ଗୁଇନ୍ଦା ବିଭାଗର ଜାଲ ଚିଠି ଘଟଣା : ମୋବାଇଲ୍‌ ନମ୍ବର ଠାବ

ଭୁବନେଶ୍ବର : ନକଲି ଗୁଇନ୍ଦା ଚିଠି ମାମଲାକୁ ନେଇ ଆଜି ଖାରବେଳନଗର ଥାନା ପୁଲିସ ନିକଟରେ ବିଜେପି ନେତା ସମୀର ମହାନ୍ତି ହାଜର ହେବା କଥା। କିନ୍ତୁ ସେ ଆଜି ଥାନାରେ ହାଜର ହୋଇ ନ ଥିଲେ। କିନ୍ତୁ ତାଙ୍କ ଆଇନଜୀବୀ ପାର୍ଥ ସାରଥୀ ନାୟକ ଥାନାରେ ହାଜର ହୋଇ ମତ ରଖିଛନ୍ତି। ସେ କହିଛନ୍ତି, ଏବେ ନିର୍ବାଚନ ସମୟ, ତେଣୁ ସମୀର ମହାନ୍ତି ବ୍ୟସ୍ତ ଅଛନ୍ତି। ନିର୍ବାଚନ ଶେଷ ପରେ ସେ ହାଜର ହୋଇ ପାରିବେ। ଅନ୍ୟପକ୍ଷରେ ଖାରବେଳନଗର ଥାନା ଇନ୍ସପେକ୍ଟର ବିଶ୍ବରଂଜନ ସେନାପତି କହିଛନ୍ତି, ଆଇନଜୀବୀ ତାଙ୍କ ପକ୍ଷ ରଖିଲେ ମଧ୍ୟ ଏ ନେଇ ସେ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିବେ। ଆଲୋଚନା ପରେ ଯାହା ସ୍ଥିର କରାଯିବ।

ସେହିପରି ଆସନ୍ତାକାଲି ଗୋଲକ ମହାପାତ୍ର ଓ ବୁଧବାର ଟଙ୍କଧର ତ୍ରିପାଠୀ ଥାନାରେ ହାଜର ହେବାକୁ ନୋଟିସ ହୋଇଛି।

ବିଜେପି ପକ୍ଷରୁ ଜାଲ ଓ ମିଥ୍ୟା ଗୁଇନ୍ଦା ଚିଠି ଗଣମାଧ୍ୟମରେ ଉପସ୍ଥାପନ କରାଯିବା ପରେ ଖାର‌ବେଳନଗର ଥାନା ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିଲା। ମାମଲା ରୁଜୁ ପରେ ଖାରବେଳନଗର ଥାନା ପୁଲିସ ପକ୍ଷରୁ ବିଜେପି ନେତା ସମୀର ମହାନ୍ତି, ଗୋଲକ ମହାପାତ୍ର ଓ ଟଙ୍କଧର ତ୍ରିପାଠୀଙ୍କୁ ହାଜର ହେବାକୁ କୁହାଯାଇଥିଲା। କିନ୍ତୁ ସେମାନେ ନ ଆସି ସେମାନଙ୍କ ଆଇନଜୀବୀ ଥାନାରେ ହାଜର ହୋଇ ନିଜ ମତ ରଖିଥିଲେ।

ଅନ୍ୟପକ୍ଷରେ ‌ଯେଉଁ ମୋବାଇଲ ନମ୍ବରରୁ ବିଜେପି ନେତାଙ୍କୁ ଚିଠି ଆସିଥିଲା ସେହି ନମ୍ବରକୁ ପୁଲିସ ଠାବ କରିଛି। ନମ୍ବର ବ୍ୟବହାର କରୁଥିବା ଯୁବକକୁ ପଚରା ଉଚୁରା କରାଯିବ ବୋଲି କମିସନର ସତ୍ୟଜିତ ମହାନ୍ତି କହିଛନ୍ତି।

ଏଠାରେ ପ୍ରକାଶଥାଉକି ସପ୍ତାହକ ତଳେ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଗୁଇନ୍ଦା ବିଭାଗର ଏକ ଚିଠି ଦେଖାଯାଇଥିଲା। ଯେଉଁ ଚିଠିକୁ ନେଇ ବିବାଦ ଉପୁଜିଥିଲା। ପରେ ପୁଲିସ ଡିଜି ଟୁଇଟ୍‌ କରି ଏହା ଏକ ଜାଲ୍‌ ଚିଠି ବୋଲି ଜଣାଇଥିଲେ।

ସମ୍ବନ୍ଧିତ ଖବର