ବାରିପଦା: ଜାଲ୍ ନୋଟ କାରବାର କରୁଥିବା ଏକ ବଡ଼ ର୍ୟାକେଟ୍ର ଦୁଇଜଣଙ୍କୁ ଗିରଫ କରିଛି ବାରିପଦା ଟାଉନ୍ ଥାନା ପୁଲିସ୍। ଝାଡ଼ଖଣ୍ଡରୁ ଆସି ବାରିପଦାରେ ଏହି ଜାଲ ନୋଟ କାରବାର ହେଉଥିବା ବାରିପଦା ଟାଉନ୍ ଥାନା ପୁଲିସ୍ ନିକଟରେ ଖବର ଥିଲା। ଏହାକୁ ବରାବର ଟ୍ରାକ୍ କରାଯାଉଥିଲା। ତେବେ ଗତକାଲି ବିଳମ୍ବିତ ରାତିରେ ବାରିପଦା ଟାଉନ ଥାନା ପୁଲିସ ବ୍ୟସ୍ତବହୁଳ କୃଷ୍ଣଚନ୍ଦ୍ର ଗୋଲେଇ ନିକଟରେ ଜାଲ ନୋଟ ବ୍ୟବସାୟରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏଥି ସହିତ ଏହି ଦୁଇ ଅଭିଯୁକ୍ତଙ୍କ ନିକଟରୁ ୫୫ ହଜାର ଟଙ୍କାର ୧୧୦ ଖଣ୍ଡ ୫ ଶହ ଟଙ୍କା ଓ ୩୦ ହଜାର ଟଙ୍କାର ୩ ଶହ ଖଣ୍ଡ ୧୦୦ ଟଙ୍କା ଏହିପରି ମୋଟ ୮୫ ହଜାର ଟଙ୍କାର ଜାଲ ନୋଟ ସହ ୨ଟି ମୋବାଇଲ ଫୋନ ଓ ଗୋଟାଏ ଲାଲ ରଙ୍ଗର ପଲସର ବାଇକକୁ ଜବତ କରିଛି । ଏହି ନକଲି ନୋଟ ବ୍ୟବସାୟରେ ଜିଲ୍ଲାର ଏକାଧିକ ବ୍ୟକ୍ତି ଜଡ଼ିତ ରହିଥିବା ପୁଲିସ୍ ସନ୍ଦେହ କରୁଛି।
ସେହିପରି ରାଜ୍ୟ ବାହାରୁ ବଡ଼ ରୢାକେଟ ଏହାକୁ ନିୟନ୍ତ୍ରଣ କରୁଥିବା ପୁଲିସ ସନ୍ଦେହ କରିଛି । ତେବେ ଗିରଫ ହୋଇଥିବା ରାସବିହାରୀ ରଣା(୪୫) ଓ ରାଖହରି ରଣା(୫୦)ଦୁଇ ଅଭିଯୁକ୍ତଙ୍କ ଘର ଝାଡ଼ଖଣ୍ଡ ରାଜ୍ୟ ପୂର୍ବ ସିଂହଭୂମ ଜିଲ୍ଲା ବହଡ଼ାଗୁଡ଼ା ଥାନା ଅନ୍ତର୍ଗତ ଝରିଆ ଗ୍ରାମରେ ବୋଲି ଜଣାପଡ଼ିଛି । ଏନେଇ ବାରିପଦା ଟାଉନ ଥାନାରେ ଭାରତୀୟ ଦଣ୍ଡବିଧି ଆଇନ ଧାରା ୪୮୯(ବି), ୪୨୦, ୩୪ ଅନୁସାରେ କେଶ ନମ୍ବର ୯୦୬/୨୦୨୦ରେ ଏକ ମାମଲା ରୁଜୁ କରାଯାଇଛି ଏବଂ ମାଷ୍ଟଇମାଇଣ୍ଡ ନିକଟରେ ପହଁଞ୍ଚିବା ନିମନ୍ତେ ଉଦ୍ୟମ ଜାରି ରହିଛି ବୋଲି ବାରିପଦା ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି ପ୍ରକାଶ କରିଛନ୍ତି । ଆଇଆଇସି ଶ୍ରୀ ସେନାପତିଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧନାରେ ଏସ୍ଆଇ ମାନିନୀ ପ୍ରଧାନ, ରଞ୍ଜନ କୁମାର ବେହେରା, ଏଏସଆଇ ବାସନ୍ତୀ ସିଂ ପ୍ରମୁଖ ଏହି ଅପରେସନ୍ରେ ସାମିଲ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/Duplicate-Note-Sized-in-Baripada_Thumbnail.jpg)