ନବରଙ୍ଗପୁର: ଆଦିବାସୀଙ୍କ ପାଖରେ କିଛି ସୁନା ଶଙ୍ଖ ଓ ସୁନା ଇଟା ଭଳି ଅମୁଲ୍ୟ ସମ୍ପଦ ଶାଗ ମାଛ ଦରରେ ମିଳୁଥିବା ସୂଚନା ଦେଇ ପିତ୍ତଳ ଇଟା ଓ ପିତ୍ତଳ ଶଙ୍ଖ ଦେଇ ଚାଲିଛି ଲୁଟ୍। ପୂର୍ବରୁ ପାପଡାହାଣ୍ଡି, ଡାବୁଗାଁ ଓ ଉମରକୋଟ ଥାନାରେ ଏପରି ନକଲି ସୁନା ଇଟା ଓ ନକଲି ସୁନା ଶଙ୍ଖ ନାମରେ ଲକ୍ଷ ଲକ୍ଷ ଟଙ୍କା ହଡପ ହେଲା ଭଳି ମାମଲା ରୁଜୁ ହୋଇସାରିଥିବା ବେଳେ ଏବେ ଖୋଦ ନବରଙ୍ଗପୁର ସହରରେ ହୋଇଛି ଏପରି ନକଲି ସୁନା ଇଟା କାରବାର। ଠକାମିର ଶିକାର ହେଉଛନ୍ତି ବାହାର ଜିଲ୍ଲାର ବ୍ୟକ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ଜୟକୃଷ୍ଣ ବେହେରା ଓ ଏସଡିପିଓ ନିହାର ରଂଜନ ପ୍ରଧାନ ସୂଚନା ଦେଇଛନ୍ତି ଯେ ନବରଙ୍ଗପୁର ସହରରେ କିଛି ଯୁବକ ପିତ୍ତଳ ଇଟାକୁ ଦେଖାଇ ସୁନା ଇଟା ନାମରେ ଠକାମି କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ ହୋଇଥିଲା। ଏହି ଠକାମିର ଶିକାର ହୋଇଥିଲେ ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ରଘୁପତି ନଗରର ଜଣେ ବ୍ୟବସାୟୀ ସାଗର ଗୌଡ(୩୨)।

Advertisment

ନବରଙ୍ଗପୁର ସହରରେ ଚାଲିଥିବା ଦକ୍ଷତା ବିକାଶ କେନ୍ଦ୍ରର କର୍ମଚାରୀ ମିଥୁନ ସାହୁ ନାମକ ଜଣେ ଯୁବକ କାମ କରୁଛନ୍ତି। ତାର ଘର ଗଂଜାମ ଜିଲ୍ଲା ଅନ୍ତର୍ଗତ ପୁରୁଷୋତ୍ତମପୁର ଅଞ୍ଚଳର। ସେ ନବରଙ୍ଗପୁର ସହରର ଇଛାବତିଗୁଡା ଅଞ୍ଚଳରେ ରୁହନ୍ତି। ମିଥୁନ ସାହୁ ଓ ବ୍ରହ୍ମପୁରର ବ୍ୟବସାୟୀ ସାଗର ଗୌଡଙ୍କ ସ୍ତ୍ରୀ ଗୋଟିଏ ଗାଁର ହୋଇଥିବାରୁ ମିଥୁନ ଏହି ନକଲି କାରବାରରେ ସାଗର ଗୌଡକୁ ଟାର୍ଗେଟ କରିଥିଲା। ମିଥୁନ ଦିନେ ସାଗର ଗୌଡଙ୍କୁ ଫୋନ କରି କହିଲା ନବରଙ୍ଗପୁର ଅଞ୍ଚଳର ଜଣେ ଆଦିବାସୀ ପରିବାର ନିଜ ଚାଷ ଜମିରେ ଚାଷ କରିବା ବେଳେ ଏକ ସୂନା ଇଟା ପାଇଛି। ତାକୁ ସୁନାର ପ୍ରକୃତ ଦର ଜଣାନାହିଁ। ପୁଲିସ ଜାଣିଲେ ସେ ଉକ୍ତ ଇଟାକୁ ନେଇଯିବ ଭାବି ୫ ଲକ୍ଷ ଟଙ୍କାରେ ଦେଇଦବ। ମୋତେ ୫ ଲକ୍ଷ ଉଦ୍ଧାର ଦିଅ ମୁଁ ସପ୍ତାହରେ ୧୦ ଲକ୍ଷ ଟଙ୍କା ଦେବି ବୋଲି କହିବାରୁ ମିଥୁନର କଥାରେ ପ୍ରଲୋଭିତ ହୋଇ ସାଗର ନିଜେ କିଣିବା ପାଇଁ ୧୦ ଲକ୍ଷ ଟଙ୍କା ନଗଦ ଧରି ସାଙ୍ଗରେ ୨ ଜଣଙ୍କୁ ନେଇ ନବରଙ୍ଗପୁର ଆସିଲେ।

