କଟକ- ଜଗତପୁର: ଜଗତପୁର ନୂତନ ଶିଳ୍ପାଞ୍ଚଳରୁ ପୁଣି ଏକ ନକଲି ଘିଅ ପ୍ରସ୍ତୁତି କାରଖାନା ଆଜି ଠାବ ହୋଇଛି। ଏଠାରେ ବାଲ୍ ଗୋପାଳ ଓ ନିର୍ମାଲ୍ୟ ନାମରେ ଅପମିଶ୍ରିତ ଘିଅ ପ୍ରସ୍ତୁତ କରାଯାଇ ବଜାରକୁ ଛଡ଼ା ଯାଉଥିଲା। ଚଢ଼ଉ ବେଳେ କାରଖାନାରୁ ବିପୁଳ ପରିମାଣର ନକଲି ଘିଅ, ଖାଲି ଡବା, ପ୍ୟାକିଂ ପାଇଁ ଥିବା କାର୍ଟୁନ୍ ଜଗତପୁର ଥାନା ପୁଲିସ ଜବତ କରିଛି। ଏହି କମ୍ପାନି ପ୍ରାୟ ୩ ବର୍ଷ ହେବ ଏଠାରେ ଚାଲୁଥିଲା ବୋଲି ଜଣାପଡ଼ିଛି। କାରଖାନା ମାଲିକ ଲାଇସେନ୍ସପ୍ରାପ୍ତ ବ୍ୟବସାୟ ଭାବେ ସୋୟା ବଡ଼ି ପ୍ରସ୍ତୁତି କାରଖାନା ଚଳାଉ ଥିବାବେଳେ ଏହାର ଆଢୁଆଳରେ ନକଲି ଘିଅ ପ୍ରସ୍ତୁତ କରି ମୁନାଫା କମାଉଥିଲେ। ଏ ସମ୍ପର୍କରେ ବିଶେଷ ସୂତ୍ରରୁ ଖବରପାଇ ଜଗତପୁର ପୁଲିସ କାରଖାନା ଉପରେ ଚଢ଼ଉ କରିଥିଲା।
ପୁଲିସ ସୂଚନା ଆଧାରରେ ସିଏମ୍ସିର ଖାଦ୍ୟ ସୁରକ୍ଷା ଟିମ୍ ଘଟଣାସ୍ଥଳରେ ପହଞ୍ଚି ପ୍ରସ୍ତୁତ ଘିଅର ମାନ ଯାଞ୍ଚ କରିଥିଲେ। ପ୍ରାଥମିକ ଅବସ୍ଥାରେ ଏହା ଅପମିଶ୍ରିତ ବୋଲି ଜଣାପଡ଼ିଛି। ଏହି ଅପମିଶ୍ରିତ ଘିଅରେ କେଉଁ କେଉଁ ଜିନିଷ ମିଶା ଯାଉଛି ତାହାର ନମୁନା ସଂଗ୍ରହ କରାଯାଇ ଭୁବନେଶର ସ୍ଥିତ ଲ୍ୟାବ୍କୁ ପଠାଯାଇଥିଲା। କାରଖାନାରେ ଘିଅ, ବନସ୍ପତି, ପାମୋଲିନ୍ ତେଲ ସହ ଏସେନ୍ସ ଫ୍ୟାଟ୍ (ବାସନାଯୁକ୍ତ ଚର୍ବି) ରଖାଯାଇଥିବା ବେଳେ ଏହାର ମିଶ୍ରଣରେ ନକଲି ଘିଅ ପ୍ରସ୍ତୁତ ହେଉଥିବା ସନ୍ଦେହ କରାଯାଉଛି। ଏହି ନକଲି ଘିଅ କେନ୍ଦ୍ରାପଡ଼ା, ଜଗତସିଂହପୁର, ନବରଙ୍ଗପୁର, ମାଲାକାନlଗିରି, ରାୟଗଡା, ବାରିପଦା, ଭଦ୍ରକ, ବାଲେଶ୍ୱର ଓ କୋରାପୁଟ ଆଦି ଜିଲ୍ଲାରେ ବିକ୍ରି କରାଯାଉଛି।
ଏହି ଅପମିଶ୍ରିତ ଘିଅକୁ ଖାଇବା ସ୍ବାସ୍ଥ୍ୟ ପ୍ରତି ହାନିକାରକ ବୋଲି ଚଢ଼ଉରେ ସାମିଲ ଥିବା ସିଏମ୍ସି ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର କହିଛନ୍ତି। ଏହି ଅପମିଶ୍ରିତ ଘିଅର ପରୀକ୍ଷା ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଜଗତପୁର ଥାନା ପୁଲିସ କାରଖାନାକୁ ସିଲ୍ କରିବା ସହିତ ନକଲି ଘିଅ ପ୍ରସ୍ତୁତ କରୁଥିବା କର୍ମଚାରୀ ମାନସ କୁମାର ରାଉତ ଓ ରୂପକ କୁମାର ମହାପାତ୍ରଙ୍କୁ ଅଟକ ରଖି ପଚରାଉଚରା ଚଳାଇଛନ୍ତି। ଏହି ନକଲି କାରଖାନା ଚଳାଉଥିବା ଓ ବ୍ୟବସାୟିକ କାରବାରରେ ଯେଉଁମାନଙ୍କର ସମ୍ପୃକ୍ତି ରହିଛି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କଟକ ଜୋନ୍ -୧ ଏସିପି ଅରୁଣ କୁମାର ସ୍ବାଇଁ କହିଛନ୍ତି। ଜଗତପୁର ଥାନା ଅଧିକାରୀ ଓମ୍ ପ୍ରକାଶ ମହାନ୍ତିଙ୍କ ନେତୃତ୍ୱରେ ୧୦ରୁ ଅଧିକ ପୁଲିସ ଅଧିକାରୀ ଓ କର୍ମଚାରୀ ଚଢ଼ଉରେ ସାମିଲ ଥିଲେ। ପୂର୍ବରୁ ୨୦୨୦ ରେ ଜଗତପୁର ନୂତନ ଶିଳ୍ପାଞ୍ଚଳରେ ଅପମିଶ୍ରିତ ଘିଅ କାରଖାନା ଠାବ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/Kpay3VGoPNwAcBVlNHKo.jpg)