କେନ୍ଦୁଝର: ନକଲି ଜମିରେ ନକଲି ଚାଷ। ଶଶ୍ମାନ, ଖେଳପଡ଼ିଆ, କୋଠାଘର, ପୋଖରୀ ଆଦିକୁ ଚାଷଜମି ଦର୍ଶାଇ ଧାନ ବିକିବାକୁ ଚାଷୀମାନେ ପଞ୍ଜୀକରଣ କରିଛନ୍ତି। ଉପଗ୍ରହ (ସାଟେଲାଇଟ୍) ସର୍ଭେରୁ ଏହି ଜାଲିଆତି ଧରାପଡ଼ିଛି। ପଞ୍ଜିକୃତ ହୋଇଥିବା ୧୬ ହଜାର ୯୭୧ଟି ପ୍ଲଟ୍ରେ ଧାନଚାଷ ହୋଇନଥିବା ଜଣାପଡ଼ିଛି। ସେହିପରି ୬୧ ହଜାର ୯୧୪ଟି ପ୍ଲଟ୍ ସନ୍ଦେହ ଘେରରେ ରହିଛି।
୧୭ ହଜାର ପ୍ଲଟ୍ରେ ହୋଇନି ଚାଷ
ସନ୍ଦେହଘେରରେ ୬୨ ହଜାର ପ୍ଲଟ୍
କେନ୍ଦୁଝର ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ପାଇଁ ଡିସେମ୍ବର ୧୦ରୁ ମଣ୍ଡି ଖୋଲିବ। ସାଟେଲାଇଟ୍ ସର୍ଭେ ପରେ ଏବେ କ୍ଷେତ୍ର ପରିଦର୍ଶନ ଆରମ୍ଭ ହୋଇଛି। ୧୩ଟି ତହସିଲର ୧୭୫୮ଟି ରାଜସ୍ବ ଗାଁରେ ୨୨୨ଜଣ ରାଜସ୍ବ କର୍ମଚାରୀ କ୍ଷେତ୍ର ପରିଦର୍ଶନ ଆରମ୍ଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ୧୯ ହଜାର ୫୪୯ଟି ପ୍ଲଟ୍ରେ (୩୨%) ସର୍ଭେ ଶେଷ ହୋଇଛି। ଆହୁରି ୪୨ ହଜାର ୩୬୫ଟି ପ୍ଲଟ୍ର ସର୍ଭେ ବାକି ଥିବା ଜଣାପଡ଼ିଛି। ପୂର୍ବରୁ ଚାଷୀମାନେ ଯେଉଁ ଜମି ତଥ୍ୟ ଦେଇ ନାମ ପଞ୍ଜୀକରଣ କରୁଥିଲେ ତାହାର କୌଣସି ଯାଞ୍ଚ ହେଉନଥିଲା। ମଣ୍ଡିରେ ସେମାନଙ୍କଠାରୁ ଧାନ କିଣାଯାଉଥିଲା। ଗତ ଦୁଇବର୍ଷ ହେଲା ସାଟେଲାଇଟ୍ ସର୍ଭେ ସାଙ୍ଗକୁ କ୍ଷେତ୍ର ପରିଦର୍ଶନ କରାଯାଉଛି। ସର୍ଭେ ଭୟରେ ଅନେକ ଚାଷୀ ଭୁଲ ଜମିଜମା ତଥ୍ୟ ଦେଇ ନାମ ପଞ୍ଜୀକରଣ କରିବାକୁ ପଛଘୁଞ୍ଚା ଦେଉଛନ୍ତି। ୨୦୨୨ରେ ୬୪ ହଜାର ୨୦୨ଜଣ ଚାଷୀ ଧାନବିକ୍ରି ପାଇଁ ନାମ ପଞ୍ଜୀକରଣ କରିଥିଲେ। ଗତବର୍ଷ ପଞ୍ଜିକୃତ ଚାଷୀଙ୍କ ସଂଖ୍ୟା ହ୍ରାସ ପାଇ ୬୦ ହଜାର ୯୪୧ରେ ପହଞ୍ଚିଥିଲା। ଚଳିତବର୍ଷ ଅର୍ଥାତ ୨୦୨୪ରେ ପଞ୍ଜିକୃତ ଚାଷୀଙ୍କ ସଂଖ୍ୟା ଅହୁରି ହ୍ରାସ ପାଇ ୫୯ ହଜାର ୬୭୩ରେ ପହଞ୍ଚିଛି। ଏତେସବୁ ସତ୍ତ୍ବେ ଚଳିତବର୍ଷ ୬୧ ହଜାର ୯୧୪ଟି ପ୍ଲଟ୍ରେ ଧାନଚାଷ ହୋଇନଥିବା ସନ୍ଦେହ କରାଯାଉଛି। ସାଟେଲାଇଟ୍ ସର୍ଭେ ଓ କ୍ଷେତ୍ର ପରିଦର୍ଶନ ପରେ ୧୬ ହଜାର ୯୭୧ଟି ପ୍ଲଟ୍ରେ ଚାଷ ହୋଇନଥିବା ସ୍ପଷ୍ଟ ହୋଇଛି। କ୍ଷେତ୍ର ପରିଦର୍ଶନ ସମ୍ପୂର୍ଣ୍ଣ ହେଲେ ନକଲି ପ୍ଲଟ୍ ସଂଖ୍ୟା ବଢ଼ିବ ବୋଲି କୁହାଯାଉଛି।
ଚଳିତବର୍ଷ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କାରେ କିଣାଯିବ। ଏଥିପାଇଁ ଅନେକ ଚାଷୀ ଧାନଚାଷ ହୋଇ ନଥିବା ଜମି, ଘରବାଡ଼ି କିସମ ଜମି, ଶ୍ମଶାନ, ଖେଳପଡ଼ିଆ, କୋଠାଘର ଥିବା ଜମିର କାଗଜପତ୍ର ଦେଇ ଧାନ ବିକିବାକୁ ନାମ ପଞ୍ଜୀକରଣ କରିଛନ୍ତି। ସର୍ଭେ ପରେ ଧାନଚାଷ ହୋଇନଥିବା ପ୍ଲଟ୍ ଗୁଡ଼ିକ ଠାବ ହେବାରେ ଲାଗିଛି। ଏ ସମ୍ପର୍କରେ ଡିଆର୍ସିଏସ୍ ଶୁଭ୍ରକାନ୍ତି ତୁଙ୍ଗ କହିଛନ୍ତି, ସାଟେଲାଇଟ୍ ସର୍ଭେରେ ଯେଉଁ ପ୍ଲଟ୍ଗୁଡ଼ିକୁ ସନ୍ଦେହ କରାଯାଉଛି, ତୁରନ୍ତ ସେଠାକୁ ରାଜସ୍ବ ବିଭାଗ କର୍ମଚାରୀମାନେ କ୍ଷେତ୍ର ପରିଦର୍ଶନରେ ଯାଉଛନ୍ତି। କ୍ଷେତ୍ର ପରିଦର୍ଶନ ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସୁଛି ବୋଲି ସେ କହିଛନ୍ତି।