କଂଟାବାଞ୍ଜି : ନକଲି ସାମଗ୍ରୀ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହୁଥିବା ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରରୁ ବୁଧବାର ପୁଣି ନକଲି ସାମଗ୍ରୀ ଠାବ ହୋଇଛି। ଛତିଗଡ଼ର ଜଣେ ବ୍ୟକ୍ତି ନିଜକୁ କମ୍ପାନିର ଏଜେଣ୍ଟ ପରିଚୟ ଦେଇ ଏଭଳି ନକଲି ସାମଗ୍ରୀ ବିକ୍ରି ପାଇଁ ଉଦ୍ୟମ କରୁଥିବା ବେଳେ ପୁଲିସ ହାତରେ ଧରାପଡ଼ିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ ବୁଧବାର ଛତିଗଡ଼ର ଉକ୍ତ ଯୁବକ କଂଟାବାଞ୍ଜିର ବିଭିନ୍ନ ଦୋକାନକୁ ଯାଇ ବିଭିନ୍ନ ସାମଗ୍ରୀର ନମୁନା ଦେଖାଇ ବିକ୍ରି କରିବାକୁ ଚେଷ୍ଟା କରୁଥିଲେ। ନମୁନାରେ ସେ ଡେଟଲ ସାବୁନ, ଏଭରେଷ୍ଟ କମ୍ପାନିର ମସଲାଗୁଣ୍ଡ, ଫେବିକ୍ୱିକ ଓ ଇନୋ ଦେଖାଉଥିଲେ। ଅନେକ ବ୍ୟବସାୟୀ ସହଜରେ ଏହା ନକଲି ବୋଲି ଜାଣିପାରି ନଥିଲେ। ଜଣେ ବ୍ୟବସାୟୀ ଏହାକୁ ନକଲି ବୋଲି ଠାବ କରି କଂଟାବାଞ୍ଜି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ଉକ୍ତ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ତାଙ୍କଠାରୁ ୫୪ଟି ଇନୋ, ୭୮ଟି ଫେବିକ୍ୱିକ ପାଉଚ୍, ୨୭ଟି ଡେଟଲ ସାବୁନ, ୬୦ଟି ଏଭରେଷ୍ଟ ଚିକେନ ମସଲା ପାଉଚ ଜବତ କରିଥିଲା। ପରେ ସଂପୃକ୍ତ କମ୍ପାନିଗୁଡ଼ିକ ସହ କଥା ହୋଇ ଏହା ନକଲି ନାଁ ଅସଲି ତାର ଖୋଜ ପୁଲିସ ଆରମ୍ଭ କରିଛି। ଅନ୍ୟପଟେ ପୁଲିସ ଏହାର ଯାଞ୍ଚ ପାଇଁ ବଲାଙ୍ଗୀର ଖାଦ୍ୟ ସୁରକ୍ଷା ବିଭାଗ ସହ ଯୋଗାଯୋଗ କରିଥିବା ସୂଚନା ମିଳିଛି।