ନକଲି ପରୀକ୍ଷାର୍ଥୀ ଗିରଫ ମାମଲା : ରିମାଣ୍ଡ ପରେ ଜେଲ୍‌ ଫେରିଲେ ୪ ଅଭିଯୁକ୍ତ

ରାଜ୍ୟ ବାହାରକୁ ଯିବ ଟିମ୍‌, ଗୋପ୍‌ରୁ ଗିରଫ ହେଲା ମୂଳ ପରୀକ୍ଷାର୍ଥୀ

ଭୁବନେଶ୍ୱର : ୧୯ ତାରିଖରେ ଅନୁଷ୍ଠିତ ଓୟୁଏଟି ପ୍ରବେଶିକା ପରୀକ୍ଷାରେ ଗିରଫ ନକଲି ପରୀକ୍ଷାର୍ଥୀ ସମେତ ଅନ୍ୟ ତିନି ଦଲାଲଙ୍କ ରିମାଣ୍ଡ ଅବଧି ଶେଷ ହୋଇଛି। ଦୁଇଦିନିଆ ରିମାଣ୍ଡ ଶେଷ ହେବା ପରେ ଆଜି ଖଣ୍ଡଗିରି ଥାନା ପୁଲିସ ଅଭିଯୁକ୍ତ ଜୟପୁର ନେସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଆୟୁର୍ବେଦର ପ୍ରଥମ ବର୍ଷ ଛାତ୍ର ଆଦର୍ଶ ଚୌଧୁରୀ ସମେତ ତିନି ଦଲାଲ ଝାରଖଣ୍ଡ ଧାନବାଦ୍‌ର ଅମିତ କୁମାର ସିଂହ, ଗଞ୍ଜାମ କାମପଡ଼ାର ରଣଜିତ ବେଉରା ଓରଫ ପିଣ୍ଟୁ ଓ ବିହାର ଛାପ୍‌ରାର ଅମିୟ ଭୂଷଣଙ୍କୁ କୋର୍ଟ ଚାଲାଣ କରିଛି। ଏମାନଙ୍କ ଠାରୁ ଅନେକ ତଥ୍ୟ ହାସଲ ହୋଇଥିବା ବେଳେ ଖସି ଯାଇଥିବା ଦଲାଲର ସନ୍ଧାନ ମିଳିଛି। ଖୁବ୍‌ଶୀଘ୍ର ଏହି ଦଲାଲକୁ ଧରିବା ପାଇଁ ଦୁଇଟି ଟିମ୍‌ ରାଜ୍ୟ ବାହାରକୁ ଯିବ ବୋଲି କହିଛନ୍ତି ଡିସିପି ଅନୁପ କୁମାର ସାହୁ। ତା’ ସହିତ ଓଡ଼ିଶାରେ କେଉଁମାନେ ଏହି ରୢାକେଟ ଚଳାଉଛନ୍ତି ସେ ନେଇ ମଧ୍ୟ ଅନେକ ସୂଚନା ପୁଲିସର ହସ୍ତଗତ ହୋଇଛି। ଏହି ଦଲାଲଙ୍କ ସମେତ ଆହୁରି ଅନେକ ଏହି ରୢା‌କେଟ୍‌ରେ ରହିବା ସହ କେବଳ ଓୟୁଏଟି ନୁହେଁ, ବରଂ ଅନ୍ୟ ପ୍ରବେଶିକା ପରୀକ୍ଷାରେ ଏହି କାରବାର ଚାଲିଥିବା ଜଣାପଡ଼ିଛି। ଏହା ପରେ ଓଡ଼ିଶା ଦଲାଲଙ୍କ ଉପରେ ଚଢ଼ଉ ହେବ ବୋଲି ସେ ସୂଚନା ଦେଇଛନ୍ତି।

