ସମ୍ବଲପୁର : ଜାଲ୍ ଆଡମିଟ୍ କାର୍ଡ ପ୍ରସ୍ତୁତ କରି ଅନ୍ୟଜଣଙ୍କ ନାମରେ ମାଟ୍ରିକ୍ ପରୀକ୍ଷା ଦେବା ମହଙ୍ଗା ପଡ଼ିଲା। ସ୍କ୍ରୁଟିନି ବେଳେ ଧରାପଡ଼ିବାରୁ ପରୀକ୍ଷା କେନ୍ଦ୍ର ଅଧୀକ୍ଷକଙ୍କ ଅଭିଯୋଗକ୍ରମେ ପ୍ରକୃତ ପରୀକ୍ଷାର୍ଥୀ ଓ ପରୀକ୍ଷା ହଲ୍ରେ ବସିଥିବା ଯୁବତୀଙ୍କୁ ପୁଲିସ ଗିରଫ କରିଛି। ପ୍ରେମିକ ପାଇଁ ପ୍ରେମିକା ପରୀକ୍ଷା ଦେବାକୁ ଆସିଥିବା ପୁଲିସ ସ୍ପଷ୍ଟ କରିଛି। ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଅଞ୍ଚଳରେ। ପୁଲିସ ଉଭୟ ଅସଲି ଓ ନକଲି ଆଡ୍ମିଟ୍ କାର୍ଡକୁ ଜବତ କରିଥିବା ସମୟରେ ପରୀକ୍ଷା ଖାତାକୁ ମଧ୍ୟ ଜବତ କରିଛି। ଏସଂକ୍ରାନ୍ତରେ ଧନୁପାଲି ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଷ୍ଟେଟ୍ ଇନ୍ଷ୍ଟିଚ୍ୟୁଟ ଅଫ୍ ଓପନ ସ୍କୁଲ୍(ଏସ୍ଓଏସ୍ସି) ମାଧ୍ୟମରେ ପଢ଼ୁଥିବା ସମ୍ବଲପୁର ଜିଲ୍ଲା ସଦର ଥାନା ପଡ଼ିଆବାହାଲ ମହୁଲମୁଣ୍ଡା ଗ୍ରାମର ଲକ୍ଷ୍ମଣ ମେହେରଙ୍କର ଧନୁପାଲି ଥାନା କମିସନର କଲୋନି ହାଇସ୍କୁଲରେ ସେଣ୍ଟର ପଡ଼ିଥିଲା। କିନ୍ତୁ ଲକ୍ଷ୍ମଣ ପରୀକ୍ଷା ଦେବାକୁ ଆସିନଥିଲେ। ତାଙ୍କ ସ୍ଥାନରେ ରେଙ୍ଗାଲି ଥାନା ତିଲ୍ଲା ଗ୍ରାମର କମଳା ସେଠଙ୍କୁ ପଠାଯାଇଥିଲା। କମଳା ନକଲି ଆଡ୍ମିଟ୍ କାର୍ଡରେ ନିଜକୁ ଲକ୍ଷ୍ମୀ ମେହେର ବୋଲି ଦର୍ଶାଇଥିଲେ। ପ୍ରାଥମିକ ଯାଞ୍ଚ ସମୟରେ କମଳା ନିଜ ନାମ ଭୁଲ୍ରେ ଲକ୍ଷ୍ମୀ ପରିବର୍ତ୍ତେ ଲକ୍ଷ୍ମଣ ଓ ମହିଳା ପରିବର୍ତ୍ତେ ପୁରୁଷ ଲେଖାହୋଇଥିବା କହି ଫାଙ୍କି ଦେଇଥିଲେ। ମାତ୍ର ପରବର୍ତ୍ତୀ ସ୍କ୍ରୁଟିନି ସମୟରେ କଟକ ବୋର୍ଡ କାର୍ଯ୍ୟାଳୟ, ସମ୍ବଲପୁର ବୋର୍ଡ କାର୍ଯ୍ୟାଳୟ ଓ ଜିଲ୍ଲା ଶିକ୍ଷା ବିଭାଗକୁ ଆସିଥିବା ତଥ୍ୟ ସହ ଲକ୍ଷ୍ମୀ ମେହେରଙ୍କ ଆଡମିଟ୍ କାର୍ଡ ମେଳ ଖାଇନଥିଲା। ପରୀକ୍ଷା ପରିଦର୍ଶକ ମଧ୍ୟ ଏ ନେଇ ସନ୍ଦେହ ପ୍ରକାଶ କରି ଖାତାରେ ସ୍ବାକ୍ଷର କରିନଥିଲେ। ସୂଚନା ପାଇ ପରୀକ୍ଷା କେନ୍ଦ୍ର ଅଧୀକ୍ଷକ ବୀନତି ମିଶ୍ର ଧନୁପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ସମ୍ପର୍କରେ ପୁଲିସ୍ ଏକ ମାମଲା ରୁଜୁ କରି ଉଭୟ ଲକ୍ଷ୍ମଣ ମେହେର ଓ କମଳା ସେଠ୍ଙ୍କୁ ପଚରାଉଚରା କରିବା ପରେ ସେମାନେ ସତ ଓକାଳିଥିଲେ। ପ୍ରେମିକ ଲକ୍ଷ୍ମଣଙ୍କ ସ୍ଥାନରେ ସେ ନିଜେ ଯାଇ ପରୀକ୍ଷା ଦେବାକୁ ସ୍ଥିର କରିଥିଲେ ବୋଲି କମଳା ସ୍ବୀକାର କରିଥିଲେ।
ପ୍ରେମିକ ପାଇଁ ପରୀକ୍ଷା ଦେଇ ଧରାପଡ଼ିଲେ ପ୍ରେମିକା
/sambad/media/post_attachments/wp-content/uploads/2020/02/Samablpue-Exam-Cheat-20_Thumb.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)