ଭଦ୍ରକ: ଭଦ୍ରକ ପୁରୁଣାବଜାର ହେଲାସାହି ଅଞ୍ଚଳରେ ଚାଲୁଥିବା ନକଲି ଜର୍ଦ୍ଦା ତିଆରି କାରଖାନା ଉପରେ ଚଢ଼ଉ କରିଛି ପୁଲିସ। ଘଟଣାସ୍ଥଳରୁ ବିପୁଳ ପରିମାଣର ଜର୍ଦ୍ଦା ଜବତ ହୋଇଥିବା ବେଳେ ୨ ଜଣଙ୍କୁ ଗିରଫ କରାଯାଇଛି। ଭଦ୍ରକର ପୁରୁଣାବଜାର ଅଞ୍ଚଳ ନକଲି ଜର୍ଦ୍ଦା ତିଆରିର ପେଣ୍ଠସ୍ଥଳୀ। ଏଠାରେ ମାସକୁ କୋଟି କୋଟି ଟଙ୍କାର ନକଲି ଜର୍ଦ୍ଦା ତିଆରି କରାଯାଇ ବିଭିନ୍ନ ଅଞ୍ଚଳକୁ ପଠାଯାଉଛି। ପୁଲିସ ଥରେ ଅଧେ ଚଢ଼ଉ କରି ନକଲି ଜର୍ଦ୍ଦା ଓ ସାମଗ୍ରୀ ଜବତ କରୁଥିଲେ ବି ମୁଖ୍ୟ କାର୍ପଟଦାର ଧରାପଡୁନାହାନ୍ତି।
ତେବେ ଗତକାଲି ଗୋଇନ୍ଦା ସୂତ୍ରରୁ ଖବର ପାଇ ଭଦ୍ରକ ସିଟି ଡିଏସ୍ପି ଅଂଶୁମାନ ଦ୍ବିବେଦୀଙ୍କ ନେତୃତ୍ବରେ ପୁଲିସର ଏକ ଟିମ୍ ବିଳମ୍ବିତ ରାତିରେ ପୁରୁଣା ବଜାର ହେଲାସାହିରେ ୩ଟି ନକଲି ଜର୍ଦ୍ଦା କାରଖାନା ଉପରେ ଚଢ଼ଉ କରିଥିଲେ। ଧରପଗଡ଼ ବେଳେ ବିପୁଳ ପରିମାଣର ନକଲି ଜର୍ଦ୍ଦା, ନକଲି ଜର୍ଦ୍ଦା ତିଆରି ରଙ୍ଗ, ଜର୍ଦ୍ଦା ବାସ୍ନା ପାଇଁ ବ୍ୟବହୃତ ବିଭିନ୍ନ କେମିକାଲ୍, ନାମୀଦାମୀ ଜର୍ଦ୍ଦା କମ୍ପାନିର ଲୋଗୋ, ଡବା, ପ୍ୟାକିଂ ମେସିନ୍ ଆଦି ଜବତ କରିଥିଲେ। ଜବତ ସାମଗ୍ରୀର ମୂଲ୍ୟ ୬୦ ଲକ୍ଷରୁ ଅଧିକ ହେବ ବୋଲି ପୁଲିସ କହିଛି। ଏହି ଘଟଣାରେ ତିନୋଟି ମାମଲା ୨୦୪/୧୧, ୨୦୫/୧୧ ଓ ୨୦୬/୧୧ ରୁଜୁ କରାଯାଇଥିବା ବେଳେ ସେକ୍ ରବନୀ (୩୧) ଓ ସେକ୍ ଖାଲିକ୍ (୨୦)ଙ୍କୁ ଗିରଫ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ମୀର ଏନାମ୍ ଫେରାର ହୋଇଯାଇଛି। ଖୁବ୍ଶୀଘ୍ର ପୁଲିସ ତାଙ୍କୁ ଗିରଫ କରିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଭଦ୍ରକ ସିଟି ଡିଏସ୍ପି ଅଂଶୁମାନ ଦ୍ବିବେଦୀ କହିଛନ୍ତି।
ସୂଚନାଯୋଗ୍ୟ, ଭଦ୍ରକର ନକଲି ଜର୍ଦ୍ଦା କାରବାର ଚେର ଓଡ଼ିଶାର ବିଭିନ୍ନ ଅଞ୍ଚଳ ସମେତ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ପର୍ଯ୍ୟନ୍ତ ଲମ୍ବିଛି। ଗୋପାଲ, ଶିବଦତ୍ତା, ବାବା, ରତ୍ନା, କନକ ଆଦି ବିଭିନ୍ନ ନାମୀଦାମୀ ଜର୍ଦ୍ଦା କମ୍ପାନିର ଲୋଗୋ କୋଲକାତାରୁ ଆଣି ଏଠାରେ ନକଲି ଜର୍ଦ୍ଦା ତିଆରି କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/khfkhffkh.jpg)