ବ୍ରହ୍ମପୁର: ବଜାରରେ ବୁଲୁଛି ଜାଲ୍ ୧୦୦-୫୦୦ ଟଙ୍କା ନୋଟ୍, ଟାର୍ଗେଟ୍‌ରେ ବୟସ୍କ

ବ୍ରହ୍ମପୁର : ବ୍ରହ୍ମପୁରରେ ସକ୍ରିୟ ହୋଇ ଉଠିଛନ୍ତି ଜାଲ୍ ନୋଟ୍ ରାକେଟ୍। ଏହି ରାକେଟ୍ ସହ ଜଡ଼ିତ ନିର୍ଦ୍ଦିଷ୍ଟ କିଛି ଅସାଧୁ ଲୋକ ବର୍ତ୍ତମାନ ବରିଷ୍ଠ ନାଗରିକ ତଥା ବୃଦ୍ଧ ବେପାରୀଙ୍କୁ ଟାର୍ଗେଟ୍ କରିବା ଆରମ୍ଭ କରିଛନ୍ତି। ସେମାନଙ୍କ ଆଖିରେ ଧୂଳି ଦେଇ ବଜାରରେ ନକଲି ନୋଟ୍‌ ଚଳାଇ ନେଉଛନ୍ତି। ଆଜି ଏଭଳି ଏକ ଚାଞ୍ଚଲ୍ୟକର ତଥ୍ୟ ‘ସମ୍ବାଦ’କୁ ହସ୍ତଗତ ‌ହୋଇଛି। ଟାଟାବେଞ୍ଜ୍‌ ଛକରେ ବ୍ୟବସାୟ କରୁଥିବା ଜଣେ ଦୋକାନୀ ଏକ ୧୦୦ ଟଙ୍କା ଜାଲ୍ ନୋଟ୍ ପାଇ ଠକେଇର ଶିକାର ହୋଇଛନ୍ତି।
ଦୋକାନୀଜଣକ ବୃଦ୍ଧ ହୋଇଥିବାରୁ ସେ ଜାଲ୍‌ ନୋଟ୍‌କୁ ଭଲ ଭାବେ ପରଖି ପାରି ନଥିଲେ। ଜଣେ ଯୁବକ ତାଙ୍କୁ ଏକ ଶହେ ଟଙ୍କିଆ ନୋଟ୍‌ ଫୋଲ୍ଡ୍ କରି ଦେଇଥିଲେ। ବୃଦ୍ଧ ବ୍ୟବସାୟୀଜଣକ ବିଶ୍ବାସରେ ଟଙ୍କା ରଖି ସାମଗ୍ରୀ ଦେଇଥିଲେ। କିନ୍ତୁ ଯାଞ୍ଚ ପରେ ତାହା ନକଲି ବୋଲି ଜଣାପଡ଼ିଥିଲା।
ସେହି ନୋଟ୍‌ରେ ଟିକିଏ ପାଣି ପଡ଼ିବା କ୍ଷଣି ତା’ର ରଙ୍ଗ ଛାଡ଼ିଯାଉଛି। ସେହିପରି ନୋଟ୍‌ର କାଗଜ ନିମ୍ନମାନର ହୋଇଥିବା ବେଳେ ମଝିରେ ଥିବା ଗାର (ସିକ୍ୟୁରିଟି ଥ୍ରେଡ୍‌) ପତଳା ରହିଛି। କିନ୍ତୁ ଏହା ଅବିକଳ ଅସଲି ନୋଟ୍ ଭଳି ଦିଶୁଛି। ଫଳରେ ଜଣେ ଏହାକୁ ଭଲଭାବେ ନ ପରଖିଲେ ନିଶ୍ଚିତ ଭାବେ ଠକାମିର ଶିକାର ହେବ। ବୟସ୍କ ବ୍ୟକ୍ତି କିମ୍ବା ଦୃଷ୍ଟିଶକ୍ତିରେ ସମସ୍ୟା ଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଅସଲି ଓ ନକଲି ଚିହ୍ନଟ କରିବା କାଠିକର ପାଠ। ପୁଲିସ ଏ ଦିଗରେ ଦୃଷ୍ଟି ଦେଇ ନକଲି ନୋଟ୍ କାରବାର କରୁଥିବା ରାକେଟ୍‌କୁ ଚିହ୍ନଟ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।
ପ୍ରକୃତ‌ରେ ବ୍ରହ୍ମପୁରରେ ଜାଲ୍‌ ନୋଟ୍‌ ପ୍ରସ୍ତୁତ ହେଉଛି ନା, ବାହାର ଜାଗାରୁ ପ୍ରସ୍ତୁତ ହୋଇ ବଜାରକୁ ଆସୁଛି ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। କିନ୍ତୁ ସାବଧାନ ନହେଲେ ଯେ କୌଣସି ମୁହୂର୍ତ୍ତରେ ଠକେଇର ଶିକାର ହେବାର ଆଶଙ୍କା ରହିଥିବା ସାଧାରଣରେ ଆଲୋଚନା ହେଉଛି। ଅନ୍ୟପକ୍ଷରେ ବ୍ରହ୍ମପୁର ବଜାରରେ ୨ହଜାର ଟଙ୍କିଆ ନୋଟ୍‌ ଆଉ ପୂର୍ବଭଳି ଦେଖିବାକୁ ମିଳୁ ନାହିଁ। କେବଳ ୫ଶହ ଓ ଶହେ ଟଙ୍କିଆ ନୋଟ୍‌ ବଜାରରେ ଉପଲବ୍ଧ ରହୁଛି। କଳାଧନ ବାହାର କରିବା ସହିତ ନକଲି ନୋଟ୍‌ କାରବାର ବନ୍ଦ କରିବା ପାଇଁ କେନ୍ଦ୍ର ସରକାର ‘ବିମୁଦ୍ରୀକରଣ’ ଘୋଷଣା କରିଥିଲେ। ପୁରୁଣା ନୋଟ୍‌କୁ ଅଚଳ ଘୋଷଣା କରି ନୂଆ ନୋଟ୍‌ ପ୍ରଚଳନ କରାଯାଇଥିଲା। ଯାହାକୁ ନକଲି କରିବା କଷ୍ଟକର ବୋଲି ସେ ସମୟରେ କେନ୍ଦ୍ର ସରକାର ଘୋଷଣା କରିଥିଲେ। କିନ୍ତୁ ଅସାଧୁ ଲୋକମାନେ ନୂଆ ନୋଟ୍‌କୁ ମଧ୍ୟ ଜାଲ୍‌ କରି ବଜାରକୁ ଛାଡ଼ିଲେଣି। ଏପରିକି ସହରରେ ୫୦୦ ଟଙ୍କା ଜାଲ୍ ନୋଟ୍ ବି ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର