ଗୋଡାଉନ ଇନ-ଚାର୍ଜ ସତ୍ୟପ୍ରକାଶ ମହାନ୍ତି ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ପୂର୍ବରୁ ୨୦୨୧, ସେପ୍ଟେମ୍ବର ୧୪ରେ ହାଇକୋର୍ଟରେ ପ୍ରୀତିରଂଜନ ଓ ସତ୍ୟପ୍ରକାଶଙ୍କ ଜାମିନ ଖାରଜ ହୋଇଥିବା ବେଳେ କମ୍ପାନିର ନିର୍ଦ୍ଦେଶିକା ଶୁଭଲକ୍ଷ୍ମୀ ଜେନାଙ୍କୁ ସର୍ତ୍ତମୂଳକ ଜାମିନ ମିଳିଥିଲା। ଏହାପରେ ପ୍ରୀତିରଂଜନ, ସତ୍ୟପ୍ରକାଶ ଦୌରା ଅଦାଲତରେ ଜାମିନ ପାଇଁ ପୁଣି ଦାୟର କରିଥିବା ଆବେଦନ ଖାରଜ ହୋଇଥିଲା। ସେହିଭଳି ଭାବେ ଶିବଙ୍କ ଜାମିନ ମଧ୍ୟ ଦୌରା ଅଦାଲତରେ ଅଗ୍ରାହ୍ୟ ହୋଇଥିଲା। ଏହାପରେ ତିନି ଅଭିଯୁକ୍ତ ହାଇକୋର୍ଟରେ ପୃଥକ ଜାମିନ ଆବେଦନ ଦାୟର କରିଛନ୍ତି।

ଅନ୍ୟପକ୍ଷରେ ନକଲି ଔଷଧ କାରବାର ଘଟଣାକୁ ନେଇ ନିମ୍ନ ଅଦାଲତରେ ବିଚାରାଧୀନ ମାମଲାର ଶୁଣାଣି ଉପରେ ରହିତାଦେଶ ବଳବତ୍ତର ରହିଛି। ମୁଖ୍ୟ ଅଭିଯୁକ୍ତ ଶିବ ପ୍ରସନ୍ନ ଜେନାଙ୍କ ଆବେଦନର ୨୦୨୧, ନଭେମ୍ବର ୧୧ରେ ଶୁଣାଣି କରି କଟକ ଦୌରା ଜଜ୍ ତଥା ସ୍ବତନ୍ତ୍ର ଅଦାଲତରେ ବିଚାରାଧୀନ ମାମଲାର ଶୁଣାଣି ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ। ଏହି ରହିତାଦେଶ ବଳବତ୍ତର ରହିଥିବା ବେଳେ ଏ ସଂପର୍କିତ ମାମଲାର ହାଇକୋର୍ଟରେ ଜାନୁଆରି ୩ରେ ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ନକଲି ଔଷଧ କାରବାର ମାମଲାରେ କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଅଭିଯୁକ୍ତ ମେଡିଲୟେଡ ମେଡିକାମେଣ୍ଟର ପରିଚାଳନା ନିର୍ଦ୍ଦେଶକ ଶିବ ପ୍ରସନ୍ନ ଜେନା, ନିର୍ଦ୍ଦେଶିକା ଶୁଭଲକ୍ଷ୍ମୀ ଜେନା, ମ୍ୟାନେଜର ପ୍ରୀତିରଂଜନ ପରିଡା ଓ ଗୋଡାଉନ ଇନ-ଚାର୍ଜ ସତ୍ୟପ୍ରକାଶ ମହାନ୍ତିଙ୍କୁ ଗିରଫ କରିଥିଲା। ଏହି କାରବାରର ଚେର ବାହାର ରାଜ୍ୟକୁ ଲମ୍ବିଥିବା ବେଳେ ଏସଟିଏଫ ତଦନ୍ତ ପାଇଁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ଜେରା ମଧ୍ୟ କରିଥିଲା।

ସମ୍ବନ୍ଧିତ ଖବର