କଟକରେ ଧୂପକାଠି ବି ନକଲି: ୨୫ ଲକ୍ଷ ଟଙ୍କାର ଧୂପକାଠି ଜବତ; କଲିକତାରୁ ଖୋଳ, ବାଙ୍କୀରୁ କଞ୍ଚାମାଲ୍ ଆମଦାନୀ

କଟକ : ଗଙ୍ଗାମନ୍ଦିର ନିକଟରେ ଦୀର୍ଘ ୧୦ ବର୍ଷ ହେବ ଚାଲିଆସିଥିବା ଏକ ନକଲି ଧୂପକାଠି ଫ୍ୟାକ୍ଟ୍ରି ଉପରେ ଚଢ଼ଉ କରିଛି ଲାଲବାଗ ଥାନା ପୁଲିସ। ପାଖାପାଖି ୨୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ମାଲ୍ ପୁଲିସ ଜବତ କରିଛି। ଏହି ମାମଲାରେ ପୁଲିସ ଫ୍ୟାକ୍ଟ୍ରି ମାଲିକ ମନୋଜ କୁମାର ଡ୍ରୁଲିଆକୁ ଗିରଫ କରିଛି। ତା ଘର ମହତାବ ରୋଡ ନାରାୟଣ ଲେନ୍ ଅଞ୍ଚଳରେ। ତେବେ ଏହି ନକଲି କାରବାରରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେ ନେଇ ପୁଲିସ ତଦନ୍ତ କରୁଛି।

ସୂଚନା ଅନୁଯାୟୀ, ବି.ଆର ଟ୍ରେଡର୍ସ ନାଁରେ ମନୋଜ ଏକ ଧୂପକାଠି ଫ୍ୟାକ୍ଟ୍ରି ଖୋଲିଥିଲା। କିନ୍ତୁ ଏହି କମ୍ପାନି ନାଁରେ କୌଣସି ପ୍ରକାର ପଞ୍ଜିକରଣ ଜିଲ୍ଲା ଶିଳ୍ପ କେନ୍ଦ୍ର(ଡିଆଇସି)ରେ ହୋଇନଥିବା ପୁଲିସ ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ କରିଛି। ତେବେ ମନୋଜ ସମାଜ ଧୂପକାଠି କମ୍ପାନିର ସମାଜ ମୋକ୍ଷ ଧୂପକାଠି, ବ୍ଲାକ ଷ୍ଟୋନ୍ ଧୂପକାଠିର ନକଲି ଧୂପକାଠି ଖୋଲା ବଜାରରେ ଅଳ୍ପ ମୂଲ୍ୟର ବିକ୍ରି କରୁଥିଲା। କଲିକତାରୁ ଅବିକଳ ଏହି ଦୁଇଟି ନାଁରେ ଥିବା ଖୋଳ ଆମଦାନୀ କରିଆସୁଥିଲା। ବାଙ୍କୀ କଳାପଥର ଅଞ୍ଚଳରୁ ସ୍ବୟଂ ସହାୟକ ଗୋଷ୍ଠୀରୁ ଧୂପକାଠି ଆଣୁଥିଲା। ଏହି ଧୂପକାଠିରେ କଳା ରଙ୍ଗ ଓ ବାସ୍ନା ସ୍ପ୍ରେ କରି ସମାଜ କମ୍ପାନିର ଦୁଇ ପ୍ରକାର ଧୂପ ଖୋଳରେ ପ୍ୟାକିଂ କରି ବଜାରକୁ ଛାଡ଼ୁଥିଲା। କଟକ ଜିଲ୍ଲାର ସାଲେପୁର, ଢେଙ୍କାନାଳ, ଅନୁଗୁଳ, ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଅଞ୍ଚଳକୁ ନିୟମିତ ପଠାଯାଉଥିଲା। ଅସଲି ସମାଜ ଧୂପକାଠିରୁ କମ୍ ମୂଲ୍ୟରେ ଏହି ନକଲି ଧୂପକାଠି ବିକ୍ରି କରାଯାଉଯାଉଛି। ଏହି ଫ୍ୟାକ୍ଟ୍ରିରେ ପୁଲିସ ଚଢ଼ଉ ପରେ ୪୦ ବସ୍ତା ନକଲି ଧୂପକାଠି, ୩୦ ଲିଟର ରଙ୍ଗ, ଅତର, ଗୋଟିଏ ଓଜନ ମେସିନ୍ ଜବତ କରାଯାଇଛି। ବିଶ୍ବସ୍ତ ସୂତ୍ରରୁ ଖବର ପାଇଁ ଥାନା ଆଇଆଇସି ରବିନାରାୟଣ ଭଞ୍ଜଙ୍କ ସମେତ ଏକ ପୁଲିସ ଟିମ୍ ଆଜି ଚଢ଼ଉ କରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର