ଯାଜପୁରରେ ନକଲି ନୋଟ୍‌ ଛାପାଖାନା

୧୩ଲକ୍ଷ ଟଙ୍କାର ଜାଲ୍‌ ନୋଟ୍‌ ଜବତ, ଜଣେ ଗିରଫ

୩ ମାସ ହେଲା ଚାଲିଥିଲା ନୋଟ୍‌ ଛପା
ବଜାରକୁ ଛାଡ଼ିଛି ୫୦ ଲକ୍ଷର ନକଲି ନୋଟ୍‌!

ଯାଜପୁର ଟାଉନ/ ସଦର : ଯାଜପୁରରେ ଚାଲିଥିଲା ନକଲି ନୋଟ୍‌ କାରଖାନା। ରବିବାର ଦିନ ପୁଲିସ ୧୩ ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ କରିବା ପରେ ଏହି ଘଟଣାର ପର୍ଦାଫାସ ହୋଇଛି। ଏ ଘଟଣାରେ ଜଣକୁ ଗିରଫ କରାଯିବା ସହ ନୋଟ୍‌ ଛପା ମେସିନ ଓ ଅନ୍ୟାନ୍ୟ ଉପକରଣ, ଲାପ୍‌ଟପ୍‌ ଜବତ ହୋଇଛି।

ଯାଜପୁର ସହର ସନ୍ଥମାଧବ ଗ୍ରାମରେ ୩ ମାସରୁ ଉର୍ଦ୍ଧ୍ୱ ସମୟ ହେବ ମଙ୍ଗଳପୁର ଥାନା ଛଞ୍ଚିଣା ଗ୍ରାମର ଚନ୍ଦ୍ରମଣି ବଳ(୩୫) ଭଡ଼ାରେ ରହି ନକଲି ନୋଟ୍ କାରବାର ଚଳାଇଥିଲା। ଏହି ଘରେ ନକଲି ନୋଟ୍ ତିଆରି କରି ବିଭିନ୍ନ ସ୍ଥାନକୁ ପଠାଉଥିଲା। ବିଶେଷ ସୂତ୍ରରୁ ଖବର ପାଇ ଯାଜପୁର ଏସ୍‌ପି ରାହୁଲ ପିଆରଙ୍କ ନି‌ର୍ଦ୍ଦେଶକ୍ରମେ ଏସଡିପିଓ ସରୋଜ କୁମାର ଉପାଧ୍ୟାୟ, ଥାନା ଅଧିକାରୀ ଅଜୟ କୁମାର ଜେନା, ଏସଆଇ ଦିଲୀପ କୁମାର କାଣ୍ଡି, ଏସଆଇ ମିନତି ବେହେରା, କନେଷ୍ଟବଳ ହୃଦାନନ୍ଦ ସାହୁ, ପ୍ଲାଟୁନ କମାଣ୍ଡର ଉମାକାନ୍ତ ରାଉତ, ହୋମଗାର୍ଡ ସୋମନାଥ ନାୟକ ସନ୍ଥମାଧବ ଗ୍ରାମରେ ଚନ୍ଦ୍ରମଣି ରହୁଥିବା ଭଡ଼ାଘରେ ଚଢ଼ଉ କରିଥିଲେ। ସେଠାରୁ ଟଙ୍କା ଛପାରେ ବ୍ୟବହୃତ ହେଉଥିବା ୨୨ ଗୋଟି ଅତ୍ୟାଧୁନିକ ମେସିନ ସହ ୧୩ଲକ୍ଷ ୧୭ହଜାର ୫ଶହ ଟଙ୍କାର ନକଲି ନୋଟ୍ ଜବତ କରିଥିଲେ। ନକଲି ନୋଟ୍ ଭିତରେ ୭୫୫ ଖଣ୍ଡ ୫ଶହ ଟଙ୍କିଆ, ୪୨୫୦ ଖଣ୍ଡ ୨ଶହ ଟଙ୍କିଆ, ୯୦୦ ଖଣ୍ଡ ଶହେ ଟଙ୍କିଆ ରହିଛି। ନୋଟ୍‌ରେ ବ୍ୟବହୃତ ନକଲି କାଗଜ, କାଳି ଓ ଷ୍ଟାମ୍ପ ଜବତ ହୋଇଛି। ଅଭିଯୁକ୍ତମାନେ ବିଭିନ୍ନ ବ୍ୟକ୍ତିଙ୍କୁ ୧ଲକ୍ଷ ଟଙ୍କାର ନକଲି ନୋଟ୍ ଦେଇ ୨୦ ହଜାର ଟଙ୍କା ଅସଲି ନୋଟ୍ ନେଉଥିବାର ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି। ରବିବାର ଏନେଇ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ସରୋଜ ଓ ଥାନାଧିକାରୀ ସୂଚନା ଦେଇଛନ୍ତି। ବିଭିନ୍ନ ସୂତ୍ରକୁ ଆଧାର କରି ଅଭିଯୁକ୍ତକୁ ଧରିବାରେ ପୁଲିସ ସଫଳ ହୋଇଥିବା କହିଛନ୍ତି ।

ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଅଭିଯୁକ୍ତ ଚନ୍ଦ୍ରମଣି ମଧ୍ୟ ପୂର୍ବରୁ ଧରାପଡ଼ିଥିଲା। ଏ ସମ୍ପର୍କରେ ଏସ୍‌ଡିପିଓ ଶ୍ରୀ ଉପାଧ୍ୟାୟ କହିଛନ୍ତି, ଏହାପୂର୍ବରୁ ୨୦୧୭ ରେ କାଳିଆପାଣି ଥାନା ପୁଲିସ ୩୧ ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ କରି ଉପରୋକ୍ତ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା। ସେହିପରି ୨୦୨୦ ରେ ଯାଜପୁରରୋଡ୍‌ ଅଞ୍ଚଳରେ ନକଲି ୬୦ହଜାର ଟଙ୍କା ଜବତ କରାଯାଇଥିଲା। ଥାନାରେ ମାମଲା ରୁଜୁ କରି ଏହି ଅଭିଯୁକ୍ତକୁ ଗିରଫ କରାଯାଇଥିଲା ବୋଲି ସେ କହିଛନ୍ତି। ଅଭିଯୁକ୍ତ ଚନ୍ଦ୍ରମଣି ଏହି ନକଲି ନୋଟକୁ ବିଶାଖାପାଟଣା, ବିଜୟନଗରମ ସମେତ ବିଭିନ୍ନ ରାଜ୍ୟରେ ପ୍ରଚଳନ କରୁଥିଲା। ଏଥିପାଇଁ ଏକ ରୢାକେଟ୍ କାର୍ଯ୍ୟ କରୁଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ପୁଲିସ ସୂଚନା ଦେଇଛି। ଚନ୍ଦ୍ରମଣି ପାଖାପାଖି ୫୦ ଲକ୍ଷ ଟଙ୍କାର ନକଲି ନୋଟ୍ କାରବାର କରିଥିବା ପୁଲିସ ଅନୁମାନ କରୁଛି। ଏସଆଇ ଦିଲୀପ କୁମାର କାଣ୍ଡି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ଚନ୍ଦ୍ରମଣିକୁ କୋର୍ଟଚାଲାଣ କରିଛନ୍ତି। ଏଥିରେ ସଂପୃକ୍ତ ଅନ୍ୟ ବ୍ୟକ୍ତିଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର