ବାଂଲାଦେଶରୁ ଭାୟା ସୁନ୍ଦରବନ : ବୋଟ୍‌ରେ ଆସୁଛି ନକଲି ନୋଟ୍‌

ଅସଲି ୪୦କୁ ନକଲି ଶହେ

କଟକ : ବାଂଲାଦେଶରୁ ଭାୟା ସୁନ୍ଦରବନ ଦେଇ ବୋଟ୍‌ରେ ଆସୁଛି ନକଲି ନୋଟ୍‌। ବାଲେଶ୍ବରର ଜଳେଶ୍ବର ଓ ଭଦ୍ରକର ଚାନ୍ଦବାଲି ରାସ୍ତାରେ ଓଡ଼ିଶା ପ୍ରବେଶ କରୁଛି। ସେଠୁ ମୁଖ୍ୟତଃ କଟକ, ଭୁବନେଶ୍ବର, ପୁରୀ ସହରକୁ ଚାଲାଣ ହେଉଛି। ତେବେ ନକଲି ନୋଟ୍‌ କାରବାର ପଛରେ ବାଂଲାଦେଶ ଓ ନେପାଳର ହାତ ରହିଥିବା କୁହାଯାଉଛି। ବ୍ରାଉନସୁଗାର କାରବାର ଭଳି ନକଲି ନୋଟ୍‌ କାରବାର ବି ଭଦ୍ରକ ଓ ବାଲେଶ୍ବର ଜିଲ୍ଲା ଦେଇ ହେଉଥିବା ଜଣାପଡ଼ିଛି। ଗଲା ୯ ବର୍ଷ ଭିତରେ କଟକ ଜିଲ୍ଲାର ୫ ଜଣ ଦୁର୍ବୃତ୍ତ ନକଲି ନୋଟ୍‌ କାରବାରରେ ଗିରଫ ହେବା କଟକରେ ଏହି କାରବାର ସଂପର୍କରେ ପ୍ରମାଣ ଦେଉଛି। କଟକରୁ ଖୋର୍ଧା, ଢେଙ୍କାନାଳ, ଅନୁଗୁଳ, କେନ୍ଦ୍ରାପଡ଼ା ବି ନୋଟ୍‌ କାରବାର ହେଉଥିବା କୁହାଯାଉଛି। ୨୦୨୦ରେ ସିଡିଏରୁ ଯେଉଁ ୧ ଲକ୍ଷ ୬ ହଜାର ଟଙ୍କା ନକଲି ନୋଟ୍‌ ମିଳିଥିଲା, ଏହି ମାମଲାରେ ନୋଟ୍‌ ମାଫିଆ ବିଡାନାସୀରେ ଭଡ଼ାରେ ରହୁଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଏବେ ସମ୍ପୃକ୍ତ ମାଫିଆ ବିଡାନାସୀ ଅଞ୍ଚଳରୁ ଫେରାର ହୋଇଯାଇଥିବାରୁ କଟକ ସହିତ ବଡ଼ ଅନ୍ତଃରାଜ୍ୟ ଲିଙ୍କ୍‌ ଥିବା ସନ୍ଦେହ କରାଯାଉଛି।

