କଟକରେ ୩୩ ଲକ୍ଷର ନକଲି ଗୁଟ୍‌ଖା ଜବତ

କଲିକତାରୁ ନେଟ୍‌ୱର୍କ; କୁଲିରୁ କୋଟିପତି ମାଫିଆ

କଟକ : କଟକ ବାଦାମବାଡ଼ି ଅଞ୍ଚଳରୁ ଶନିବାର ଜବତ ହୋଇଛି ୩୩ ଲକ୍ଷ ୨୨ ହଜାର ଟଙ୍କାର ନକଲି ଗୁଟ୍‌ଖା। ବାଦାମବାଡି ବସ୍ ଷ୍ଟାଣ୍ଡ ଅଞ୍ଚଳରେ ଏକଦା କୁଲି କାମ କରୁଥିବା ରବୀନ୍ଦ୍ର ବେହେରା ଏହି କାରବାର ଜରିଆରେ କୋଟିପତି ହୋଇ ସାରିଥିବା ବେଳେ ଶନିବାର ପୁଲିସ ହାତରେ ଧରାପଡିଛି। ଚଢଉ ସମୟରେ ତାର ଜଣେ ସହଯୋଗୀ ଫେରାର ହୋଇଯାଇଛି। ଏହି ରୢାକେଟର ଚେର କଲିକତାରୁ କଟକ ମାଡ଼ି ଥିବା ପୁଲିସ ତଦନ୍ତରୁ ଜଣା ପଡିଛି।

ଖାନନଗର ବ୍ରାହ୍ମଣସାହିରେ ରହୁଥିବା ଗଞ୍ଜାମ ଜିଲ୍ଲାର ୪୩ ବର୍ଷୀୟ ରବୀନ୍ଦ୍ର ପ୍ରଧାନ ବାଦାମବାଡ଼ି ବସଷ୍ଟାଣ୍ଡରେ କୁଲି କାମ ପରିବାର ଚଳାଉଥିଲା। ପରେ ସେ ଏହି ନକଲି ଜର୍ଦ୍ଦା କାରବାରରେ ସାମିଲ ହୋଇଥିଲା। ଏଥିରେ ତାକୁ ପୁରୀଘାଟର ବିଜୟ କୁମାର କମାଣୀ ସହଯୋଗ କରୁଥିଲା। ଉଭୟ ମିଶି ଜର୍ଦ୍ଦା କାରବାର କରୁଥିଲେ। ଜର୍ଦ୍ଦା କାରବାରରୁ ହିଁ ରବୀନ୍ଦ୍ର ଖାନନଗରରେ କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ଏକ ତିନି ମହଲା କୋଠା ବି କରିଛି। ଗଲା ୫ ମାସ ହେବ ସେ ପୁରୀ ବସଷ୍ଟାଣ୍ଡ ପଛପଟ ନ୍ୟୁ କମଳପୁରରେ ଏକ ଆବାସିକ ଅଞ୍ଚଳରେ ୪ଟି ଘର ଭଡ଼ା ନେଇ ନକଲି ଗୁଟଖା କାରବାର ଆରମ୍ଭ କରି ଦେଇଥିଲା। କଲିକତାରୁ କଟକ ଆସୁଥିବା ଯାତ୍ରୀବାହୀ ବସରେ ନକଲି ଗୁଟଖା ଚାଲାଣ ହେଉଥିଲା। ଏହି ଭଡ଼ା ଘରେ ଗୁଟଖା ଗୋଦାମ କରିଥିଲେ ରବୀନ୍ଦ୍ର ଓ ତାର ସହଯୋଗୀ। କଟକରୁ ଏହି ଗୁଟଖା ମୁଖ୍ୟତଃ ବଲାଙ୍ଗୀର, କୋରାପୁଟ, ଭଦ୍ରକ, ସୋନପୁର, ବାଲେଶ୍ବର ଜିଲ୍ଲାକୁ ପଠାଉଥିଲା। ସମ୍ପୃକ୍ତ ଜିଲ୍ଲାକୁ ଯାଉଥିବା ଯାତ୍ରୀବାହୀ ବସ୍ କିମ୍ବା ଟାଟା ଏସିଇରେ ଏହି ନକଲି ଗୁଟଖା ଚାଲାଣ କରାଯାଉଥିଲା। କଲିକତାରୁ କଟକ ଓ ଅନ୍ୟ ଜିଲ୍ଲାକୁ ଚାଲାଣ ହେଉଥିବା ଏହି ନକଲି ଗୁଟଖା ପଛରେ କୌଣସି କିଣା କିମ୍ବା ବିକ୍ରୟ ବିଲ୍ ବି ନଥାଏ। ଆଜି ପୁଲିସ ଯେଉଁ ୧୩୬ ବସ୍ତା ଗୁଟଖା ଜବତ କରିଛି, ପ୍ରତି ବସ୍ତାରେ ୫୦ କେଜି ଓଜନର ଗୁଟଖା ରହିଛି। ୨୦୧୩ ଜାନୁଆରି ୧ ତାରିଖରେ ରାଜ୍ୟ ସରକାର ଗୁଟଖା ଏବଂ ପାନ ମସଲାର ପ୍ରସ୍ତୁତି, ଗଚ୍ଛିତ, ବିକ୍ରି ଏବଂ ଚାଲାଣ ଉପରେ ନିଷେଧାଦେଶ ଜାରି କରିଥିବା ବେଳେ ଆଜି ବିପୁଳ ପରିମାଣର ଗୁଟଖା ଜବତ ପରେ ପୁଲିସ ପାଇଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ସିଏମସି ପକ୍ଷରୁ ଗୁଟଖା ନମୁନା ସଂଗ୍ରହ କରି ଭୁବନେଶ୍ବର ରାମମନ୍ଦିର ନିକଟରେ ଥିବା ଫୁଡ ଆନାଲିସିସ୍ ଲାବ୍ରୋଟୋରିକୁ ପରୀକ୍ଷା ପାଇଁ ପଠାଯାଇଛି।

ସୂଚନାଯୋଗ୍ୟ ଯେ ୨୦୨୦ ବର୍ଷରେ କଟକ କମିସନରେଟ୍ ପୁଲିସରେ ପ୍ରାୟ ୨୫ଟି ମାମଲା କେବଳ ନକଲି ଖାଦ୍ୟ ସାମଗ୍ରୀକୁ ନେଇ ରୁଜୁ ହୋଇଥିଲା। ନକଲି ପନିର, ସସ୍, ମସଲା, ଖାଇବା ତେଲ, ଘିଅ ଇତ୍ୟାଦି ମାଲଗୋଦାମ ସମେତ ଜଗତପୁର, ଚୌଦ୍ବାର, ସଦର, ବାଦାମବାଡ଼ି, ପୁରୀଘାଟ, ଚାଉଳିଆଗଞ୍ଜ ଅଞ୍ଚଳରେ ପ୍ରସ୍ତୁତ ହୋଇଥିଲା। ଏହି ମାମଲାରେ ପୁଲିସ ପ୍ରାୟ ୫ କୋଟିରୁ ଅଧିକ ଟଙ୍କାର ନକଲି ସାମଗ୍ରୀ ଜବତ କରିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର