ଭୁବନେଶ୍ବର : ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶଙ୍କ ନାଁରେ ନକଲି ଫେସ୍ବୁକ୍ ଆକାଉଣ୍ଟ ଖୋଲି ଠକ ଲୋକଙ୍କୁ ପଇସା ମାଗୁଛି। ଏହି ଘଟଣା ଆଜି ପଦାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ, କିଛି ଦିନ ତଳେ ମନ୍ତ୍ରୀ ଶ୍ରୀ ଦାଶଙ୍କ ନାଁରେ ଏକ ନକଲି ଫେସବୁକ୍ ଆକାଉଣ୍ଟ ଖୋଲା ଯାଇଛି। ଉକ୍ତ ଆକାଉଣ୍ଟରୁ ଠକ ତାଙ୍କର କିଛି ବନ୍ଧୁ ଓ ସାଧାରଣ ଲୋକଙ୍କୁ ଫ୍ରେଣ୍ଡ ରିକ୍ବେଷ୍ଟ ପଠାଇଥିଲା। ମନ୍ତ୍ରୀଙ୍କ ଆକାଉଣ୍ଟରୁ ଫ୍ରେଣ୍ଡ-ରିକ୍ବେଷ୍ଟ ଆସିଥିବାରୁ ବହୁ ଲୋକେ ତାହାକୁ ଗ୍ରହଣ କରି ନେଉଥିଲେ। ପରେ ଠକ ଉକ୍ତ ଆକାଉଣ୍ଟରୁ ଲୋକମାନଙ୍କୁ ଜରୁରୀକାଳୀନ ସହାୟତା ପାଇଁ ଟଙ୍କା ମାଗିଥିଲା। ‘ଆପଣ କେମିତି ଅଛନ୍ତି, ମୁଁ ଅସୁବିଧାରେ ପଡ଼ିଛି। ଜରୁରୀକାଳୀନ କିଛି ଟଙ୍କା ଦରକାର, ମୁଁ ଆପଣଙ୍କୁ ଶୀଘ୍ର ଟଙ୍କା ଫେରସ୍ତ କରିଦେବି।’ ଏମିତି ସେ ବିଭିନ୍ନ ଲୋକଙ୍କ ସହ ଚାଟିଂ କରି ଟଙ୍କା ମାଗୁଥିଲା। ତେବେ ଏନେଇ କିଛି ଲୋକଙ୍କ ସନ୍ଦେହ ହେବା ପରେ ଘଟଣା ଲୋକଲୋଚନକୁ ଆସିଥିଲା। ତାହା ମନ୍ତ୍ରୀଙ୍କ ଆକାଉଣ୍ଟ ନୁହେଁ ବୋଲି ଜଣାପଡ଼ିଥିଲା। ସୂଚନାଯୋଗ୍ୟ, ପୂର୍ବରୁ ଏହିଭଳି ଭାବେ ସାଇବର୍ ଠକ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ପର୍ଯ୍ୟନ୍ତ, ବହୁ ଲୋକଙ୍କ ନକଲି ଆକାଉଣ୍ଟ ଖୋଲି ଠକିବା ପାଇଁ ପ୍ରୟାସ ଚଳାଇଛନ୍ତି। ଏପରିକି ଖୋଦ୍ ପୁଲିସ କର୍ମଚାରୀ ଓ ଅଧିକାରୀ ବି ବାଦ୍ ପଡ଼ିନାହାନ୍ତି। କିନ୍ତୁ ପୁଲିସ ଏପରି ଗୋଟିଏ ଘଟଣାର ବି ପର୍ଦାଫାସ୍ କରି କାହାକୁ ଗିରଫ କରିପାରିନାହିଁ।
ଗଣଶିକ୍ଷା ମନ୍ତ୍ରୀଙ୍କ ନାଁରେ ନକଲି ଫେସବୁକ୍ ଆକାଉଣ୍ଟ, ଚାଟିଂ କରି ଲୋକଙ୍କୁ ଟଙ୍କା ମାଗୁଛି ସାଇବର୍ ଠକ
/sambad/media/post_attachments/wp-content/uploads/2020/11/samir-ranjan-dash.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)