ପାରାଦୀପରୁ ନକଲି ଆୟକର ଇନ୍‌ସ‌ପେକ୍ଟର ଗିରଫ, ଚାକିରି ଦେବା ନାଁରେ ସାଙ୍ଗକୁ ଠକୁଥିଲା

ଜଗତସିଂହପୁର : ପାରାଦୀପ ଆଦର୍ଶ ଥାନା ପୁଲିସ ଆଜି ଜଣେ ନକଲି ଆୟକର ଇନ୍‌ସପେକ୍ଟରକୁ ଗିରଫ କରିଛି। କଟକ ଜିଲ୍ଲା ନେମାଳ ଥାନା ତିଳକଣ ଗାଁର ଏହି ଯୁବକର ନାଁ ଶୁଭ୍ରାଂଶୁ ଜେନା(୨୯) ଓ ଭୁବନେଶ୍ବରର ଚକେଇସିଆଣିରେ ରହେ। ନିଜକୁ ଆୟକର ବିଭାଗର ଇନ୍‌ସପେକ୍ଟର ପରିଚୟ ଦେଇ ନିଜର ପିଲାଦିନ ସାଙ୍ଗକୁ ଲୁଟୁଥିବା ବେଳେ ପୁଲିସ ଗିରଫ କରିଛି।

ଇନ୍‌ସପେକ୍ଟର ରଜନୀକାନ୍ତ ସାମଲଙ୍କ ସୂଚନା ଅନୁଯାୟୀ, ଅଭିଯୁକ୍ତ ଶୁଭ୍ରାଂଶୁ ଓ ଅଭିଯୋଗକାରୀ ପ୍ରଫୁଲ୍ଲ କୁମାର ସ୍ବାଇଁ ଦଶମ ଶ୍ରେଣୀ ଯାଏ ସାଙ୍ଗ ହୋଇ ପାଠ ପଢ଼ୁଥିଲେ। ପରେ ପ୍ରଫୁଲ୍ଲ ଅନ୍ୟତ୍ର ପାଠ ପଢ଼ି ବାଙ୍ଗାଲୋରରେ ଏକ ଘରୋଇ କମ୍ପାନିରେ ଚାକିରି କରୁଥିଲେ। ପ୍ରଫୁଲ୍ଲଙ୍କର ସରଳତାର ସୁଯୋଗ ନେଇ ତାଙ୍କୁ ଠକି ଅର୍ଥ ଆଦାୟ କରିବା ପାଇଁ ଶୁଭ୍ରାଂଶୁ ଆୟକର ବିଭାଗରେ ଇନ୍‌ସପେକ୍ଟର ଚାକିରି କରୁଥିବା କହିଥିଲା ଏବଂ ସେ ପ୍ରଫୁଲ୍ଲଙ୍କୁ ଆୟକର ବିଭାଗରେ ଚାକିରି କରାଇ ଦେବ ବୋଲି କହିଥିଲା। ଏଥି ନିମନ୍ତେ ସେ ପ୍ରଫୁଲ୍ଲଙ୍କଠାରୁ ଅଗ୍ରୀମ ୫୦ ହଜାର ଟଙ୍କା ନେଇଯାଇଥିଲା ଓ ଚାକିରି ହେବା ସମୟରେ ଆଉ ଦେଢ଼ ଲକ୍ଷ ଟଙ୍କା ଦେବାକୁ ହେବ ବୋଲି କହିଥିଲା। ତା’ କଥାରେ ପ୍ରଫୁଲ୍ଲ ରାଜି ହୋଇ ବାଙ୍ଗାଲୋରରୁ ଚାକିରି ଛାଡ଼ି ପଳାଇ ଆସିଥିଲେ। ଆଜି ସକାଳେ ପ୍ରଫୁଲ୍ଲଙ୍କୁ ସାଥିରେ ଧରି ଶୁଭ୍ରାଂଶୁ ଭୁବନେଶ୍ବରରୁ ପାରାଦୀପ ବୁଲିବାକୁ ଆସିଥିଲା। ଦୁହେଁ ପାରାଦୀପ ସମୁଦ୍ର କୂଳ, ନେହରୁ ବଙ୍ଗଳା ପ୍ରଭୃତି ଅଞ୍ଚଳ ବୁଲୁଥିବା ବେଳେ ଶୁଭ୍ରାଂଶୁ ମୁଣ୍ତରେ ଏକ ଦୁଷ୍ଟ ବୁଦ୍ଧି ପଶିଥିଲା। ନିଜର ପାରିବାପଣିଆ ହେଉ ଅବା ପ୍ରଫୁଲ୍ଲଙ୍କ ମନରେ ବିଶ୍ବାସ ଜନ୍ମାଇବା ପାଇଁ; ସେ ପାରାଦୀପ ଆଦର୍ଶ ଥାନାକୁ ପ୍ରବେଶ କରିଥିଲା। ସେଠାରେ ନିଜକୁ ଆୟକର ବିଭାଗ ଇନ୍‌ସପେକ୍ଟର ପରିଚୟ ଦେଇ ଥାନାର ଜଣେ ଏସ୍‌ଆଇଙ୍କ ସହ କଥା ହୋଇଥିଲା। ଉକ୍ତ ଏସ୍‌ଆଇଙ୍କୁ ଜଣେ ଯୁବକଙ୍କ ଫଟୋ ଦେଖାଇ ତାଙ୍କ ପରିଚୟ ପଚାରିଥିଲା। ଏ କଥା ଶୁଣୁଥିବା ଆଉ ଜଣେ ପୁଲିସ କର୍ମଚାରୀ ଥାନା ଆଇଆଇସି ଶ୍ରୀ ସାମଲଙ୍କୁ ଏ ସମ୍ପର୍କରେ କହିଥିଲେ। ଶ୍ରୀ ସାମଲ ତୁରନ୍ତ ଶୁଭ୍ରାଂଶୁକୁ ନିଜ ରୁମ୍‌କୁ ଡାକି ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ଶୁଭ୍ରାଂଶୁ ହାବଭାବ ଓ କଥାବାର୍ତ୍ତାରୁ ସନ୍ଦେହ ହେବ‌ାରୁ ସେ ତାକୁ ପରିଚୟପତ୍ର ଦେଖାଇବା ପାଇଁ କହିଥିଲେ। ଏଥିରେ ସେ ହଡ଼ବଡେଇ ଯାଇ ପରିଚୟପତ୍ର ପାଖରେ ନ ଥିବା କହିଥିଲା। ଆବଶ୍ୟକ ପଡ଼ିଲେ ଫ୍ୟାକ୍ସ ଯୋଗେ ତାହା ମଗାଇ ପାରିବ ବୋଲି ସେ ଆଇଆଇସିଙ୍କୁ ଜୋର୍‌ ଦେଇ କହିଥିଲା। ଆଇଆଇସି ସାମଲ ସେଥିରେ ରାଜି ହୋଇଯିବାରୁ ଶୁଭ୍ରାଂଶୁ ଫସି ଯାଇଥିଲା ଓ ସବୁ ସତ ମାନି ଯାଇଥିଲା। ପୁଲିସ ଶୁଭ୍ରାଂଶୁକୁ ଗିରଫ କରି ସେ ଅନ୍ୟ କେଉଁମାନଙ୍କୁ ଠକିଛି ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର