ସମ୍ବଲପୁର: ସମ୍ବଲପୁରରେ ସାଇବର୍ ଠକଙ୍କ ଦୌରାତ୍ମ୍ୟ ବଢ଼ବାରେ ଲାଗିଛି। ଏକଥା ସମ୍ବଲପୁର ଜିଲ୍ଲାର ଥାନାଗୁଡ଼ିକରେ ରୁଜୁ ହେଉଥିବା ସାଇବର୍ ଠକେଇ ମାମଲା ସ୍ପଷ୍ଟ କରୁଛି। ଅନ୍ୟପଟେ ସାଇବର୍ ଠକଙ୍କୁ ଧରିବାରେ ସମ୍ବଲପୁର ପୁଲିସ ସମ୍ପୂର୍ଣ୍ଣ ଭାବେ ବିଫଳ ରହିବା ମଧ୍ୟ ପୁଲିସ ପାରିବା ପଣିଆ ଉପରେ ସବୁବେଳେ ପ୍ରଶ୍ନ ଉଠାଇ ଆସିଛି। ବିଭିନ୍ନ ଅଧିକାରୀଙ୍କ ନକଲି ଆକାଉଣ୍ଟ ତିଆରି କରି ଲୋକଙ୍କୁ ଚୂନା ଲଗାଇବାକୁ ସାଇବର୍ ଠକମାନେ ଚେଷ୍ଟା କରୁଥିବା ପୂର୍ବରୁ ଦେଖିବାକୁ ମିଳିଛି। ଏବେ ଠକମାନେ ଆଉ ଦୁଇ ପାଦ ଆଗେଇ, ଖୋଦ୍ ସମ୍ବଲପୁର ଏସ୍ପିଙ୍କ ନାଁରେ ନକଲି ଆକାଉଣ୍ଟ ଖୋଲି ଅଭିନବ ଉପାୟରେ ଟଙ୍କା ମାଗିବା ଘଟଣା ସାମ୍ନାକୁ ଆସିଛି।
ମିଳିଥିବା ସୂଚନା ଅନୁଯାୟୀ, କ୍ଷେତରାଜପୁର ମୁଙ୍ଗାପଡ଼ାର ଶିବ ଯୋଗୀଙ୍କୁ ଫେସ୍ବୁକ୍ରେ ଏସ୍ପି ସମ୍ବଲପୁର ନାଁରେ ଏକ ଫ୍ରେଣ୍ଡ ରିକ୍ବେଷ୍ଟ ଆସିଥିଲା। ସେ ଜାନୁଆରି ୨୭ ତାରିଖ ଦିନ ଫ୍ରେଣ୍ଡ ରିକ୍ବେଷ୍ଟ ଆକ୍ସେପ୍ଟ କରିଥିଲେ। ପରଦିନ ସକାଳ ୮ଟା ସମୟରେ ତାଙ୍କୁ ଉକ୍ତ ଆକାଉଣ୍ଟରୁ ଏକ ମେସେଜ୍ ଆସିଲା। ତାଙ୍କ ବିରୋଧରେ ଏକ ଅପରାଧିକ ମାମଲା ରହିଥିବା ମେସେଜ୍ରେ ଉଲ୍ଲେଖ କରାଯାଇଥିଲା। ମାମଲାର ସମାଧାନ ପାଇଁ ସେ ୧୦୦୦ ଟଙ୍କା ମାଗିଲା, ଟଙ୍କା ନଦେଲେ ପୁଲିସ ତାଙ୍କୁ ଗିରଫ କରିବ ବୋଲି ଚେତାବନୀ ଦେଇଥିଲା। କିନ୍ତୁ ଶିବ ଟଙ୍କା ଦେବାକୁ ମନା କରିଦେଇଥିଲେ। ତାପରେ ତାଙ୍କୁ ଗାଳିଗୁଲଜର ମେସେଜ ପଠାଇବା ଆରମ୍ଭ କରିଥିଲା। ତାପରେ ଶିବଙ୍କର ସନ୍ଦେହ ହୋଇଥିଲା। ଏହା ଫେକ୍ ଆକାଉଣ୍ଟ ବୋଲି ଜାଣିବା ପରେ ଶିବ ମଙ୍ଗଳବାର ଏ ନେଇ ସମ୍ବଲପୁର ସାଇବର୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/15-2.jpg)