ଭୁବନେଶ୍ବର: ନିଟ୍ ପରୀକ୍ଷାରେ ନକଲି ପରୀକ୍ଷାର୍ଥୀ ବସାଇ କୋଟି କୋଟି ଟଙ୍କା ଉପାର୍ଜନ କରୁଥିବା ଏକ ଗ୍ୟାଙ୍ଗ୍କୁ ବାନ୍ଧିଛି କମିସନରେଟ୍ ପୁଲିସ। ସ୍ପେସାଲ୍ କ୍ରାଇମ୍ ୟୁନିଟ୍ ଗତକାଲି ଏହି ରୢାକେଟ୍ର ୨ ଓଡ଼ିଆଙ୍କ ସମେତ ୪ଜଣଙ୍କୁ ଗିରଫ କରିଛି। ଆଜି ଅର୍ଥାତ୍ ରବିବାର ଅନୁଷ୍ଠିତ ହେବାକୁ ଥିବା ନିଟ୍ ପରୀକ୍ଷା ପୂର୍ବରୁ ଏହି ରୢାକେଟ୍ ଧରାପଡ଼ିଛି। ଫଳରେ ପରୀକ୍ଷାରେ ନକଲି ପରୀକ୍ଷାର୍ଥୀ ବସାଇବା ଯୋଜନା ଫସର ଫାଟିଯାଇଛି। ସେମାନଙ୍କ ନିକଟରୁ ୯୦ଲକ୍ଷ ଟଙ୍କାର ଚେକ୍, ପରୀକ୍ଷାର ଆଡ୍ମିଟ୍ କାର୍ଡ, ଆଧାର କାର୍ଡ, ଏନ୍ଆର୍ଆଇ ସାର୍ଟିଫିକେଟ୍ ଆଦି ବିଭିନ୍ନ ଡକ୍ୟୁମେଣ୍ଟ ଜବତ କରାଯାଇଛି। ମାତ୍ର ଏହି ରୢାକେଟ୍ର ମୂଳରେ ପହଞ୍ଚିପାରିନି ପୁଲିସ। ଯେଉଁମାନେ ଗିରଫ ହୋଇଛନ୍ତି, ସେମାନେ କେବଳ ଯୋଗାଡ଼ିଆ। ଅସଲ ଖଳନାୟକ ଏବେ ବି ପରଦା ଆଢ଼ୁଆଳରେ। କିଛି ପରୀକ୍ଷା କେନ୍ଦ୍ର ଓ ମେଡିକାଲ କଲେଜ କର୍ତ୍ତୃପକ୍ଷ ମଧ୍ୟ ଏହି ଗ୍ୟାଙ୍ଗ୍ରେ ସାମିଲ ଅଛନ୍ତି। ସେମାନଙ୍କ ନିକଟରେ ନ ପହଞ୍ଚିବା ଯାଏଁ ରୢାକେଟ୍ର ପର୍ଦ୍ଦାଫାସ୍ ହୋଇଛି ବୋଲି କୁହାଯାଇ ପାରିବ ନାହିଁ। ତେଣୁ କମିସନରେଟ୍ ପୁଲିସ ପୂରା ସିଣ୍ଡିକେଟ୍କୁ ଠାବ କରିବା ପାଇଁ ଅଣ୍ଟା ଭିଡ଼ିଛି। ଏଥିପାଇଁ ପୁଲିସ ଟିମ୍ ବିହାର ଓ ଝାଡ଼ଖଣ୍ଡରେ ଛାନ୍ଭିନ୍ କରିବ ବୋଲି ସୂଚନା ମିଳିଛି।
ଧରାପଡ଼ିଛନ୍ତି ଯୋଗାଡ଼ିଆ, ପରଦା ଆଢ଼ୁଆଳରେ ଖଳନାୟକ
ଏହି ଘଟଣା ଜଣାପଡ଼ିବା ପରେ ବିଭିନ୍ନ ମହଲରେ ଚିନ୍ତା ପ୍ରକାଶ ପାଇଛି। ଡାକ୍ତରୀ ପଢ଼ିବା ଲକ୍ଷ୍ୟରେ କଠିନ ପରିଶ୍ରମ କରୁଥିବା ଛାତ୍ରଛାତ୍ରୀମାନେ ଏଭଳି ଗ୍ୟାଙ୍ଗ୍ ଯୋଗୁ ମେଡିକାଲ କଲେଜରେ ସିଟ୍ ପାଇପାରନ୍ତି ନାହିଁ। ଯୋଗ୍ୟତା ଓ ଦକ୍ଷତା ଥିବା ସତ୍ତ୍ବେ ସେମାନଙ୍କ ଆଶା, ସ୍ବପ୍ନରେ ରହିଯାଏ। ଅଥଚ କଳା ଟଙ୍କାର ପାହାଡ଼ରେ ବସିଥିବା ବ୍ୟକ୍ତିବିଶେଷ ଟଙ୍କା ଦେଇ ମେଡିକାଲ କଲେଜ ସିଟ୍ କିଣିନିଅନ୍ତି। ଏହା କେବେ ବି ସାଧାରଣ ବା ଛୋଟିଆ ପ୍ରସଙ୍ଗ ନୁହେଁ, ଏକ ସଂଗିନ୍ ମାମଲା। ତେଣୁ କମିସନରେଟ୍ ପୁଲିସ ଉପରେ ଲୋକେ ଭରସା କରିଛନ୍ତି। ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ନ୍ୟାୟ ମିଳିବା ଦରକାର। ତେଣୁ ପୂରା ସିଣ୍ଡିକେଟ୍କୁ ଲୋକଲୋଚନକୁ ଆଣିବା ଲାଗି ପୁଲିସ ନିଷ୍ଠାପର ସହ କାମ କରୁ ବୋଲି ଦାବି ହେଉଛି।
ପୁଲିସ କମିସନରଙ୍କ ସୂଚନାନୁସାରେ ଏହି ରୢାକେଟ୍ର ମୂଳରେ ପହଞ୍ଚିବାକୁ ପୁଲିସର ସ୍ବତନ୍ତ୍ର ଟିମ୍ ଝାଡ଼ଖଣ୍ଡ ଓ ବିହାର ଯିବ। ଫେରାର ହୋଇଯାଇଥିବା କାଉନ୍ସେଲିଂ ସେଣ୍ଟର୍ର ଅଧିକାରୀଙ୍କୁ ଗିରଫ କରାଯିବ। ଜେଲ୍ରେ ଥିବା ୪ଜଣଙ୍କୁ ରିମାଣ୍ଡରେ ଅଣାଯିବ। ସେମାନଙ୍କ ଠାରୁ ପୂରା ସିଣ୍ଡିକେଟ୍ର ଠିକଣା ବାହାର କରାଯିବ। ବିଶେଷ କରି ସେମାନେ କିଭଳି ଏହି ଅପରେସନ୍ ଚଳାଉଥିଲେ, ସେନେଇ ଖୋଳତାଡ଼ କରାଯିବ। ସେହିଭଳି ଅଗ୍ରିମ ଆକାରରେ ୯୦ଲକ୍ଷ ଟଙ୍କାର ଚେକ୍ ଦେଇଥିବା ନିଟ୍ ପରୀକ୍ଷାର୍ଥୀଙ୍କୁ ମଧ୍ୟ ପଚରାଉଚରା କରାଯିବ। ତଦନ୍ତରୁ ଯେଉଁ ପରୀକ୍ଷା କେନ୍ଦ୍ର ଓ ମେଡିକାଲ୍ କଲେଜ୍ର ସମ୍ପୃକ୍ତି କଥା ଜଣାପଡ଼ିବ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସ ବିଭାଗୀୟ ସଂସ୍ଥାସବୁକୁ ସୁପାରିସ କରିବ। ଏଥିସହିତ ଗିରଫ ହୋଇଥିବା ଓଡ଼ିଶାର ରୁଦ୍ର ନାରାୟଣ ବେହେରା, ସୁନୀଲ ସାମନ୍ତରାୟ, ଝାଡ଼ଖଣ୍ଡର ପ୍ରିୟଦର୍ଶୀ କୁମାର ଓ ବିହାରର ଅରବିନ୍ଦ କୁମାରଙ୍କ କଳାଧନର ହିସାବନିକାଶ କରାଯିବ। ଅନ୍ୟପକ୍ଷରେ ଜବତ ହୋଇଥିବା ଏନ୍ଆର୍ଆଇ ସାର୍ଟିଫିକେଟ୍ଗୁଡ଼ିକ ଅସଲି କି ନକଲି ଜାଣିବା ପାଇଁ ସମ୍ପୃକ୍ତ ଦୂତାବାସକୁ ପଠାଇ ଦିଆଯାଇଛି। ଗତକାଲି ଏହି ରୢାକେଟ୍ ଧରାପଡ଼ିବା ପରେ ଆଜି ଭୁବନେଶ୍ବରର ସମସ୍ତ ୩୨ ପରୀକ୍ଷା କେନ୍ଦ୍ରରେ ଯାଞ୍ଚ ପ୍ରକ୍ରିୟା କଡ଼ାକଡ଼ି କରାଯାଇଥିଲା। ଏମିତିକି ବିହାର ଓ ଝାଡ଼ଖଣ୍ଡରେ ମଧ୍ୟ ସବୁ ପରୀକ୍ଷା କେନ୍ଦ୍ରରେ କଡ଼ାକଡ଼ି ଯାଞ୍ଚ ହୋଇଥିଲା।