ବରଗଡ଼ ସହରରେ ବଢ଼ୁଛି ଭେଜାଲ୍‌ ସାମଗ୍ରୀ କାରବାର, ବେପାରୀଙ୍କ ଉପରେ ଚଢ଼ଉ ଶୂନ

ବରଗଡ଼ : ଲକ୍‌ଡାଉନ୍‌ ଗୋଟିଏ ହିସାବରେ କୋହଳ ହେବା ପରେ ବରଗଡ଼ ସହରରେ ପ୍ରତିଦିନ ସୁଆଦିଆ ଖାଦ୍ୟପେୟର ଭଣ୍ଡାର ଲାଗୁଛି। ସହର ସାରା ବିଭିନ୍ନ ବ୍ୟଞ୍ଜନର ପସରା ଲାଗିଛି। ରାସ୍ତାକଡେ଼ ଫାଷ୍ଟଫୁଡ୍‌ ଠାରୁ ଆରମ୍ଭ କରି ଦାମୀ ହେ‌ାଟେଲରେ ଲୋକଙ୍କୁ ମନ ପସନ୍ଦର ଖାଇବା ପଦାର୍ଥ ମିଳୁଛି। ଧିରେଧିରେ ବରଗଡ଼ର ଖାଦ୍ୟ ବଜାର ନିଜ ପୁରୁଣା ରୂପକୁ ଫେରୁଛି। ବିଶେଷକରି ସଂଧ୍ୟାରେ ଲୋକେ ସପରିବାର ଲୋକେ ବାହାରେ ରାତ୍ରୀ ଭୋଜନ କରିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ଅଧିକାଂଶ ସ୍ଥାନରେ ଗ୍ରାହକଙ୍କୁ ବାସି ଏବଂ ନିମ୍ନମାନର ଖାଦ୍ୟ ପରସା ଯାଉଛି। ତେଲ ଠାରୁ ଆରମ୍ଭ କରି ବେସନ, ମଇଦା ଇତ୍ୟାଦି ଭେଜାଲ୍‌। ଏହି ଭେଜାଲ୍‌ କାରବାର ଗ୍ରାହକମାନେ ଠଉରାଇ ପାରୁନାହାନ୍ତି। ତେଣୁ ଲୋକେ ବାସି ଖାଦ୍ୟ ଖାଇ ମଧ୍ୟ ‌ହୋଟେଲ ଗୁଡ଼ିକରେ ମୋଟା ବିଲ୍‌ ପୈଠ କରୁଛନ୍ତି। ତେଣୁ ସହରରେ ଭେଜାଲ ଖାଦ୍ୟ କାରବାର ଜୋରସୋର ବଢ଼ୁଛି।

ହୋଟେଲରେ ମାଂସ, ପନିର, ମସଲା ଆଦି ଫ୍ରିଜରରେ ଦୀର୍ଘ ଦିନ ଧରି ରଖାଯାଉଛି। ଗ୍ରାହକ ବରାଦ କଲେ ସେଥିରୁ ବ୍ୟଞ୍ଜନ ପ୍ରସ୍ତୁତ କରି ଚଢ଼ା ଦରରେ ବିକ୍ରି କରାଯାଉଛି। ଜିଲ୍ଲାରେ ଖାଦ୍ୟ ନିରୀକ୍ଷକ ବା ଡ୍ରଗ୍‌ ଇନ୍ସପେକ୍ଟର ନିଯୁକ୍ତ ଥିଲେ ହେଁ କିଛି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଧନୁଯାତ୍ରା ସମେତ ବିଭିନ୍ନ ପର୍ବପର୍ବାଣିରେ ମଧ୍ୟ ଚଢ଼ଉ ଅଭିଯାନ ହେଉନାହିଁ। ଚଢ଼ଉ ହେଉନଥିବାରୁ ଏହି କାରବାର ବଢ଼ି ଚାଲିଛି। ସହରକୁ ଭୁବନେଶ୍ବର, ନୟାଗଡ଼, ଖୋର୍ଦ୍ଧା ଅଂଚଳରୁ ପ୍ରତ୍ୟେହ ସୁଆଦିଆ ଛେନାପୋଢ଼, ରସଗୋଲା, ଛେନା ଝିଲ୍ଲି ଆସି ପହଂଚୁଛି। ଆମ୍ବିଳିଆ ହେଲେ ବି ତାକୁ କିଛି ବେପାରୀ ବିକ୍ରି କରି ଦେଉଛନ୍ତି। ‌

ବିଗତ ଦିନରେ ପଚାଶଢ଼ା ଖାଦ୍ୟବିକ୍ରି ମାମଲାର ପର୍ଦାଫାସ ହୋଇଥିଲା। କିନ୍ତୁ ନିୟମିତ ଚଢ଼ଉ ହେଉନଥିବାରୁ ବେପାରି କିଛି ପରବାଏ କରୁନାହାନ୍ତି। କେବଳ ରେଡିମେଡ୍‌ ଖାଦ୍ୟ ନୁହେଁ, ସହର ଭିତରେ ଥିବା କିଛି ଗୁପ୍ତ ଗୋଦାମରେ ବେପାରୀମାନେ ଅପମିଶ୍ରଣ ମଧ୍ୟ କରୁଛନ୍ତି। ଅଳ୍ପ ପରିମାଣର ଚଣା ବେସନରେ ମଇଦା କିମ୍ବା ନିକୃଷ୍ଟ ମାନର ଚାଉଳ ଚୁନା ମିଶାଇ ପଲିଥିନ୍‌ରେ ସିଲ୍‌ କରାଯାଉଛି। ବାହାର ରାଜ୍ୟକୁ ବି ଭେଜାଲ୍‌ ବେସନ ଚାଲାଣ ହେଉଥିବା କୁହାଯାଉଛି।

ସମ୍ବନ୍ଧିତ ଖବର