ବିରିମାଡ଼ ଦେଖି କୋଳଥ ଚେପା : ନକଲି ପରୀକ୍ଷାର୍ଥୀ ଧରାପଡ଼ିବା ପରେ ଶହ ଶହ ଉଭାନ

ବୋର୍ଡର ପରୀକ୍ଷା ପରିଚାଳନାକୁ ‌ନେଇ ଉଠିଲା ପ୍ରଶ୍ନ, ତଦନ୍ତ କରାଯିବ: ବୋର୍ଡ ସଭାପତି

ପୁରୀ : ଜଣେ ନକଲି ପରୀକ୍ଷାର୍ଥୀ ଧରାପଡ଼ିବା ପରେ ଜିଲ୍ଲାର ବିଭିନ୍ନ ପରୀକ୍ଷା କେନ୍ଦ୍ରରୁ ଶହ ଶହ ପରୀକ୍ଷାର୍ଥୀ ଆଶ୍ଚର୍ଯ୍ୟଜନକ ଭାବେ ଉଭାନ ହୋଇଯାଇଛନ୍ତି। ଗତ ୬ ଦିନ ହେବ ଜିଲ୍ଲାର ବିଭିନ୍ନ ସ୍କୁଲରେ ଶହେରୁ ଅଧିକ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା ଦେଖିବାକୁ ମିଳିଛି। ୨୪ ତାରିଖ ପରଠାରୁ ନକଲି ପରୀକ୍ଷାର୍ଥୀ ଧରା ପଡ଼ିଥିବା ବାସୁଦେଇପୁର ଗ୍ରାମର କନକଦୁର୍ଗା ଉଚ୍ଚ ବିଦ୍ୟାଳୟ କେନ୍ଦ୍ର‌ରୁ ୧୦ ଜଣ ପରୀକ୍ଷାର୍ଥୀ ଆଉ ପରୀକ୍ଷା ଦେବାକୁ ଆସୁନାହାନ୍ତି। ଜିଲ୍ଲାରେ ଥିବା ମୋଟ କେନ୍ଦ୍ର ମଧ୍ୟରୁ ଅଧାରୁ ଅଧିକ କେନ୍ଦ୍ରରେ ଏଭଳି ଚିତ୍ର ରହିଛି। ବିରିମାଡ଼ ଦେଖି କୋଳଥ ଚେପା ନ୍ୟାୟରେ ଗିରଫ ଭୟରେ ପରୀକ୍ଷାର୍ଥୀମାନେ ଅନୁପସ୍ଥିତ ଥିବା ନେଇ ଚର୍ଚ୍ଚା ହେଉଛି। ଆସୁନଥିବା ପରୀକ୍ଷାର୍ଥୀମାନେ ଅସଲି ନା ନକଲି ଥିଲେ ତାକୁ ନେଇ ସନ୍ଦେହ ବଢ଼ିଛି। ଯଦି ଏହି ଅନୁପସ୍ଥିତ ପରୀକ୍ଷାର୍ଥୀ ନକଲି ହୋଇଥା’ନ୍ତି ତେବେ ବୋର୍ଡର ମାଟ୍ରିକ ପରୀକ୍ଷା ପରିଚାଳନାରେ ଶୃଙ୍ଖଳାକୁ ନେଇ ଅଙ୍ଗୁଳି ଉଠିଛି। ଅନୁପସ୍ଥିତ ପରୀକ୍ଷାର୍ଥୀ କେଉଁ କାରଣରୁ ହଠାତ୍ ଉଭାନ ହୋଇଗଲେ ‌ ତାକୁ ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଏ ଯାବତ ଅନୁଧ୍ୟାନ ନ କରିବା ମଧ୍ୟ ବ୍ୟବସ୍ଥା ପ୍ରତି ଏକ ବଡ଼ ପ୍ରଶ୍ନ ସୃଷ୍ଟି କରୁଛି। ଗୋଟିଏ ପଟେ ପ୍ରଶ୍ନପତ୍ର ଲିକ୍‌କୁ ନେଇ ବୋର୍ଡ କର୍ତ୍ତୃପକ୍ଷ ବ୍ୟାପକ ବନ୍ଦୋବସ୍ତ କରୁଥିବା ବେଳେ ଏ ପଟେ ପରୀକ୍ଷା ପରିଚାଳନା ବ୍ୟବସ୍ଥା ହୁଗୁଳି ଯାଇଛି। ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ରାମାଶିଷ ହାଜରା ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି।

ଏ ସଂପର୍କରେ ଶିକ୍ଷା ଅଧିକାରୀ ସୁଧାକର ସାହୁଙ୍କୁ ପଚାରିବାରେ ସମଗ୍ର ବ୍ୟବସ୍ଥା ଉପରେ ନଜର ରଖାଯାଇଛି ବୋଲି କହିଛନ୍ତି। ଜିଲ୍ଲାର ବିଭିନ୍ନ ପରୀକ୍ଷା କେନ୍ଦ୍ର‌ରୁ ମୋଟ ୫୬୩ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଛନ୍ତି। ତେବେ ଇଂରାଜୀ ପରୀକ୍ଷା ପରଠାରୁ କେଉଁ ସ୍କୁଲରେ କେତେ ଅନୁପସ୍ଥିତ ରହିଛନ୍ତି ତା’ର ଯାଞ୍ଚ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର