ଭୁବନେଶ୍ବର: ଶୁଭମ ବୁକ୍ ଷ୍ଟୋର ହିଁ ସାରା ରାଜଧାନୀକୁ ନକଲି ବହି ଯୋଗାଉଥିଲା। ସହରର ଛୋଟ ବଡ଼ ବହି ଦୋକାନୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲାକୁ ମଧ୍ୟ ବହି ଯୋଗାଉଥିଲା। ରାଜଧାନୀରେ ମାଳମାଳ ଏନ୍ସିଇଆର୍ଟି ବହି ମାମଲାରେ ଆଜି ଖାରବେଳନଗର ଥାନା ପୁଲିସ ୨ ବହି ଦୋକାନ ମାଲିକ ସମେତ ୩ଜଣଙ୍କୁ ଗିରଫ ପରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ସେମାନେ ହେଲେ ଶୁଭମ ବୁକ୍ ଷ୍ଟୋରର ମାଲିକ ବାଲିପାଟଣା ଅଞ୍ଚଳର ବ୍ରଜମୋହନ ମହାରଣା(୪୪), ସେଲ୍ସମ୍ୟାନ୍ ନିଆଳି ଅଞ୍ଚଳର ତାପସ ଗିରି(୩୦) ଓ ମା’ ମଙ୍ଗଳା ବୁକ୍ଷ୍ଟୋର ମାଲିକ ଲକ୍ଷ୍ମୀସାଗର ଲେଙ୍କାସାହି ଅଞ୍ଚଳର ଅଜୟ କୁମାର ସ୍ବାଇଁ(୪୦)। ଚଢ଼ଉ ବେଳେ ଅଢ଼େଇ ହଜାରରୁ ଅଧିକ ବହି ଜବତ କରାଯାଇଛି। କେବଳ ଶୁଭମ୍ ବୁକ୍ ଷ୍ଟୋରରୁ ୨୦୨୩ ଖଣ୍ଡ ବହି ଜବତ ହୋଇଥିବା ବେଳେ ମା’ମଙ୍ଗଳା ବୁକ୍ ଷ୍ଟୋରରୁ ୨୩୫ଖଣ୍ଡ ଜବତ କରାଯାଇଛି। ହେଲେ ବହି ଛପା ପଛର ମାଷ୍ଟରମାଇଣ୍ଡ କୁହାଯାଉଥିବା ରାଜକିଶୋର ମହାରଣା ଏବେ ବି ଫେରାର୍ ଅଛି। ମାଷ୍ଟରମାଇଣ୍ଡ ଗିରଫ ପରେ ଏହି ନକଲି ବହି କେବେଠାରୁ ଓ କେଉଁଠି ଛପା ହେଉଥିଲା ତାର ଗୁମର ଖୋଲିବ ବୋଲି ପୁଲିସ କହିଛି।
ସୂଚନା ମୁତାବକ, ପୂର୍ବରୁ ପ୍ରତିବର୍ଷ ଓଡ଼ିଶାକୁ ଯେଉଁ ପରିମାଣର ଏନ୍ସିଇଆର୍ଟି ବହି ଆସୁଥିଲା, ତାହା ଗତ କିଛି ବର୍ଷ ହେଲା ହଠାତ୍ କମିଯାଇଥିଲା। ପ୍ରାୟ ୫୦ ପ୍ରତିଶତରୁ କମ୍ ବହି ବିକ୍ରି ହୋଇଥିଲା। ଏହାକୁ ନେଇ ଏନ୍ସିଇଆର୍ଟି ଦ୍ବନ୍ଦ୍ବରେ ପଡ଼ିଥିଲା। ରାଜଧାନୀର ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ବହି ବିକ୍ରି କାହିଁକି କମୁଥିଲା ତା’ର କାରଣ ଖୋଜୁଖୋଜୁ ବଜାରରେ ନକଲି ଏନ୍ସିଇଆର୍ଟି ବହି ମିଳୁଥିବା ଜଣାପଡ଼ିଥିଲା। ପଶ୍ଚିମବଙ୍ଗରୁ ଏନ୍ସିଇଆର୍ଟିର ଏକ ୪ ଜଣିଆ ଟିମ୍ ଓଡ଼ିଶା ଆସି ଛାନ୍ଭିନ କରିଥିଲେ। ଗ୍ରାହକ ବେଶରେ ଥିବା ଏହି ଟିମ୍ ରାଜଧାନୀର କିଛି ବୁକ୍ ଷ୍ଟୋର୍ ବୁଲି ବହି କିଣିବା ବାହାନାରେ ଯାଞ୍ଚ କରିଥିଲେ। ପ୍ରଥମେ ମାଷ୍ଟରକ୍ୟାଣ୍ଟିନ୍ସ୍ଥିତ ବିଦ୍ୟାର୍ଥୀ ବୁକ୍ ଷ୍ଟୋରରୁ ବହି କିଣିଥିଲେ। ସେମାନଙ୍କ ହାତରେ ଦୁଇଟି ନକଲି ବହି ଲାଗିଥିଲା। ଘଟଣା ଜଣାପଡ଼ିବା ପରେ ଏନ୍ସିଇଆର୍ଟି ଅଧିକାରୀ ରବିନାରାୟଣ ତ୍ରିପାଠୀ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ଖାରବେଳନଗର ଥାନା ପୁଲିସ ମାମଲାର ତଦନ୍ତ ଆରମ୍ଭ କରିଥିଲା। ପ୍ରଥମେ ବିଦ୍ୟାର୍ଥୀ ବହି ଦୋକାନକୁ ଯାଇ କିଛି କର୍ମଚାରୀଙ୍କୁ ପଚରାଉଚରା କରିବା ବେଳେ ସେମାନେ ୟୁନିଟ୍-୯ସ୍ଥିତ ମା’ ମଙ୍ଗଳା ବୁକ୍ ଷ୍ଟୋରରୁ ଏହି ବହି ଆଣିଥିବା କହିଥିଲେ। ସେମାନଙ୍କ ତଥ୍ୟ ଆଧାରରେ ପୁଲିସ ଟିମ୍ ମା’ ମଙ୍ଗଳା ବୁକ୍ ଷ୍ଟୋରରେ ଚଢ଼ଉ କରିଥିଲା। ସେଠାରୁ ୩୦୦ ଖଣ୍ଡ ନକଲି ବହି ଜବତ କରିବା ସହ ୨ ଜଣଙ୍କୁ କାବୁ କରି ଥାନାକୁ ଅଣାଯାଇଥିଲା। ସେମାନଙ୍କୁ ଜେରା କରିବା ପରେ ବହି ଗୋଦାମର ଗୁମର ଖୋଲିଥିଲା। ଏହାପରେ ଡିସିପି ପ୍ରତୀକ ସିଂଙ୍କ ନେତୃତ୍ବରେ ଆଇଆଇସି ରଜନୀକାନ୍ତ ମିଶ୍ର ଓ ତାଙ୍କ ଟିମ୍ ବଡ଼ଗଡ଼ସ୍ଥିତ ଶୁଭମ୍ ବୁକ୍ଷ୍ଟୋର୍ ଡିପୋରେ ଚଢ଼ଉ କରି ସେଠାରୁ ବିପୁଳ ପରିମାଣର ନକଲି ବହି ଜବତ କରିଥିଲେ। ପୁଲିସ ବ୍ରଜମୋହନ, ତାପସ ଓ ଅଜୟକୁ ଜେରା ବେଳେ ସେମାନେ ସବୁ ସତ ମାନିଥିଲେ। ଜେରା ପରେ ଆଜି ପୁଲିସ ସମସ୍ତ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/jgjdgdgj.jpg)