ଅନୁଗୁଳ: କରୋନାଭାଇରସ୍‌ ନ ବ୍ୟାପିବା ପାଇଁ ବିଭିନ୍ନ ସ୍ଥାନରେ ସଚେତନତା ଅବଲମ୍ବନ କରାଯାଉଛି। ଏଭଳି ପରିସ୍ଥିତରେ କୌଣସି ପ୍ରକାର ଗୁଜବ ଖବର ପ୍ରଚାର ନକରିବା ପାଇଁ ବାରମ୍ବାର ସତର୍କ କରାଯାଉଥିଲେ ବି ଲୋକମାନେ ଏଥିରୁ ଓହରୁ ନାହାନ୍ତି। ନିକଟରେ ମୋଦୀଙ୍କ ନାମରେ କରୋନାକୁ ନେଇ ଅପପ୍ରଚାର କରି କେନ୍ଦ୍ରାପଡ଼ାର ୪ଜଣ ଗିରଫ ହୋଇଥିବା ବେଳେ ବୁଧବାର ଅନୁଗୁଳର ଜଣେ ଯୁବକଙ୍କୁ ଏଭଳି ଗୁଜବ ପ୍ରଚାର କରିଥିବା ନେଇ ପୁଲିସ ଗିରଫ କରିଛି।

Advertisment

ସୂଚନାଯୋଗ୍ୟ, ତାଳଚେରର ଜଣେ ଯୁବକ ଫେସ୍‌ବୁକ୍‌ ଆକାଉଣ୍ଟରେ କରୋନାଭାଇରସ୍‌ରେ ସଂକ୍ରମଣ ହୋଇ ଅନୁଗୁଳର ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଉଲ୍ଲେଖ କରିଥିଲେ। ଏହି ଖବର ସୋସିଆଲ ମିଡିଆରେ ଘୁରି ବୁଲିବା ପରେ ପୁଲିସରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ କେନ୍ଦ୍ର କରି ପୁଲିସ ଉକ୍ତ ଯୁବକଙ୍କ ପରିଚୟ ବାହାର କରି ତାଙ୍କୁ ଆଜି ଗିରଫ କରିଛି।

Image result for fake news viral one arrest in angul

ତେବେ ଏହା ପ୍ରଥମ ଘଟଣା ନୁହେଁ ଏହା ପୂର୍ବରୁ କେନ୍ଦ୍ରାପଡ଼ାର ୪ଜଣଙ୍କୁ, ରାୟଗଡ଼ା ଜିଲ୍ଲାର ଜଣଙ୍କୁ ଓ କଳାହାଣ୍ଡି ଜିଲ୍ଲାର ଜଣେ ଶିକ୍ଷକଙ୍କୁ କରୋନାଭାଇରସ୍‌ ଅପପ୍ରଚାର କରିଥିବା ପାଇଁ ପୁଲିସ ଗିରଫ କରିଥିଲା। କେନ୍ଦ୍ରାପଡ଼ାର ଗିରଫ ଅଭିଯୁକ୍ତଙ୍କ ନାମ ନିରଞ୍ଜନ ପରିଡ଼ା (୫୯), ଧ୍ରୁତିରଂଜନ ବାରିକ, ଶିବାଶିଷ ମହାନ୍ତି (୩୨) ଓ ପ୍ରଫୁଲ୍ଲ ଦାସ ଥିବା ବେଳେ ରାୟଗଡ଼ାର ଅଭିଯୁକ୍ତ ନାମ ସତ୍ୟନାରାୟଣ ସାମଲ ଓରଫ ଦୀପୁ (୩୨) ବୋଲି ଜଣାପଡ଼ିଛି।

କେବଳ ଏତିକି ନୁହେଁ, କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଡୁଡୁକେଲ ଗାଁର ଶିକ୍ଷକ ବିନ୍ଦୁ ମହାନନ୍ଦ ସୋସିଆଲ ମିଡିଆରେ କରୋନା ଜନିତ ମିଛ ଖବର ପ୍ରଚାର କରି ଗିରଫ ହୋଇଥିଲେ। ବିନ୍ଦୁ ମହାନନ୍ଦ ମିଥ୍ୟା ଖବର ପ୍ରଚାର କରି ଲେଖିଥିଲେ, ଗୋଲାମୁଣ୍ଡା ବ୍ଳକ ଖଳିଆକାନି ଗାଁରେ ଜଣେ କରୋନା ଆକ୍ରାନ୍ତ ଯୁବକ କବାଟ ବନ୍ଦ କରି ଘରେ ରହିଛି। ଏହି ଘଟଣା ଭାଇରାଲ ହେବା ପରେ ବିଡିଓ ଓ ଥାନା ଅଧିକାରୀ ସଂପୃକ୍ତ ଗାଁକୁ ଯାଇଥିଲେ। କିନ୍ତୁ ସେଭଳି ଘଟଣା ଦେଖିବାକୁ ମିଳି ନ ଥିଲା। ତେବେ ପୁଲିସ ନିଜ ତରଫରୁ ଏକ ମାମଲା ରୁଜୁ କରି ଅଭିଯୁକ୍ତ ବିନ୍ଦୁ ମହାନନ୍ଦକୁ ଗିରଫ କରିଥିଲା।