ପିଲାଚୋରି ଗୁଜବ: ଭିଡିଓ ଭାଇରାଲ କଲେ ଜେଲ୍‌

ସାରାରାଜ୍ୟକୁ ବ୍ୟାପିଛି ପିଲାଚୋରି ଗୁଜବ! ସୋସିଆଲ୍‌ ମିଡ଼ିଆରେ ଏହା ଭାଇରାଲ୍‌ ହେବା ମାତ୍ରକେ ଲୋକମାନେ ଆକ୍ରମଣାତ୍ମକ ଭଙ୍ଗୀରେ ସଜାଗ ରହୁୁଛନ୍ତି। କୌଣସି ଅଚିହ୍ନା ଲୋକଙ୍କୁ ଦେଖିଲେ ନିସ୍ତୁକ ମାଡ଼ ମାରୁଛନ୍ତି। ଏପରିକି, ମାନସିକ ବିକୃତ କି ମହିଳା ବି ଏଥିରୁ ବାଦ୍‌ ପଡ଼ୁନାହାନ୍ତି, ଯାହାକି ଏବେ ଏକ ଚିନ୍ତାଜନକ କାରଣ ପାଲଟିଛି। ଏହାକୁ ଦୃଷ୍ଟିରେ ରଖି ପୁଲିସ୍‌ ଡିଜି ପୂର୍ବରୁ ତାଗିଦ୍‌ କରିଥିଲେ, ଏବେ ପରାମର୍ଶବଳୀ ଜାରି କରିଛନ୍ତି। ତେବେ, ଏହି ସମସ୍ୟାର କେବେ ଅନ୍ତ ଘଟୁଛି , ତାହା ଦେଖିବାକୁ ବାକି ରହିଲା…। ଏ ସମ୍ପର୍କରେ ‘ସମ୍ବାଦ’ର ସ୍ୱତନ୍ତ୍ର ପ୍ରତିବେଦନ।

କଟକ: ରାଜ୍ୟରେ ପିଲା ଚୋର ଗୁଜବ ମହାମାରୀ ଭଳି ବ୍ୟାପିଲାଣି। ଓଡ଼ିଆ ଭାଷା ଜାଣିନଥିବା ସନ୍ଦିଗ୍ଧଙ୍କୁ ଲୋକେ ଲହୁଲୁହାଣ କଲେଣି। ଗତକାଲି ବାଲେଶ୍ୱରରେ ଜଣେ ମହିଳାଙ୍କୁ ଉଲଗ୍ନ କରି ନିର୍ଘାତ ମାଡ଼ ମରାଯାଇଥିଲା। ଏଭଳି ସ୍ଥିତିରେ ରାଜ୍ୟ ପୁଲିସ ବିଭାଗ ଆଜି ଉଭୟ ଜିଲ୍ଲା ପୁଲିସ ଓ ସାଧାରଣ ଜନତାଙ୍କ ଉଦ୍ଦେଶ୍ୟରେ ଏକ ପରାମର୍ଶବଳୀ ଜାରି କରିଛି। ପ୍ରତ୍ୟେକ ଥାନାର ଥାନା ଅଧିକାରୀ ନିଜ ଅଞ୍ଚଳରେ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଣିକି କୌଣସି ସନ୍ଦିଗ୍ଧଙ୍କ ସମ୍ପର୍କରେ ସୂଚନା ମିଳିଲେ ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପଟେ ସାଧାରଣ ଲୋକେ ପିଲା ଚୋର ସନ୍ଦେହରେ କୌଣସି ବ୍ୟକ୍ତିଙ୍କୁ ଆକ୍ରମଣ କଲେ ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜାରି ହୋଇଥିବା ପରାମର୍ଶବଳୀରେ ପୁଲିସ ଡିଜି ଡାକ୍ତର ଆର୍‌.ପି. ଶର୍ମା ଜିଲ୍ଲା ଏସ୍‌ପିଙ୍କ ଉଦ୍ଦେଶ୍ୟରେ ନିର୍ଦ୍ଦେଶ ଦେଇଛନ୍ତି।

