ଗଞ୍ଜାମରେ ନକଲି ମଦର ବନ୍ୟା

କାଳ ସାଜିବ ସ୍ପିରିଟ୍‌ ମିଶ୍ରିତ ଜହର
କୋଲକାତାରୁ ଆସୁଛି କଞ୍ଚାମାଲ
ଭଡ଼ାଘର, ଜଙ୍ଗଲ ଭିତରେ ଫ୍ୟାକ୍ଟ୍ରି
ପ୍ରସ୍ତୁତି ଖର୍ଚ୍ଚ ୩୦, ୧୦୦ରେ ବିକ୍ରି

ବ୍ରହ୍ମପୁର : ନକଲି ସାମଗ୍ରୀର ଗନ୍ତାଘର ପାଲଟିଛି ଗଞ୍ଜାମ। ରେଶମ ସହର ବ୍ରହ୍ମପୁର ଠାରୁ ଆରମ୍ଭ ହୋଇଥିବା ଏହି ନକଲି କାରବାରର ଚେର ଜିଲ୍ଲାର ଗାଁଗହଳିକୁ ଲମ୍ବିଛି।

ଗଞ୍ଜାମ ଜିଲ୍ଲାକୁ ଦୁଇଟି ଅବକାରୀ ଜିଲ୍ଲାରେ ବିଭକ୍ତ କରାଯାଇଛି। ଗୋଟିଏ ବ୍ରହ୍ମପୁର ଓ ଅନ୍ୟଟି ଗଞ୍ଜାମ। ଏହି ଦୁଇଟି ଅବକାରୀ ଜିଲ୍ଲାରେ ମୋଟ ୧୦୦ଟି ବିଦେଶୀ ଠିପିବନ୍ଦ ମଦ ଦୋକାନ ରହିଛି। ଗଞ୍ଜାମ ଅବକାରୀ ଜିଲ୍ଲା ଅଧୀନରେ ୬୪ଟି ବିଦେଶୀ ମଦ ଦୋକାନ ରହିଥିବାବେଳେ ବ୍ରହ୍ମପୁର ଅବକାରୀ ଜିଲ୍ଲାରେ ୩୬ଟି କାଉଣ୍ଟର୍‌ ରହିଛି। କରୋନା ସଂକ୍ରମଣ ପାଇଁ ଜାରି କରାଯାଉଥିବା ଲକ୍‌ଡାଉନ୍‌ ସମୟରେ ମଦ ଦୋକାନ ବନ୍ଦ ରହୁଛି। ଏହାର ଫାଇଦା ଉଠାଇ ମାଫିଆମାନେ ନକଲି ମଦ ପ୍ରସ୍ତୁତ କରି ବଜାରରେ ବିକ୍ରି କରୁଛନ୍ତି। ବ୍ରହ୍ମପୁର ସହରରୁ ନକଲି ମଦ ପ୍ରସ୍ତୁତ ହୋଇ ଗ୍ରାମାଞ୍ଚଳକୁ ଚାଲାଣ ହେଉଛି। ସେହିପରି ସହର ତଥା ଉପକଣ୍ଠ ଅଞ୍ଚଳର ବିଭିନ୍ନ ପାନ ଦୋକାନ, ହୋଲେଟଗୁଡ଼ିକରେ ଏଭଳି ଅପମିଶ୍ରିତ ମଦ ବିକ୍ରି ହେଉଛି। ମାଫିଆମାନେ ୧୮୦ଏମ୍‌ଏଲ୍‌ ବୋତଲ ମଦ ତିଆରି ପାଇଁ ମାତ୍ର ୩୦/୪୦ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ତାହା ଶହେ ଟଙ୍କାରେ ବିକ୍ରି କରିଥାନ୍ତି। ସେହି ନକଲି ସ୍ପିରିଟ୍‌ ମିଶ୍ରିତ ଜହର ବଜାରରେ ଅସଲି ନାଁରେ ସରକାରୀ ଧାର୍ଯ୍ୟ ଦରରେ ବିକ୍ରି ହୋଇଥାଏ। ପୁଣି ଲକ୍‌ଡାଉନ୍‌ ସମୟରେ ତାର ମୂଲ୍ୟ ଦୁଇଗୁଣ ହୋଇଯାଇଥାଏ। ୧୮୦ଏମ୍‌ଏଲ୍‌ ବୋତଲରେ ୧୨୦ଏମ୍ଏଲ୍‌ ପାଣି ରହୁଥିବା ବେଳେ ୬୦ଏମ୍‌ଏଲ୍‌ ସ୍ପିରିଟ୍‌ ଓ ଆସେନ୍ସ ମିଶ୍ରଣ କରାଯାଥାଏ। ସ୍ପିରିଟ୍‌ ପରିମାଣରେ ସାମାନ୍ୟ ଗଡ଼ବଡ଼ ହେଲେ ମଦମୃତ୍ୟୁ ଆଶଙ୍କାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ ବୋଲି ଜଣେ ଅଧିକାରୀ କହିଛନ୍ତି।

କୋଲକାତାରୁ ଲେବଲ୍‌, ବୋତଲ, ବିଭିନ୍ନ ବିଦେଶୀ ମଦ କମ୍ପାନିର ଷ୍ଟିକର୍‌, ଠିପି ପ୍ରଭୃତି ଆଣି ମାଫିଆମାନେ ତାଙ୍କର କାରବାର ଚଳାଇଥାନ୍ତି। ଏହି ନକଲି କାରବାରର କାୟା ସମଗ୍ର ଜିଲ୍ଲାରେ ବସ୍ତାର ହେବାରେ ଲାଗିଛି। ହୋମାଓପାଥି ଡାକ୍ତରଙ୍କ ଠାରୁ ଚୋରାରେ ସ୍ପିରିଟ୍‌ କିଣି ନକଲି ମଦ ପ୍ରସ୍ତୁତ କରିଥାନ୍ତି।

ସମ୍ବନ୍ଧିତ ଖବର