ବଲାଙ୍ଗୀର: ବିଶ୍ବବିଦ୍ୟାଳୟରୁ ସାର୍ଟିଫିକେଟ୍ ଆସିବ। ଏଥିପାଇଁ ପରୀକ୍ଷା ଦେବାକୁ ହେବ। ନହେଲେ ବିଶ୍ବବିଦ୍ୟାଳୟ ସାର୍ଟିଫିକେଟ୍ ଦେବ ନାହିଁ। ଲୋକଙ୍କୁ ସତସତିକା ବିଶ୍ବବିଦ୍ୟାଳୟରୁ ସାର୍ଟିଫିକେଟ୍ ଆସିବ କହି ଭୁଆଁ ବୁଲାଉଥିଲେ ମନୋଜ ମିଶ୍ର ଓ ଆଲୋକ ଉଦ୍ଗାତା। ଆଉ ନକଲି ସାର୍ଟିଫିକେଟ ପାଇଁ କୋଚିଂ ସେଣ୍ଟରରେ ହିଁ ନକଲି ପରୀକ୍ଷା କରାଉଥିଲେ। ପରୀକ୍ଷାର୍ଥୀ ଦେଉଥିଲେ ସେହି ପରୀକ୍ଷା। ଅନ୍ଲାଇନ ପରୀକ୍ଷା ଦେବାକୁ କୁହାଯାଉଥିଲା। ପରୀକ୍ଷାରେ କାଳେ କିଏ କମ୍ ମାର୍କ ରଖିବ ବୋଲି କହି ନକଲି ପରୀକ୍ଷାର୍ଥୀଙ୍କୁ ବି କମ୍ପ୍ୟୁଟର ସାମ୍ନାରେ ବସାଯାଉଥିଲା। ଆଉ କମ୍ପ୍ୟୁଟରରେ ପୂର୍ବରୁ ଫିଡ୍ ହୋଇଥିବା ପ୍ରଶ୍ନପତ୍ରରେ ପରୀକ୍ଷା କରାଯାଉଥିଲା। ଏଭଳି ଢଙ୍ଗରେ ଲୋକଙ୍କୁ ଭୁଆଁ ବୁଲାଇ ଲକ୍ଷ ଲକ୍ଷ ଟଙ୍କାରେ ସାର୍ଟିଫିକେଟ୍ ବିକ୍ରି କରୁଥିଲେ ମନୋଜ ଓ ଆଲୋକ। ଏ ସଂକ୍ରାନ୍ତରେ କ୍ରାଇମବ୍ରାଞ୍ଚ ସୂଚନା ପାଇବା ପରେ ସେହି ଦିଗରେ ବି ପ୍ରମାଣ ସଂଗ୍ରହ କରିଛି।
ମିଳିଥିବା ସୂଚନାରୁ ଜଣାଯାଇଛି ଯେ, ପରୀକ୍ଷା ପାଇଁ ପ୍ରଶ୍ନପତ୍ର ପ୍ରସ୍ତୁତ କରିବାକୁ ବିଭିନ୍ନ ବିଶ୍ବବିଦ୍ୟାଳୟର ପୁସ୍ତକ କୋଚିଂ ସେଣ୍ଟରରୁ କ୍ରାଇମବ୍ରାଞ୍ଚ ଟିମ୍ ଜବତ କରିଛି। ତଦନ୍ତର ଅଗ୍ରଗତି ନେଇ କ୍ରାଇମବ୍ରାଞ୍ଚ ଡିଏସ୍ପି ଦେବବ୍ରତ ଚକ୍ର କହିଛନ୍ତି, ଆମେ ବହୁତ ପ୍ରମାଣ ପାଇସାରିଛୁ। ଏବେବି ପ୍ରମାଣ ସଂଗ୍ରହ ଚାଲୁଛି। ଉପରୁ ଯାହା ନିର୍ଦ୍ଦେଶ ଆସିବ ସେହିକ୍ରମରେ ଆଗକୁ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି। ଏଯାଏଁ ବଲାଙ୍ଗୀର ନକଲି ସାର୍ଟିଫିକେଟ୍ ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଗିରଫଦାରୀ ହୋଇ ନାହିଁ। ପୁଲିସ ମାଷ୍ଟରମାଇଣ୍ଡ ମନୋଜ ଓ ଆଲୋକ ସହ ଯେଉଁ ୧୯ ଜଣଙ୍କୁ କୋର୍ଟଚାଲାଣ କରିଥିଲା, ସେତିକିରେ ହିଁ ସୀମିତ ରହିଛି ଗିରଫଦାରୀ। ପୁଲିସ ମାମଲା ରୁଜୁ କରିବାର ଦୁଇ ଦିନ ଭିତରେ ୧୭ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ହେଲେ କ୍ରାଇମବ୍ରାଞ୍ଚ ଦୁଇ ସପ୍ତାହ ପାଖାପାଖି ତଦନ୍ତ ପରେ ବି ମାମଲାରେ ସଂପୃକ୍ତ ଅନ୍ୟମାନଙ୍କୁ ଗିରଫ କରି ନାହିଁ। କେତେ ଜଣଙ୍କୁ ପଚରାଉଚରା ପାଇଁ ଆଣୁଛି ଓ ପୁଣି ଛାଡ଼ି ଦେଉଛି। ଯାହାକୁ ନେଇ ଏବେ କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ଜନସାଧାରଣ ପ୍ରଶ୍ନ ଉଠାଇବା ଆରମ୍ଭ କଲେଣି।
କ୍ରାଇମବ୍ରାଞ୍ଚ ଅନ୍ୟ ମାମଲା ଭଳି ଏହି ମାମଲାକୁ ଚପାଇ ଦେବନି ତ? ମନୋଜ ନେଟ୍ୱର୍କରେ ଥିବା ଅନ୍ୟମାନେ ଧରାପଡ଼ିବେ ନା ଖସିଯିବେ? ସାରା ରାଜ୍ୟର ବିଭିନ୍ନ ଜିଲ୍ଲା ଓ ରାଜ୍ୟ ବାହାରର ୧୦ରୁ ଅଧିକ ରାଜ୍ୟକୁ ବଲାଙ୍ଗୀରରୁ ନକଲି ସାର୍ଟିଫିକେଟ ଚେର ଲମ୍ବିଥିବା ବେଳେ ଏହାର ଖୁଲାସା କରିବାକୁ ଆଉ କେତେ ଦିନ କ୍ରାଇମବ୍ରାଞ୍ଚ ସମୟ ନେବ? ଏଯାଏଁ କ୍ରାଇମବ୍ରାଞ୍ଚ ଟିମ୍ ବାହାର ରାଜ୍ୟକୁ ବି ଯାଇନି। ବିଗତ ଦିନରେ କ୍ରାଇମବ୍ରାଞ୍ଚର ଅଧିକାରୀ ଗଣମାଧ୍ୟମରେ ବାହାର ରାଜ୍ୟକୁ ଟିମ୍ ଯିବ ବୋଲି ବହୁବାର କହିଛନ୍ତି। କିନ୍ତୁ ଆଜି ଯାଏଁ କୌଣସି ଟିମ୍ ବାହାର ରାଜ୍ୟକୁ ଯାଇ ବି ତଦନ୍ତ କରିନି। ଆଉ ଏବେ ସବୁ ଦିଗରୁ ପ୍ରଶ୍ନ ଉଠିବା ପରେ କ୍ରାଇମବ୍ରାଞ୍ଚ ଟିମ୍ ଅନେକ ପ୍ରମାଣ ହାତରେ ଲାଗିସାରିଛି କହି ଅନ୍ୟ କୌଣସି ପ୍ରତିକ୍ରିୟା ବି ରଖୁ ନାହାନ୍ତି।
ସିବିଆଇ ତଦନ୍ତ ହେଉ: ବିଜେପି
ଭୁବନେଶ୍ୱର: ବର୍ଷ ବର୍ଷ ଧରି ଜାଲ ସାର୍ଟିଫିକେଟ ପ୍ରସ୍ତୁତ କରୁଥିବା ରୢାକେଟର ମୁଖ୍ୟ ମନୋଜ ମିଶ୍ର ହେଉଛନ୍ତି ବିଜେଡି ଆଇଟି ସେଲ୍ର ପୂର୍ବତନ ବଲାଙ୍ଗୀର ଜିଲ୍ଲା ମୁଖ୍ୟ। ମନୋଜଙ୍କ ସହ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ, ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ, ସ୍ୱର୍ଗତ ନବ ଦାସ, ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଫଟୋ ରହିଛି। ବିଜେଡିରେ ରହି ମନୋଜ ମିଶ୍ର ଓ ତାଙ୍କର ସହଯୋଗୀ ନକଲି ସାର୍ଟିଫିକେଟ ପ୍ରସ୍ତୁତ କରୁଥିଲେ। ନକଲି ସାର୍ଟିଫିକେଟ୍ ଘଟଣା ଧରାପଡ଼ିବାର ୧୭ରୁ ୧୮ଦିନ ହେଲାଣି। ହେଲେ ଏହି ଘଟଣାରେ କେତେ ଜଣଙ୍କୁ ଗିରଫ କରାଗଲା, କେତ ଜଣଙ୍କୁ ଛାଡ଼ି ଦିଆଗଲା, କିଏ କିଏ ସଂପୃକ୍ତ ଅଛନ୍ତି ଏହାର ସତ୍ୟାସତ୍ୟ ପଦାକୁ ଆସିଲାନି। ମାତ୍ର ଦୁଇ ଜଣଙ୍କ ଭିତରେ ତଦନ୍ତ ସୀମିତ ରହିଯାଇଛି। ପ୍ରଥମେ ବଲାଙ୍ଗୀର ପୁଲିସ ତଦନ୍ତ କରୁଥିବାବେଳେ ତଦନ୍ତ ପ୍ରକ୍ରିୟାକୁ ବିଳମ୍ବିତ କରିବାକୁ ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଛି। ଏହାଦ୍ୱାରା ଜାଲ୍ କାରବାରରେ ସଂଶ୍ଳିଷ୍ଟ ଥିବା ବିଜେଡିର ବହୁ ନେତା ତଥ୍ୟପ୍ରମାଣ ନଷ୍ଟ କରିବାରେ ସଫଳ ହୋଇପାରିବେ। ତେଣୁ ନକଲି ସାର୍ଟିଫିକେଟ ଘଟଣାର ତଦନ୍ତ ଦାୟିତ୍ବ ସିବିଆଇକୁ ଦିଆଯାଉ ବୋଲି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଦାବି କରିଛନ୍ତି।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅାୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ନକଲି ସାର୍ଟିଫିକେଟ ଦେଇ ବୌଦ୍ଧ ଜିଲ୍ଲାର ଜଣେ ଅଙ୍ଗନବାଡି କର୍ମୀ ଧରାପଡ଼ିଛନ୍ତି। ବାଲେଶ୍ୱର ଜିଲ୍ଲା ସୋରରେ ଜଣେ ଶିକ୍ଷୟିତ୍ରୀ ଓ ମୟୂରଭଞ୍ଜରେ ୧୪୨ଜଣ ନକଲି ଶିକ୍ଷକ ଚିହ୍ନଟ ହୋଇଛନ୍ତି। ଶିକ୍ଷକ ନିଯୁକ୍ତି ପୂର୍ବରୁ ସାର୍ଟିଫିକେଟ୍ ଯାଞ୍ଚ ପାଇଁ ଶିକ୍ଷା ବିଭାଗ ୬ ଥର ତାଗିଦ୍ କରିଛି। କିନ୍ତୁ ଦାୟିତ୍ୱରେ ଥିବା ବିଇଓ, ଡିଇଓ ଏବଂ ଅନ୍ୟାନ୍ୟ ଶିକ୍ଷା ବିଭାଗ ଅଧିକାରୀ କାହିଁକି ଯାଞ୍ଚ କରୁନଥିଲେ। ବାସ୍ତବରେ ଓଡ଼ିଶାରେ ବିଜେଡି ସରକାର ନକଲି ନିଯୁକ୍ତିକୁ ପ୍ରୋତ୍ସାହନ ଦେଉଛନ୍ତି। ସେମାନଙ୍କୁ ନିର୍ବାଚନ ସମୟରେ ଦଳୀୟ ଭୋଟ କରାଇବା କାର୍ଯ୍ୟରେ ବ୍ୟବହାର କରୁଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀପ ମଲ୍ଲିକ, ଠାକୁର ରଞ୍ଜିତ ଦାସ, ଉମାକାନ୍ତ ପଟ୍ଟନାୟକ ଓ ଅନିଲ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।