ପିଲା ଚୋର ପ୍ରସଙ୍ଗରେ ଡିଜିପିଙ୍କ ପରାମର୍ଶବଳୀ
ସବୁ ଥାନା ଅଞ୍ଚଳରେ ହେବ ପାଟ୍ରୋଲିଂ
ସନ୍ଦିଗ୍ଧଙ୍କ ଉପରେ ନଜର ରଖିବେ ଇନ୍‌ସ୍ପେକ୍ଟର

ରାଜ୍ୟରେ ଜିଲ୍ଲାରୁ ଜିଲ୍ଲା ଡେଉଁଥିବା ପିଲା ଚୋରି ଗୁଜବ ସମ୍ପର୍କରେ ଶେଷରେ ରାଜ୍ୟ ପୁଲିସ ଡିଜି ଡାକ୍ତର ଆର୍‌.ପି. ଶର୍ମା ଏକ ପରାମର୍ଶବଳୀ ଜାରି କରିଛନ୍ତି। ଏଥିରେ ମୁଖ୍ୟତଃ ୭ଟି ଦିଗ ଉପରେ ଗୁରୁତ୍ୱ ଦିଆଯାଇଛି। ଓଡ଼ିଶାରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପିଲା ଚୋର ର‍୍ୟାକେଟ୍‌ ସକ୍ରିୟ ନାହାନ୍ତି। ଏପରି ଗୁଜବକୁ ହ୍ଵାଟସ୍‌ଆପ୍‌ ଏବଂ ଫେସ୍‌ବୁକରେ ସେୟାର କରିବାକୁ ବାରଣ କରାଯାଇଛି। ସେୟାର କରୁଥିବା ବ୍ୟକ୍ତି ଆଇନ ଅନୁଯାୟୀ ଦଣ୍ଡିତ ହେବାର ସମ୍ଭାବନା ରହିଛି। ଓଡ଼ିଶାର ଛାତ୍ରଛାତ୍ରୀ ଅନ୍ୟ ରାଜ୍ୟରେ ଶିକ୍ଷାଲାଭ କରୁଛନ୍ତି। ଅନ୍ୟ ରାଜ୍ୟର ଛାତ୍ରଛାତ୍ରୀ ଓଡ଼ିଶାରେ ଶିକ୍ଷାଲାଭ କରୁଛନ୍ତି। ସେମାନ ବାହାର ରାଜ୍ୟର ଆଞ୍ଚଳିକ ଭାଷରେ କଥାବାର୍ତ୍ତା କରିବାରେ ଅଡ଼ୁଆ ହୋଇଥାଏ। ତେଣୁ ଆଞ୍ଚଳିକ ଭାଷାରେ କଥା ହୋଇପାରୁନଥିବା ବ୍ୟକ୍ତିଙ୍କୁ ପିଲା ଚୋର ସନ୍ଦେହରେ ଆକ୍ରମଣ କରାଯାଉଛି। ଏପରି ନକରିବାକୁ କଡ଼ାକଡ଼ି ଭାବେ ବାରଣ କରାଯାଇଛି। ଗୁଜବକାରୀମାନେ ପ୍ରଚାର କରୁଛନ୍ତି ଯେ, ପିଲା ଚୋର ଛୋଟ ପିଲାଙ୍କୁ ଅପହରଣ କରି ସେମାନଙ୍କ ଯକୃତ, ହୃତ୍‌ପିଣ୍ଡ, ଆଖି ଇତ୍ୟାଦି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ତାଡ଼ି ନେଉଛନ୍ତି। ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ। ସାଧାରଣତଃ ଏସବୁ ଅଙ୍ଗଗୁଡ଼ିକ ଡାକ୍ତରଖାନାରେ ସତର୍କତାର ସହିତ ସଂରକ୍ଷଣ କରାଯାଉଛି। ଡାକ୍ତରଙ୍କ ବିନା ପରାମର୍ଶରେ ଅଙ୍ଗଗୁଡ଼ିକ ଶରୀରରୁ କାଢ଼ି କୌଣସି ପରିସ୍ଥିତିରେ ବ୍ୟବହାର କରାଯାଇପାରିବ ନାହିଁ ବୋଲି ଡିଜିପି ପରାମର୍ଶବଳୀରେ ସୂଚନା ଦେଇଛନ୍ତି। ଓଡ଼ିଆ ଭାଷା ଜାଣି ନଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ କେହି ଦେଖିବାକୁ ପାଇଲେ ନିକଟସ୍ଥ ଥାନାର ଅଧିକାରୀ ଏବଂ ଜିଲ୍ଲା ଏସ୍‌ପିଙ୍କୁ ଅବଗତ କରାନ୍ତୁ। ରାଜ୍ୟର ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି କି, ନିଜ ଅଞ୍ଚଳରେ ପାଟ୍ରୋଲିଂ କରି ସନ୍ଦିଗ୍ଧଙ୍କ ଉପରେ କଡ଼ା ନଜର ରଖାଯିବ। ସେଭଳି କୌଣସି ପ୍ରମାଣ ମିଳିଲେ, ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କିନ୍ତୁ କୌଣସି ନିର୍ଦ୍ଦୋଷଙ୍କୁ ସାଧାରଣ ଲୋକେ ପିଲା ଚୋରି ସନ୍ଦେହରେ ନିର୍ଯାତନା ଦେଉଥିବା ଘଟଣା ସାମ୍‌ନାକୁ ଆସିଲେ, ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସମ୍ପର୍କରେ ଡିଜିପି ପରାମର୍ଶବଳୀରେ ପୁଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୁକ୍ତ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କେବଳ ଥାନା ଏବଂ ଅଦାଲତର ପରିସରଭୁକ୍ତ। ଏଣୁ ସାଧାରଣ ଲୋକେ ଆଇନକୁ ହାତକୁ ନନେବାକୁ ପୁଲିସ ଡିଜି ସୂଚନା ଦେଇଛନ୍ତି। ରାଜ୍ୟରେ ଗତ ଏକ ସପ୍ତାହ ହେବ ପିଲା ଚୋର ଗୁଜବର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଜିଲ୍ଲାରୁ ଜିଲ୍ଲା ଭାଇରାଲ୍‌ ହେବାରେ ଲାଗିଛି। ବିହାରର ପାଖାପାଖି ୫ ଶହରୁ ଅଧିକ ଯୁବକ ଓଡ଼ିଶାକୁ ଆସିିଛନ୍ତି। ସେମାନେ ରାଜ୍ୟର ଖୋର୍ଧା, ବାଲେଶ୍ୱର, କୋରାପୁଟ, ରାୟଗଡ଼ା, କେନ୍ଦ୍ରାପଡ଼ା, କଟକ ସମେତ ଅନ୍ୟାନ୍ୟ ଜିଲ୍ଲାରେ ପିଲାଙ୍କ ହୃତପିଣ୍ଡ, ଆଖି ତାଡ଼ି ନେଉଥିବା ଗୁଜବ ସୃୃଷ୍ଟି ହୋଇଛି। ତେଣୁ ସାଧାରଣ ଲୋକେ ସନ୍ଦେହରେ ଏକାଧିକ ବ୍ୟକ୍ତିଙ୍କୁ ଆକ୍ରମଣ କଲେଣି। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଆଜି ପୁଲିସ ଡିଜି ଏହି ପରାମର୍ଶବଳୀ ଜାରି କରିଛନ୍ତି।

ସମ୍ବନ୍ଧିତ ଖବର