ମାଲକାନଗିରି: ଛତିଶଗଡ଼ର କାଂକେର ଜିଲ୍ଲାରେ ଗତ ୧୦ ତାରିଖରେ ହୋଇଥିବା ଏନକାଉଣ୍ଟର ଫେକ ବୋଲି ଆଦିବାସୀ ସଂଘ ଅଭିଯୋଗ କରିଛି। ଏହାକୁ ବିରୋଧ କରି ମଙ୍ଗଳବାର ଆଦିବାସୀ ସଂଘ ବିଜାପୁର ଓ କାଂକେର ଜିଲ୍ଲା ବନ୍ଦ ଡାକରା ଦେଇଛି, ଯାହାକି ସଂପୂର୍ଣ୍ଣ ସଫଳ ହୋଇଛି। ପିଡିୟା ଜଂଗଲରେ ଯବାନ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଥିବା ନେଇ ପୁଲିସ ସୂଚନା ଦେଇଥିଲା। ଏହି ଗୁଳିବିନିମୟରେ ୮ ଜଣ ନକ୍ସଲ ମୃତ୍ୟୁବରଣ କରିଥିବା ଗଣମାଧ୍ୟମ ଆଗରେ ସୂଚନା ଦିଆଯାଇଥିଲା।
ତେବେ ଆଦିବାସୀ ସଂଘ ଅଭିଯୋଗ କରିଛି ଯେ ଜଂଗଲରେ ଆଦିବାସୀମାନେ କେନ୍ଦୁପତ୍ର ତୋଳୁଥିବା ବେଳେ ଯବାନ ଅଚାନକ ଚଢାଉ କରିଥିଲେ। ଯବାନଙ୍କୁ ଦେଖି କେନ୍ଦୁପତ୍ର ତୋଳାଳିମାନେ ଦୌଡି ପଳାଇଥିଲେ। ସମସ୍ତଙ୍କୁ ଯବାନ ଗୁଳି କରିଥିଲେ। ଲୋକମାନେ ଆମେ ସାଧାରଣ ଲୋକ ବୋଲି ଯେତେ କହିଲେ ମଧ୍ୟ ସମସ୍ତଙ୍କୁ ଧରି ହତ୍ୟା କରିଥିଲେ। ଏପରିକି ବହୁ ଲୋକ ଜଂଗଲରେ ଦୌଡ଼ି ପଳାଇଯାଇଥିଲେ ତ କିଛି ବୁଦାରେ ଲୁଚି ରହିଥିଲେ। ଆଉ କିଛି ଗଛ ଉପରେ ଚଢ଼ିଯାଇଥିଲେ।
ତେବେ ଯବାନ ଗଛ ଉପରେ ଚଢିଥିବା ତାତି ସୁକ୍କୁ ନାମକ ଜଣେ ବ୍ୟକ୍ତିକୁ ଗୁଳି ମାରି ହତ୍ୟା କରିଥିଲେ। ଗଛ ଉପରେ ହିଁ ତାତି ସୁକ୍କୁର ଶବ ରହିଥିଲା। ପରେ ଯବାନ ଶବକୁ ଗଛରୁ ଓହ୍ଲାଇଥିଲେ। ଗଣମାଧ୍ୟମ ଆଗରେ ୫ ଲକ୍ଷ ଟଂକାର ନକ୍ସଲ ମୃତ୍ୟୁବରଣ କଲା ବୋଲି କହିଥିଲେ। କିନ୍ତୁ ଯେଉଁ ନକ୍ସଲ ନାମରେ ପୁଲିସ କହୁଥିଲା ସେହି ନକ୍ସଲ ଜୀବିତ ଥିବା ସହ ଜେଲରେ ଭର୍ତ୍ତି ହୋଇଛି ବୋଲି ଆଦିବାସୀ ସଂଘ ଅଭିଯୋଗ କରିଛି।
ସେହିପରି ଆବୁଝମାଡ଼ ଜଂଗଲରେ ମଧ୍ୟ ଯବାନ ସର୍ଚ୍ଚ ଅପରେସନ କରୁଥିଲେ।ଜଂଗଲ ରାସ୍ତା ଦେଇ ଦୁଇ ଗ୍ରାମବାସୀ ଘରକୁ ଆସୁଥିବା ବେଳେ ନକ୍ସଲ ସେମାନଙ୍କ ଉପରେ ଗୁଳି କରିଥିଲେ। ଦୁଇ ଜଣଙ୍କୁ ଗୁଳି ବାଜିଥିଲା। ସୋନୁ ନାମକ ଜଣେ ଯୁବକକୁ ପେଟରେ ଗୁଳି ବାଜିଥିବା ବେଳେ ଅନ୍ୟ ଜଣେ ଯୁବକକୁ ପିଠିରେ ଏବଂ ହାତରେ ଗୁଳି ବାଜିଥିଲା। ଦୁଇ ଜଣ କୌଣସି ପ୍ରକାରେ ଘରେ ପହଞ୍ଚିଥିଲେ। ସୋନୁ ଘରେ ପହଞ୍ଚିବାରୁ ୨୪ ଘଣ୍ଟା ପରେ ମୃତ୍ୟୁବରଣ କରିଥିଲା। ସୋନୁର ଚିକିତ୍ସା ଘରେ ପରିବାର ଲୋକେ ଗୁଣିଆକୁ ଧରି କରିଥିଲେ, ଯାହାଫଳରେ ତାର ମୃତ୍ୟୁ ହୋଇଥିଲା। ତେବେ ଏହି ଦୁଇ ଜଣ ଗ୍ରାମବାସୀ ବୋଲି କୁହାଯାଇଛି।