ଖୋଳତାଡ଼ ବେଳେ ପୁଲିସ ଆହୁରି ଅଧିକ ତଥ୍ୟ ହାସଲ କରିଛି। ଯେଉଁ ମୂଳ ପରୀକ୍ଷାର୍ଥୀଙ୍କ ପାଇଁ ଏହି ନକଲି ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିଲେ ତାଙ୍କୁ ଖଣ୍ଡଗିରି ପୁଲିସ ଗିରଫ କରିଛି। ସେ ହେଉଛନ୍ତି ପୁରୀ ଜିଲ୍ଲା ଗୋପ ବ୍ଲକ ରୁପାସା ଗ୍ରାମର ଯୁଧିଷ୍ଠିର ମଲ୍ଲିକ। ୭ ଦିନ ଧରି ବିଭିନ୍ନ ସମୟ‌ରେ ତାଙ୍କ ଘର ଓ ବିଭିନ୍ନ ବନ୍ଧୁବାନ୍ଧବଙ୍କ ଘରେ ଚଢ଼ଉ କରାଯାଇଥିଲେ ମଧ୍ୟ ସେ ଫେରାର ଥିଲା। ଗତକାଲି ରାତିରେ ସେ ଘରକୁ ଫେରିଥିବା ଖବର ପାଇ ଖଣ୍ଡଗିରି ପୁଲିସ ଚଢ଼ଉ କରିଥିଲା। ଆଜି ସକାଳେ କୋର୍ଟ ଚାଲାଣ କରାଯାଇଛି। ତେବେ ରିମାଣ୍ଡରେ ଆସିଥିବା ୪ ଅଭିଯୁକ୍ତ ଓ ଅସଲି ପରୀକ୍ଷାର୍ଥୀଙ୍କୁ ମୁହାଁମୁହିଁ ଜେରା କରାଯାଇଥିଲା। ଏହାଦ୍ବାରା ଅନେକ ତଥ୍ୟ ପୁଲିସକୁ ମିଳିଛି। ଏହାକୁ ଆଧାର କରି ରୢାକେଟ୍‌ର ମୂଳ ପର୍ଯ୍ୟନ୍ତ ଯିବା ସମ୍ଭବ ହୋଇପାରିବ ବୋଲି ପୁଲିସ ଆଶା କରିଛି।

ସୂଚନାଯୋଗ୍ୟ ଯେ, ପୁରୀ ଜିଲ୍ଲା ଗୋପ ବ୍ଲକ ରୁପାସା ଗ୍ରାମର ଯୁଧିଷ୍ଠିର ମଲ୍ଲିକ ଓୟୁଏଟି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରିଥିଲେ। ନକଲି ପରୀକ୍ଷାର୍ଥୀଙ୍କ ସହାୟତାରେ ଏହି ପ୍ରବେଶିକା ପରୀକ୍ଷା ପାସ୍‌ କରିବା ଚକ୍କରରେ ସିଜୁଆସ୍ଥିତ ଏନ୍‌ଏମ୍‌ଆଇଇଟିର ମାକେର୍ଟିଂ ଷ୍ଟାଫ୍‌ ରଣଜିତ କୁମାର ବେଉରାଙ୍କ ସହଯୋଗ ଲୋଡ଼ିଥିଲେ। ଏହି ସଂସ୍ଥାର ଅନ୍ୟ ଜଣେ କର୍ମଚାରୀ ଅମିତ ସିଂହଙ୍କ ସହ ମିଶି ରଣଜିତ ବିହାରର ଦଲାଲ ଅମିୟ ଭୂଷଣଙ୍କୁ ଯୋଗାଯୋଗ କରିଥିଲେ। ଶେଷରେ ନକଲି ପରୀକ୍ଷାର୍ଥୀ ଆଦର୍ଶ ଚୌଧୁରୀ ଠିକ୍‌ ହୋଇଥିଲେ। ଏଥିପାଇଁ ଯୁଧିଷ୍ଠିର ୫ ଲକ୍ଷ ଟଙ୍କା ଦେଇଥିଲେ। ନକଲି ପରୀକ୍ଷାର୍ଥୀଙ୍କ ସମେତ ଖଣ୍ଡଗିରି ପୁଲିସ ୪ ଜଣଙ୍କୁ ଗିରଫ କରିଥିବା ବେଳେ ବଡ଼ଗଡ଼ ଥାନା ପୁଲିସ ଜଣେ ନାବାଳକକୁ ଧରିଥିଲା। ଆଉ ୪ ଜଣ ପରୀକ୍ଷା ଦେଇ ଖସି ଯାଇଥିଲେ। ରାଜ୍ୟ ବାହାରର ମୁଖ୍ୟ ଦଲାଲ ମଧ୍ୟ ଖସି ଯାଇଥିଲା।

ସମ୍ବନ୍ଧିତ ଖବର