ଭୁବନେଶ୍ବର : ନକଲ ଗୁଇନ୍ଦା ଚିଠିକୁ ନେଇ କମିସନରେଟ ପୁଲିସ ବିଜେପିର ୩ ନେତାଙ୍କୁ ଥାନାକୁ ଟାଣିବାକୁ ଯୋଜନା କରିଛି। ଏଥିପାଇଁ ଆଜି ଖାରବେଳନଗର ଥାନା ପୁଲିସ ପକ୍ଷରୁ ବିଜେପି ନେତା ସମୀର ମହାନ୍ତି, ଗୋଲକ ମହାପାତ୍ର ଓ ଟଙ୍କଧର ତ୍ରିପାଠୀଙ୍କୁ ପୁଣି ଥରେ ନୋଟିସ୍ ହୋଇଛି। ନୋଟିସରେ କୁହାଯାଇଛି ଆଇନଜୀବୀ ମାଧ୍ୟମରେ ନୁହେଁ, ବରଂ ବ୍ୟକ୍ତିଗତ ଭାବେ ଥାନାରେ ହାଜର ହୋଇ ନିଜ ମତ ରଖ। କମିସନେରଟ ପୁଲିସ ପକ୍ଷରୁ ଏଭଳି ନୋଟିସ ପରେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି।
ବିଜେପି ପକ୍ଷରୁ ଜାଲ ଓ ମିଥ୍ୟା ଗୁଇନ୍ଦା ଚିଠି ଗଣମାଧ୍ୟମରେ ଉପସ୍ଥାପନ କରାଯିବା ପରେ ଖାରବେଳନଗର ଥାନା ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିଲା। ମାମଲା ରୁଜୁ ପରେ ଖାରବେଳନଗର ଥାନା ପୁଲିସ ପକ୍ଷରୁ ବିଜେପି ନେତା ସମୀର ମହାନ୍ତି, ଗୋଲକ ମହାପାତ୍ର ଓ ଟଙ୍କଧର ତ୍ରିପାଠୀଙ୍କୁ ହାଜର ହେବାକୁ କୁହାଯାଇଥିଲା। ସମୀର ମହାନ୍ତି ଓ ଗୋଲକ ମହାପାତ୍ର ଗତ ଦୁଇ ଦିନ ହେବ ବ୍ୟକ୍ତିଗତ ଭାବେ ଥାନାକୁ ଆସି ନ ଥିଲେ। ସେମାନଙ୍କ ବଦଳରେ ସେମାନଙ୍କ ଆଇନଜୀବୀ ଥାନାରେ ହାଜର ହୋଇ ନିଜ ମତ ରଖିଥିଲେ।
ନେତା ବଦଳରେ ସେମାନଙ୍କ ଆଇନଜୀବୀମାନେ ଥାନାରେ ହାଜର ହେବା ଘଟଣାକୁ ଗ୍ରହଣ କରିପାରୁନି କମିସନରେଟ ପୁଲିସ। ତେଣୁ ଆଜି ପୁଣି ଥରେ ୩ ଜଣ ନେତାଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ କୁହାଯାଇଛି। ତେଣୁ ଆସନ୍ତାକାଲି(ସୋମବାର) ସମୀର ମହାନ୍ତି, ମଙ୍ଗଳବାର ଗୋଲକ ମହାପାତ୍ର ଓ ବୁଧବାର ଟଙ୍କଧର ବ୍ୟକ୍ତିଗତ ଭାବେ ହାଜର ହେବେ ବୋଲି କମିସନରେଟ ପୁଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ପ୍ରକାଶଥାଉକି, ଆଜି ମଧ୍ୟ ବିଜେପି ଯୁବ ନେତା ଟଙ୍କଧର ତ୍ରିପାଠୀ ଥାନାରେ ହାଜର ହେବାର ଥିଲା। କିନ୍ତୁ ସେ ହାଜର ହୋଇ ନ ଥିଲେ। ତାଙ୍କ ଆଇନଜୀବୀ ପାର୍ଥ ସାରଥୀ ନାୟକ ଥାନାରେ ହାଜର ହୋଇ ଗଣମାଧ୍ୟମକୁ କହିଥିଲେ ଯେ ଯିଏ ଏଭଳି ମିଥ୍ୟା ଓ ଜାଲ କାଗଜପତ୍ର ଭାଇରାଲ କରିଛି, ତାକୁ ପୁଲିସ ଗିରଫ କରୁ। କାରଣ ଯାହାଠୁ ଆମେ ପାଇଛୁ, ତାର ନାଁ ପୁଲିସକୁ ଦେଇ ଦେଇଛୁ। ସତ୍ୟର ଅନୁସନ୍ଧାନ କରିବା କାମ ପୁଲିସର। କେଉଁ ହ୍ବାଟସଆପ ନମ୍ବରରୁ କାହା ପାଖକୁ ଏଭଳି ଚିଠି ଆସିଥିଲା ପୁଲିସ ତାକୁ ଖୋଜୁ। ବଡ଼ କଥା ହେଉଛି, ଯେଉଁ ଦିନ ଟଙ୍କଧର ଏଭଳି କାଗଜ ଗଣମାଧ୍ୟମକୁ ଦେଖାଉଥିଲେ ସେହି ଦିନ ଅନ୍ୟମାନେ ମଧ୍ୟ ସାମନ କାଗଜ ଗଣମାଧ୍ୟମକୁ ଦେଖାଇଥିଲେ। ପୁଲିସ ସେମାନଙ୍କୁ କାହିଁକି ନୋଟିସ୍ କରିନାହିଁ ବୋଲି ଆଇନଜୀବୀ ପ୍ରାର୍ଥସାରଥୀ ସୂଚନା ଦେଇଛନ୍ତି।
କମିସନରେଟ ପୁଲିସଠାରୁ ମିଳିଥିବା ସୂଚନା ମୁତାବକ, ସିଆରପିସିର ୯୧ ଅନୁଯାୟୀ, ଏହି ନୋଟିସ୍ କରାଯାଇଛି। ବିଜେପର ନେତାମାନେ କେଉଁ ପରିସ୍ଥିତିରେ ଏହି ଜାଲ କାଗଜପତ୍ର ପାଇଲେ, କିଏ ସେମାନଙ୍କୁ ଯୋଗାଇଥିଲା, ସେ ନେଇ ପଚରାଉଚରା କରାଯିବ। ସେମାନଙ୍କଠାରୁ ତଥ୍ୟ ମିଳିବା ପରେ ଏହି ଘଟଣାର ମୂଳ ପର୍ଯ୍ୟନ୍ତ ପୁଲିସ ଯିବାକୁ ଉଦ୍ୟମ କରିବ। କେଉଁ ଉଦ୍ଦେଶ୍ୟ ରଖି କିଏ ଏଭଳି ମିଥ୍ୟା ଓ ଜାଲ କାଗଜପତ୍ର ଏକ ରାଜନୈତିକ ଦଳକୁ ପ୍ରଦାନ କରିଥିଲା ଏବଂ ପରବର୍ତୀ ସମୟରେ ଉକ୍ତ ରାଜନୈତିକ ଦଳ ଗଣମାଧ୍ୟମ ସମ୍ମୁଖରେ ଏହି ଜାଲ କାଗଜ ପରିବେଷଣ କରିଥିଲା ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ। ବିଜେପିର ମିଡିଆ ସେଲ୍କୁ ଏହି ତଦନ୍ତରେ ଅନ୍ତର୍ଭୁକ୍ତ କରାଯିବ। ଏଭଳି ଜାଲ କାଗଜପତ୍ର କେଉଁଠି ପ୍ରସ୍ତୁତି ହୋଇଛି ସେ ନେଇ ମଧ୍ୟ ଅନୁସନ୍ଧାନ କରାଯାଉଛି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ଉକ୍ତ ଅଧିକାରୀଙ୍କ କହିବା ମୁତାବକ, ଯେଉଁ କାଗଜ ବିଜେପି ନେତାମାନେ ଗଣମାଧ୍ୟମକୁ ଦେଖାଇଥିଲେ ସେଥିରେ ଥିବା ଦସ୍ତଖତ ଜାଲ। ତାରିଖ ମଧ୍ୟ ନାହିଁ। ଯେଉଁ ଚିଠି ନମ୍ବର ପଡ଼ିଛି ଗୁଇନ୍ଦା ବିଭାଗ ସେଭଳି କୌଣସି ନମ୍ବର ପକାଇ ନ ଥାଏ। ତେଣୁ ସେହି କାଗଜକୁ ଜବତ କରାଯିବ ସହ ଫୋରେନସିକ ଯାଞ୍ଚ ପାଇଁ ପଠାଯିବ। ଏଭଳି ଜାଲ କାଗଜପତ୍ର କେଉଁଠୁ ପ୍ରସ୍ତୁତ ହୋଇଛି ତାହା ଜଣାପଡ଼ିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଏଠାରେ ପ୍ରକାଶଥାଉକି ଗତ ସୋମବାର ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଗୁଇନ୍ଦା ବିଭାଗର ଏକ ଚିଠି ଦେଖାଯାଇଥିଲା। ଯେଉଁ ଚିଠିକୁ ନେଇ ବିବାଦ ଉପୁଜିଥିଲା। ପରେ ପୁଲିସ ଡିଜି ଟୁଇଟ୍ କରି ଏହା ଏକ ଜାଲ୍ ଚିଠି ବୋଲି ଜଣାଇଥିଲେ।