ରଣପୁର: ନୟାଗଡ଼ ଜିଲ୍ଲା ରଣପୁର ଓ ଆଖପାଖ ଅଚଂଳରେ ନିଜକୁ ଗୃହ ସଚିବ କହି ଲୋକଙ୍କୁ ଚୂନ ମାରି ଲକ୍ଷାଧିକ ଟଙ୍କା ଠକି ନେଉଥିବା ବହୁ ଚର୍ଚ୍ଚିତ କାହ୍ନୁ ପ୍ରଧାନ(୩୫) ଆଜି ପୁଲିସ ହାତରେ ଗିରଫ ହୋଇଥିବା ବେଳେ ଏକ କାର ସହ ବହୁ ନକଲି ପ୍ରମାଣପତ୍ର ଜବତ ହୋଇଥିବା ଜଣାଯାଇଛି।
ଆଇଆଇସି ରଶ୍ମିରଞ୍ଜନ ଦାଶଙ୍କ ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଚଂଳର କାହ୍ନୁ ପ୍ରଧାନ ଓରଫ କାହ୍ନୁ ଦୀର୍ଘ ଦିନ ଧରି ଲୋକଙ୍କୁ ନିଜକୁ ଗୃହ ସଚିବ, ଏପରିକି ଅନେକ ସମୟରେ ଏସ୍.ସି, ଏସ୍.ଟି କମିସନର, ବି.ଏମ.ସି କମିଶନର ଓ ଭାରତୀୟ ଜାତୀୟ ରାଜପଥ ଅଧିକାରୀର ପରିଚୟ ଦେଇ ବହୁ ଗରୀବ ନିରୀହ ଯୁବକଙ୍କୁ ଚାକିରି କରାଇଦେବା ଓ ତହସିଲ, ବ୍ଲକ, ଏନ.ଏ.ସି, ପଚାଂୟତ, ସବ୍ରେଜିଷ୍ଟାର, କୃଷି, ଶିକ୍ଷା, ଖଣି, କାଜୁ ଜଙ୍ଗଲ ନିଲାମ କରାଇଦେବା ଓ ବିଭିନ୍ନ ବିଭାଗୀୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସହଜରେ କାମ କରାଇଦେବା ଓ ଚାକିରି କରାଇଦେବା ବାହାନା ଦେଖାଇ ବହୁ ଗରୀବ ନିରୀହ ଯୁବକ ତଥା ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିଲା।
ଏ ନେଇ କାହ୍ନୁ ନାମରେ ଚାନ୍ଦପୁର ଥାନାରେ ଏକାଧିକ ମାମଲା ରୁଜୁ ହୋଇଥିଲା । ଗତ ୨ ମାସ ଧରି ପୁଲିସ ନଜରରେ ଥିବା ବେଳେ ଗତକାଲି କଟକସ୍ଥିତ ଏକ ଗୃହରେ ରହିଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଚଢଉ କରାଯାଇଥିଲା । ତେବେ ବହୁ ସଂଖ୍ୟାରେ ପୁଲିସଙ୍କ ଉପସ୍ଥିତି ଦେଖି କାହ୍ନୁ ହଡବଡେଇ ଯାଇଥିଲା। ପୁଲିସ ଟିମ୍ ତତକ୍ଷଣାତ କାହ୍ନୁକୁ କାବୁ କରିନେଇ ଚାନ୍ଦପୁର ଥାନାକୁ ଆଣି ପଚରାଉଚରା ଜାରି ରଖାଯାଇଥିଲା।
ତେବେ କାହ୍ନୁ ଠାରୁ ଏକ କାର ନମ୍ବର ଓଡି-୦୨ ବି.ଜି-୭୬୯୬, ବିଭିନ୍ନ ବିଭାଗର ୧୧ ଟି ନକଲି ପ୍ରମାଣ ପତ୍ର (ଆଇ.ଡି କାର୍ଡ), ୨ ଟି ମୋବାଇଲ, ବିଭିନ୍ନ ବ୍ୟାଙ୍କର ୫ ଟି ପାସବୁକ ସହିତ ଚେକ ବୁକ୍, ୧୫ ଏ.ଟି.ଏମ କାର୍ଡ, ୨ ଟି ଲାପ୍ଟଟ୍ ଓ ଏକ ଡାଏରୀ ଜବତ ହୋଇଥିବା ଜଣାଯାଇଛ। ଉକ୍ତ ଡାଏରୀରେ ରଣପୁର ବ୍ଲକର ବ୍ଲକ, ତହସିଲ, ଏନଏସି, ଶିକ୍ଷା ବିଭାଗ ଆଦି ବିଭିନ୍ନ ବିଭାଗର ସମସ୍ତ ଅଧିକାରୀଙ୍କ ନମ୍ବର ଉକ୍ତ ଡାଏରୀରେ ଥିବା ବେଳେ ବହୁ ଆପତି ଜନକ ତଥ୍ୟ ଓ ଅଧିକାରୀଙ୍କ ନାମ ମିଳିଛି ବୋଲି ଆଇଆଇସି ଶ୍ରୀ ଦାଶ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/9bbc0c77-4b68-45a0-927a-b0c2293bd20a.jpg)