ଛତ୍ରପୁର : ଜଣେ ଯୁବକ ସାଜିଥିଲା ଜିଏସ୍‌ଟି ଅଧିକାରୀ। ଜାତୀୟ ରାଜପଥ ୧୬ରେ ରାହାଜାନି ଓ ଟ୍ରକ୍‌କୁ ଅଟକାଇ ମାଲିକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଦାଦାବଟି ସଂଗ୍ରହ କରିବା ପେସା ପାଲଟି ଯାଇଥିଲା। ଏଥିପାଇଁ ଗଢ଼ିଥିଲା ବଡ଼ଧରଣର ଗ୍ୟାଙ୍ଗ୍‌। ଏହି ଗ୍ୟାଙ୍ଗ୍‌କୁ ଗଞ୍ଜାମ ଜିଲ୍ଲା ଛତ୍ରପୁର ପୁଲିସ କାବୁ କରିବା‌ରେ ସଫଳ ହୋଇଛି। ମା‌ଷ୍ଟର୍‌ମାଇଣ୍ଡ୍‌ ନକଲି ଜିଏସ୍‌ଟି ଅଧିକାରୀ ସାଜିଥିବା ଯୁବକ ସମେତ ୪ ଜଣଙ୍କୁ ଆଜି ଗିରଫ କରି କୋର୍ଟଚାଲାଣ କରାଯାଇଛି।

Advertisment

ଅଭିଯୁକ୍ତମାନେ ହେ‌ଲେ, ନକଲି ଜିଏସ୍‌ଟି ଅଧିକାରୀ ସାଜିଥିବା ଛତ୍ରପୁର ବ୍ୟାଙ୍କ କଲୋନୀର ଦେବାଶିଷ ପଟ୍ଟନାୟକ। ତାଙ୍କ ସହଯୋଗୀମାନେ ହେଲେ, ଛତ୍ରପୁର ଜେଲ୍ ନିକଟ ବଜରଙ୍ଗୀନଗରର ଦିପୁ ଓରଫ୍ ସୁଶାନ୍ତ ଦଳାଇ, ଟି.ଗୋପାଲ୍ ରାଓ ଏବଂ ବ୍ରହ୍ମପୁର ଗୋସାଣିନୂଆଗାଁ ଥାନା ଅନ୍ତର୍ଗତ ଅନ୍ନପୂର୍ଣ୍ଣାନଗରର ସୀମା‌ଞ୍ଚଳ ପଣ୍ତା। ଛତ୍ରପୁର ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ପୁଲିସ ଜିଲ୍ଲା ଅତିରିକ୍ତ ଏସ୍‌.ପି ପି.କେ.ଦଳାଇ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।