ନକଲି ନୋଟ୍‌ ଧରାପଡ଼ିବା ଘଟଣା: ଫେରାର୍‌ ଦୁଇ ଅଭିଯୁକ୍ତ ଗିରଫ

ଖପ୍ରାଖୋଲ: ନକଲି ନୋଟ୍‌ ଧରାପଡ଼ିବା ଘଟଣାରେ ଗତମାସ ୨୬ ତାରିଖରୁ ଫେରାର୍‌ ଥିବା ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଗିରଫ ଦ୍ବୟ ହେଲେ ଲାଠୋରର ମାନସ ରଣା ଓ ତୁରେକେଲା ଗଭରା ଗାଁର ଭୁଜବଳ ମାଝୀ। ଘଟଣାଦିନ ପୁଲିସ ଲାଠୋର ଥାନା ପିପଲବାହାଲ ଗାଁ ହନୁମାନ ମନ୍ଦିର ପଡ଼ାର ବ୍ରହ୍ମା ମେହେରଙ୍କୁ ଗିରଫ କରିଥିଲା।

ପୁଲିସର ସୂଚନା ଅନୁସାରେ, ଗତମାସ ୨୬ ତାରିଖ ଦିନ ଅଭିଯୁକ୍ତ ବ୍ରହ୍ମା ଖପ୍ରାଖୋଲକୁ ଆସି ଗୋଟିଏ ଦୋକାନରେ ନକଲି ନୋଟର କାରବାର କରୁଥିବା ବେଳେ କେହି ଜଣେ ଥାନାକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ବ୍ରହ୍ମାଙ୍କୁ ଗିରଫ କରି ତାଙ୍କ ପାଖରୁ ନକଲି ପାଞ୍ଚଶହ ଟଙ୍କିଆ ନୋଟ ୭ଟି, ଦୁଇଶହ ଟଙ୍କିଆ ୭ଟି, ଶହେ ଟଙ୍କିଆ ନୋଟ୍‌ ୧୧ଟି, ଦୁଇଟି ଏଟିଏମ୍‌ କାର୍ଡ, ଗୋଟିଏ ମୋବାଇଲ ଫୋନ୍‌, କିଛି ଦାମୀ ସାବୁନ ଏବଂ ବାଇକ୍‌ ଜବତ କରି ଅଭିଯୁକ୍ତ ବ୍ରହ୍ମାଙ୍କୁ କୋର୍ଟ ଚାଲାଣ କରିଥିଲା। ଏନେଇ ଖପ୍ରାଖୋଲ ଥାନା କେସ୍‌ ନଂ ୩୩/୨୩ ରେ ଏକ ମାମଲା ରୁଜୁ କରି ପୁଲିସ ଅଧିକ ତଦନ୍ତ କରୁଥିଲା। ନକଲି ନୋଟ୍‌ କାରବାରରେ ସଂପୃକ୍ତ ଥିବା ଅନ୍ୟ ଦୁଇ ଅଭିଯୁକ୍ତ ମାନସ ଓ ଭୁଜବଳ ସେହି ଦିନରୁ ଫେରାର୍‌ ଥିଲେ। ଏସ୍‌ଆଇ ଗୋପୀନାଥ ମହାକୁଡ଼ଙ୍କ ନେତୃତ୍ୱରେ ପୁଲିସ ଶୁକ୍ରବାର ଉକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର