କଟକ: ଯାଜପୁର ଜିଲ୍ଲାର ଚଣ୍ଡିଖୋଲ-ବାଲିଚନ୍ଦ୍ରପୁର ରାସ୍ତାରେ ପ୍ରସ୍ତୁତ ହେଉଛି ନକଲି ବିଦେଶୀ ମଦ। ଏଥିପାଇଁ ସ୍ପିରିଟ୍ ମଧ୍ୟପ୍ରଦେଶରୁ ଆମଦାନୀ ହେଉଛି। ମଧ୍ୟପ୍ରଦେଶରେ ନିମ୍ନମାନର ସ୍ପିରିଟ୍ ବହୁଳ ମାତ୍ରାରେ ପ୍ରସ୍ତୁତ ହେଉଥିବା ବେଳେ ଶସ୍ତାରେ ମିଳୁଥିବାରୁ ଏହାକୁ ଚଣ୍ଡିଖୋଲ ଆମଦାନୀ କରାଯାଉଛି। ଏହି ସ୍ପିରିଟ୍ରେ ନକଲି ମଦ ପ୍ରସ୍ତୁତ ହେଉଛି। ୨୦୨୪ରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିରେ ଏକ ବାର୍ରୁ ୯ ଲକ୍ଷ ୧୫ ହଜାର ଟଙ୍କାର ବିଦେଶୀ ମଦ ମିଳିବା ଘଟଣାରେ ଚଣ୍ଡିଖୋଲର ଏହି ଫ୍ୟାକ୍ଟ୍ରିର ଲିଙ୍କ୍ ଥିବା ସୁରାକ୍ ମିଳିଥିଲା। ପ୍ରଥମଥର ପାଇଁ କଟକ ଜିଲ୍ଲାରେ ବିପୁଳ ମାତ୍ରାରେ ନକଲି ବିଦେଶୀ ମଦ ଧରାପଡ଼ିବା ଘଟଣାରେ କଟକ ଜିଲ୍ଲା ଅବକାରୀ ବିଭାଗ ଅଧିକ ଖୋଳତାଡ଼ ନକରି ଚାପିଦେବା ଘଟଣା ଏବେ ରହସ୍ୟ ସୃଷ୍ଟି କରିଛି।
କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ପ୍ରହରାଜପୁର ଅଞ୍ଚଳର ହିମାଂଶୁ ନାୟକ ଏସଆର୍ ବାର୍ ଓ ରେଷ୍ଟୁରାଣ୍ଟ ନାଁରେ ଏକ ଠିପିଖୋଲା ମଦ ଦୋକାନ ଲାଇସେନ୍ସ ନେଇଥିଲେ। ତେବେ ଏହି ଲାଇସେନ୍ସପ୍ରାପ୍ତ ଦୋକାନ ଆଢ଼ୁଆଳରେ ସେ ନକଲି ବିଦେଶୀ ମଦ ଫ୍ୟାକ୍ଟ୍ରି ବି ଖୋଲିଥିବାରୁ ୨୦୨୪ ସେପ୍ଟେମ୍ବର ୨୬ରେ କଟକ ଅବକାରୀ ବିଭାଗ ଚଢ଼ଉ କରିଥିଲା। ଏକକାଳୀନ ୧୧ଶହ ଲିଟର ନକଲି ବିଦେଶୀ ମଦ ଜବତ ହୋଇଥିଲା। ଜବତ ମଦର ମୂଲ୍ୟ ୯ ଲକ୍ଷ ୧୫ ହଜାର ଟଙ୍କା। ଏହି ମାମଲାରେ ଅବକାରୀ ବିଭାଗ ଭଦ୍ରେଶ୍ବରର ସୌମ୍ୟରଞ୍ଜନ ପ୍ରଧାନ, ଜଗନ୍ନାଥ ନାୟକ, ମାହାଙ୍ଗା ଶୁକ୍ଲେଶ୍ବରର ଶରତ ଚନ୍ଦ୍ର ବାରିକ, ଭଦ୍ରେଶ୍ବରର ପବିତ୍ର ଜେନା, ଶ୍ରୀନିବାସ ପ୍ରଧାନକୁ ଗିରଫ କରିଥିଲା। କିନ୍ତୁ ଏହି କାରବାର ପଛର କାର୍ପଟଦାର ହିମାଂଶୁ ନାୟକ ଫେରାର ହୋଇଯାଇଥିବା ଅବକାରୀ ବିଭାଗ ଦର୍ଶାଇଥିଲା।
ଏହି ଚଢ଼ଉରେ ନକଲି ବିଦେଶୀ ମଦ ସମେତ ମଦ ବୋତଲର ୮ ହଜାର ପ୍ଲାଷ୍ଟିକ୍ କ୍ୟାପ୍, ଅବକାରୀ ବିଭାଗର ୯ ହଜାର ୪୦ ଖଣ୍ଡ ଲେବଲ୍, ଖାଲି ବୋତଲ ୧ ହଜାର, ନମ୍ବର-୧ ମଦର ଲେବଲ୍ ୧୧୯୦ଟି ଜବତ ହୋଇଥିଲା। ଏହି ସାମଗ୍ରୀ କେଉଁଠୁ ଆସିଲା, ଏ ଦିଗରେ ଅଧିକ ଖୋଳତାଡ଼ ହେଲାନାହିଁ।
ନିଶ୍ଚିନ୍ତକୋଇଲିରୁ ଚଣ୍ଡିଖୋଲ ଯାଏଁ ନେଟ୍ଵର୍କ
ମଧ୍ୟପ୍ରଦେଶରୁ ଆମଦାନୀ ହେଉଛି ସ୍ପିରିଟ୍
ଦୈତାରୀ-ପାରାଦୀପ, ଯାଜପୁର-କଟକ ରାସ୍ତାରେ କାରବାର
ଏହି ମଦ ଜିଲ୍ଲା ବାହାରୁ ଆମଦାନୀ କରାଯାଉଥିବା ତଦନ୍ତ ସମୟରେ ଜଣାପଡ଼ିଥିଲା। ତେବେ ଏହି ମାମଲାରେ କୌଣସି ପ୍ରକାର ଅଗ୍ରଗତି ହେଲା ନାହିଁ। କଟକ ଜିଲ୍ଲାରେ ପ୍ରଥମ ଥର ଏଭଳି ବଡ଼ ଧରଣର ନକଲି ବିଦେଶୀ ମଦ କାରବାର ଧରାପଡ଼ିଥିବା ବେଳେ ଜିଲ୍ଲା ଅବକାରୀ ବିଭାଗ ଏ ଦିଗରେ ସେଭଳି କୌଣସି ପଦକ୍ଷେପ ନେଲା ନାହିଁ। ଏହି ମଦ କାରବାର ପଛରେ ଚଣ୍ଡିଖୋଲର ଏକ ଚୋରା ମଦ ଫ୍ୟାକ୍ଟ୍ରିର ସମ୍ପୃକ୍ତି ବି ସାମନାକୁ ଆସିଥିଲା। ଉକ୍ତ ଫ୍ୟାକ୍ଟ୍ରିକୁ ଯଦିଓ ଠାବ କରାଗଲା, ଏହାକୁ ମଧ୍ୟ ତଦନ୍ତ ପରିସରକୁ ଅଣାଗଲା ନାହିଁ କି ଅଧିକ ଖୋଳତାଡ଼ କରାଗଲା ନାହିଁ। ଏହି ମାମଲାରେ ସମ୍ପୂର୍ଣ୍ଣ ଚୁପ୍ ବସିପଡ଼ିବା ଘଟଣା ଅଧିକ ରହସ୍ୟ ବଢ଼ାଇ ଦେଇଛି। ଏବେ ଚଣ୍ଡିଖୋଲରେ ଥିବା ଏହି ନକଲି ମଦ ଫ୍ୟାକ୍ଟ୍ରିକୁ ନେଇ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। ମଧ୍ୟପ୍ରଦେଶରୁ ଶସ୍ତା ସ୍ପିରିଟ୍ ଆସି ଏହି ଫ୍ୟାକ୍ଟ୍ରିରେ ପହଞ୍ଚିବା ପରେ ଏଠାରେ ନକଲି ବିଦେଶୀ ମଦ ପ୍ରସ୍ତୁତ ହେଉଛି। ଏଠାରୁ ପ୍ରସ୍ତୁତ ହେଉଥିବା ମଦ ଦୈତାରୀ-ପାରାଦୀପ ଏକ୍ସପ୍ରେସ୍ ହାଇଵେରେ ଥିବା ଅଧିକାଂଶ ବାର୍, କାଉଣ୍ଟର୍ରେ ବିକ୍ରି ହେଉଛି। ସେହିଭଳି ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ଜିଲ୍ଲାକୁ ମଧ୍ୟ ଏହି ମଦ ଚାଲାଣ କରାଯାଉଛି। ନିଶ୍ଚିନ୍ତକୋଇଲି, ସାଲେପୁର, ଛତିଆ, ବନ୍ଦାଳ, ଚଢ଼େଇଧରା, ଡୁବୁରି, କେନ୍ଦ୍ରାପଡ଼ା ଦୁହୁରିଆ ଯାଏଁ ଏହି ମଦ କାରବାର ବଢ଼ିଚାଲିଛି। ମଦ ବୋତଲରେ ଲାଗୁଥିବା ଲେବଲ୍, ଠିପି, ଏସେନ୍ସ, ଏକ୍ଟ୍ରା ନ୍ୟୁଟ୍ରିଆଲ୍ ଆଲ୍କହଲ୍ ପଶ୍ଚିମବଙ୍ଗ ବଡ଼ ବଜାରରୁ ଆମଦାନୀ ହେଉଛି। ଚଣ୍ଡିଖୋଲ ଭଳି କଟକ ଜିଲ୍ଲା ମାହାଙ୍ଗା ଥାନା କୁଆଁପାଳରେ ସେହି ଧରଣର ନକଲି ମଦ ପ୍ରସ୍ତୁତ ହେଉଛି। କଟକ ଜିଲ୍ଲାକୁ ଏହି ନକଲି ବିଦେଶୀ ମଦ ବ୍ୟାପି ଯାଇଥିବା ବେଳେ ସିଧାସଳଖ ରାଜ୍ୟ ସରକାରଙ୍କ ରାଜସ୍ବ କ୍ଷତି ହେଉଥିବାରୁ ଏ ଦିଗରେ ଅବକାରୀ ବିଭାଗ କଠୋର ନ ହେବା ଆଶ୍ଚର୍ଯ୍ୟ ସୃଷ୍ଟି କରିଛି।