ସାଗର ଗତ ୩୦ ତାରିଖରେ ନବରଙ୍ଗପୁରରେ ପହଞ୍ଚିଲେ। ସାଗରକୁ ମିଥୁନ ସଧ୍ୟା ସମୟରେ ଡିଏଫଓ ଅଫିସ ପଛ ପଟେ ନେଇଥିଲା। ସେଠାରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ପ୍ରାୟ ୭ ଜଣ ନକଲି ସୁନା ଇଟା ନେଇ ଜଗି ରହିଥିଲେ। ସାଗରକୁ ଏହି ଇଟାକୁ ଦେଖାଇଥିଲେ। ସାଗର ଇଟା ସୁନା କି ନୁହେଁ ତାହା ପରୀକ୍ଷା ପାଇଁ କହିବାରୁ ପୁଲିସ ଧରିନେବା ଭୟ ଦେଖାଇ ୧୦ ଲକ୍ଷ ଟଙ୍କା ଅଗ୍ରୀମ ଦେଇ ସେଠାରୁ ନେଇ ଯାଇ ବ୍ରହ୍ମପୁରରେ ପରୀକ୍ଷା କରିବା ପାଇଁ କହିଥିଲେ। ସେଥିଲେ ସାଗର ଅରାଜି ହେବାରୁ ବିଭିନ୍ନ ମାରଣାସ୍ତ୍ର ଦେଖାଇ ସାଗର ଧରିଥିବା ୧୦ ଲକ୍ଷ ଟଙ୍କା ଝାମ୍ପି ନେବା ସହ ପୁଲିସକୁ କହିଲେ ପ୍ରାଣରେ ମାରିଦେବା ପାଇଁ ଧମକ ଦେଇଥିଲେ ଏବଂ ବ୍ରହ୍ମପୁର ଚାଲିଯିବା ପାଇଁ ଧମକାଇଥିଲେ।

publive-image

ସାଗର ଭୟରେ ବ୍ରହ୍ମପୁର ଯାଇ ମିଥୁନକୁ ଭୟ ଦେଖାଇ ଏହି ଲୁଟ୍ ମାମଲାରେ ସମ୍ପୃକ୍ତ ସମସ୍ତ ଲୁଟେରାଙ୍କ ନାମ ଓ ଠିକଣା ସଂଗ୍ରହ କରି ଗତକାଲି ପୁଣି ନବରଙ୍ଗପୁର ଆସି ଥାନାରେ ଏତଲା ଦେଇଥିଲେ। ନବରଙ୍ଗପୁର ଥାନାରେ କେସ ନଂ ୪୪୩/୨୨ ଦଫା ୩୯୫ ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକ ଟିମ୍ ଗଠନ ହୋଇଥିଲା। ପୁଲିସ ଗତ କାଲି ହିଁ ସହରର ଇଛାବତିଗୁଡାରେ ରହୁଥିବା ମିଥୁନ ସାହୁ ଓ ବଂଶି ଧର ପରିଡା, ଡାବୁଗାଁ ଥାନା ଅନ୍ତର୍ଗତ ଖଲିଗୁଡାର ଶ୍ବଶୁର ଟୁନୁ ଟାକ୍ରୀ(୫୦) ଓ ଜ୍ବାଇଁ ଜିତେନ୍ଦ୍ର ଖରାକୁ ଗିରଫ କରିବା ସହ ବଂଶିଧର ପରିଡା ଘରୁ ୪ ଲକ୍ଷ ୬୦ ହଜାର ଟଙ୍କା ଉଦ୍ଧାର ହୋଇଛି। ଅନ୍ୟ ୩ ଜଣ ଏବେ ବି ଫେରାର ରହିଛନ୍ତି। ସେହିପରି ଭାବେ ଏମାନଙ୍କ ଠାରୁ ୩ଟି ମୋବାଇଲ, ଧାରୁଆ ଛୁରି ଓ ଖୁର ଜବତ କରିଛି ପୁଲିସ। ଥାନା ଅଧିକାରୀ ନରେଶ ପ୍ରଧାନଙ୍କ ନେତୃତ୍ବରେ ଗଠନ ହୋଇଥିବା ଏହି ଟିମ୍‌ରେ ତଦନ୍ତ କାରି ଅଧିକାରୀ ସବିର ଅହମ୍ମଦ, ଏଏସଆଇ ଅଶୋକ କୁମାର ଦେଓ, ଅନିଲ କୁମାର ପୃଷ୍ଟି, ବିକାଶ ବେନିଆ, ସାଗର ମାଝୀ ପ୍ରମୁଖ ଏହି ଚଢ଼ାଉ ରେ ଭାଗ ନେଇଥିଲେ।