ମହିଳାଙ୍କୁ ଧମକ ଦେଇ ନକଲି ସାମ୍ବାଦିକ ଗିରଫ 

ସମ୍ବଲପୁର: ମୁଁ ସାମ୍ବାଦିକ, ମୋର କେହି କିଛି କରିପାରିବେ ନାହିଁ। ମୋ ଭାଇ ପରିବାରକୁ ନଷ୍ଟ କରିଦେଇଛୁ। ମତେ ୧୦ ଲକ୍ଷ ଟଙ୍କା ଦେ, ନହେଲେ ଅଶ୍ଳୀଳ ଫଟୋ ଭାଇରାଲ୍‌ କରିଦେବି। ଝିଅକୁ ଲୋକ ଲଗାଇ ଦୁଷ୍କର୍ମ କରିଦେବି। ଧନୁପାଲି ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଏଭଳି ଧମକ ଦେଉଥିବା ଅଭିଯୋଗରେ ପୁଲିସ ନକଲି ସାମ୍ବାଦିକ କାନିଜୁରୀର କୁନା ତ୍ରିପାଠୀକୁ ଶନିବାର ଗିରଫ କରିଛି।

ପୁଲିସ ସୂଚନା ଅନୁଯାୟୀ, କିଛି ମାସ ହେବ ନିଜକୁ ସାମ୍ବାଦିକ ବୋଲି କହୁଥିବା କୁନା ତ୍ରିପାଠୀ ତାଙ୍କ ସମ୍ପର୍କୀୟ ମହିଳାଙ୍କୁ ହଇରାଣ କରି ଆସୁଥିଲା। ଘରକୁ ଯାଇ ଗାଳିଗୁଲଜ କରିବା ସହ ଫୋନ୍‌ରେ ଅଶ୍ଳୀଳ ମେସେଜ୍‌ ପଠାଉଥିଲେ। ମହିଳା ଜଣକ ସମ୍ବଲପୁରରେ ସରକାରୀ ଚାକିରି କରୁଥିବା ବେଳେ ତାଙ୍କ ନଣନ୍ଦ କୁନା ତ୍ରିପାଠୀଙ୍କ ଭାଇଙ୍କୁ ବିବାହ କରିଛନ୍ତି। କିଛି ମାସ ତଳେ କୁନାର ଭାଇ ଓ ଭାଉଜଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା। ପରେ ‘ସଖୀ-ଵାନ୍‌ ଷ୍ଟପ୍‌ ସେଣ୍ଟର୍‌’ରେ ବୁଝାସୁଝା ପରେ ଉଭୟେ ପୁଣିଥରେ ଏକାଠି ରହିଲେ। କୁନା କିନ୍ତୁ ସମ୍ବଲପୁରରେ କାର୍ଯ୍ୟରତ ମହିଳାଙ୍କ ଉପରେ ଅଭିଯୋଗ ଆଣୁଥିଲେ। ସେ ତାଙ୍କ ନଣନ୍ଦଙ୍କୁ ଶିଖାଇ ଭାଇଙ୍କ ପରିବାରକୁ ନଷ୍ଟ କରିଛନ୍ତି ଏବଂ ଟଙ୍କା, ଜମିବାଡ଼ି ଠକି ନେଇଛନ୍ତି। ଏଭଳି ଅଭିଯୋଗ ଆଣିବା ସହିତ କୁନା ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ମାଗିଥିଲା।

ଟଙ୍କା ନଦେଲେ ତାଙ୍କ ଫଟୋକୁ ଏଡିଟ୍‌ କରି ଅଶ୍ଳୀଳ ଭାବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ କରିଦେବାକୁ ଧମକ ଦେଉଥିଲା। କେବଳ ସେତିକି ନୁହେଁ, ମହିଳାଙ୍କ ୧୫ ବର୍ଷୀୟ ଝିଅକୁ ଲୋକ ଲଗାଇ ଉଠାଇ ନେଇ ଦୁଷ୍କର୍ମ କରାଇଦେବି ବୋଲି କହୁଥିଲେ। ରାତି ୨ଟା ପରେ ବାରମ୍ବାର ମହିଳାଙ୍କ ଘରକୁ ଯାଇ ଏଭଳି ଧମକ ଦେଉଥିବାରୁ ମହିଳା ଜଣକ ଭୟଭୀତ ହୋଇ ଥାନାର ଦ୍ବାରସ୍ଥ ହୋଇଥିଲେ। ମହିଳାଙ୍କ ଅଭିଯୋଗ ପରେ ଧନୁପାଲି ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତ କୁନା ତ୍ରିପାଠୀକୁ ପୁଲିସ ଗିରଫ କରି ଶନିବାର କୋର୍ଟଚାଲାଣ କରିଛି। ନକଲି ସାମ୍ବାଦିକ ଜଣକ ଭବାନୀପାଟଣା ‘ସଖୀ ସେଣ୍ଟର୍‌’ ପରିଚାଳିକାଙ୍କୁ ମଧ୍ୟ ଅଶ୍ଳୀଳ ମେସେଜ୍‌ ପଠାଇବା ସହ ଗାଳିଗୁଲଜ କରିଥିଲା। ଏ ନେଇ ପରିଚାଳିକା ଗତ ୧୭ ତାରିଖରେ କୁନା ବିରୋଧରେ ଭବାନୀପାଟଣା ଥାନାରେ ଏତଲା ମଧ୍ୟ ଦେଇଛନ୍ତି।

ସମ୍ବନ୍ଧିତ ଖବର