କଟକ : ନକଲି ଔଷଧ କାରବାର ମାମଲାରେ ହାଇକୋର୍ଟ କେସ୍ ଡାଏରି ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ମେଡିଲୟେଡ୍ ମେଡିକାମେଣ୍ଟ୍ର ନିର୍ଦ୍ଦେଶିକା ଶୁଭଲକ୍ଷ୍ମୀ ଜେନା ଓ ଗୋଦାମ ଇନଚାର୍ଜ ସତ୍ୟପ୍ରକାଶ ମହାନ୍ତିଙ୍କ ଜାମିନ ଆବେଦନର ପୃଥକ ଶୁଣାଣି କରି କେସ୍ ଡାଏରି ସହିତ ତଦନ୍ତର ସାନି ସ୍ଥିତି ସଂପର୍କିତ ତଥ୍ୟ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଖଣ୍ଡପୀଠ ଅଗଷ୍ଟ ତୃତୀୟ ସପ୍ତାହରେ ଏ ସଂପର୍କିତ ଜାମିନ ଆବେଦନର ପରବର୍ତ୍ତୀ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ନକଲି ଔଷଧ କାରବାର ମାମଲାରେ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଅଭିଯୁକ୍ତ ମେଡିଲୟେଡ୍ ମେଡିକାମେଣ୍ଟ୍ର ପରିଚାଳନା ନିର୍ଦ୍ଦେଶକ ଶିବ ପ୍ରସନ୍ନ ଜେନା, ନିର୍ଦ୍ଦେଶିକା ଶୁଭଲକ୍ଷ୍ମୀ ଜେନା, ମ୍ୟାନେଜର ପ୍ରୀତିରଂଜନ ପରିଡ଼ା ଓ ଗୋଦାମ ଇନଚାର୍ଜ ସତ୍ୟପ୍ରକାଶ ମହାନ୍ତିଙ୍କୁ ଗିରଫ କରିଥିଲା। ନିମ୍ନ ଅଦାଲତରେ ଜାମିନ ଆବେଦନ ଖାରଜ ହେବା ପରେ ମେଡିଲୟେଡ୍ ମେଡିକାମେଣ୍ଟ୍ର ନିର୍ଦ୍ଦେଶିକା ଶ୍ରୀମତୀ ଜେନା ଓ ଗୋଦାମ ଇନଚାର୍ଜ ଶ୍ରୀ ମହାନ୍ତି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।