ରାଜ୍ୟରେ ୨୦୧୯ ବର୍ଷରେ ୧ ଲକ୍ଷ ୬୬ ହଜାର ନକଲି ନୋଟ୍‌ ଜବତ ହୋଇଥିବାବେଳେ ୨୦୧୮ରେ ୧ ଲକ୍ଷ ୯୨ ହଜାର ଏବ˚ ୨୦୧୭ରେ ୭ ଲକ୍ଷ ୯୮ ହଜାର ଟଙ୍କାର ନକଲି ନୋଟ୍‌ ଜବତ ହୋଇଥିଲା। କିନ୍ତୁ ୨୦୨୦ ଓ ୨୧ ବର୍ଷରେ ଏହି ସ˚ଖ୍ୟା ୫୦ ଲକ୍ଷ ଟପିଯାଇଥିବା କୁହାଯାଉଛି। ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ନକଲି ନୋଟ୍‌ କାରବାରରେ ମୁଖ୍ୟତଃ ବାଂଲାଦେଶ ଓ ନେପାଳର ହାତ ରହିଛି। ନେପାଳରୁ ବିହାର, ଝାଡ଼ଖଣ୍ତ ଦେଇ ଓଡ଼ିଶାରେ ପ୍ରବେଶ କରୁଥିବା ବେଳେ ବାଙ୍ଗାଲାଦେଶରୁ ବୋଟ୍‌ ଯୋଗେ ସୁନ୍ଦରବନ ଦେଇ ଆସୁଛି ନକଲି ନୋଟ୍‌। ସୁନ୍ଦରବନରୁ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ତ ଓ ଓଡ଼ିଶାକୁ ପ୍ରବେଶ କରୁଛି। ସୁନ୍ଦରବନରୁ କଲିକତା, ଦୀଘା, ଜଳେଶ୍ବର, ଖଡଗପୁର, ଭଦ୍ରକର ଚାନ୍ଦବାଲିକୁ ଆସୁଛି। ଜଳେଶ୍ବର ଓ ଭଦ୍ରକରୁ କଟକ, ପୁରୀ, ଭୁବନେଶ୍ବର ମୁଖ୍ୟତଃ ଚାଲାଣ ହେଉଛି ନକଲି ନୋଟ୍‌। ଟଙ୍କା ଆତଙ୍କବାଦୀ ଗୋଷ୍ଠୀ ନିକଟରୁ ଓଡ଼ିଶା ବଜାରରେ ପହଞ୍ଚିବା ଭିତରେ ୪ରୁ ଅଧିକ ଏଜେଣ୍ଟ କାମ କରୁଛନ୍ତି। ଟଙ୍କା କାହା ନିକଟରୁ ଆସୁଛି ଏବ˚ କିଏ ନେଉଛି, ଏସବୁ କେହି ଜାଣନ୍ତି ନାହିଁ। କେବଳ ଏଜେଣ୍ଟ ମାଧ୍ୟମରେ ଏହି କାରବାର ଚାଲିଛି। ଏହି କାରବାରର ନିୟମ ଅନୁଯାୟୀ, ୪୦ ଟଙ୍କା ଅସଲି ନୋଟ୍‌ ଦେଲେ ୧୦୦ ଟଙ୍କା ନକଲି ନୋଟ୍‌ ମିଳୁଛି। ଏହି ହିସାବରେ ହିଁ ନକଲି ନୋଟ୍‌ କାରବାର ଚାଲିଛି। ଅନ୍ୟପଟେ ଗୁଜୁରାଟ ସମେତ ନାସିକ, ଦେଵାସ୍‌, ମହୀଶୁର, ପଶ୍ଚିମବଙ୍ଗରେ ବି ନୋଟ୍‌ ଛପା ହେଉଛି। କମ୍ପ୍ୟୁଟର କଲର‌୍‌ ପ୍ରିଣ୍ଟ ମାଧ୍ୟମରେ ସ୍ବତନ୍ତ୍ର କାଗଜ ବ୍ୟବହାର କରି ଦେଶ ଭିତରେ ବି ନୋଟ୍‌ ଛପାଯାଉଛି।

ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ଦେଶର ଅର୍ଥନୀତିକୁ ଦୁର୍ବଳ କରିବାକୁ ଆତଙ୍କବାଦ ଗୋଷ୍ଠୀ ଏଭଳି କରୁଥିବା କୁହାଯାଉଛି। ଅଣ୍ତର ଵାର୍ଲଡ୍‌ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ ବି ଭାରତରେ ଏଭଳି ନକଲି ନୋଟ୍‌ କାରବାର ଚଳାଇଥିବା ସନ୍ଦେହ କରାଯାଉଛି। ବ୍ରାଉନସୁଗାର ଭଳି ନକଲି ନୋଟ୍‌ ବାଲେଶ୍ବର ଦେଇ ଓଡ଼ିଶାକୁ ପ୍ରବେଶ କରୁଥିବାରୁ ବାଲେଶ୍ବର ଜିଲ୍ଲା ପୁଲିସ ଅଧିକ ସକ୍ରିୟ ହେବାର ଆବଶ୍ୟକତା ରହିଛି।

ପୂର୍ବତନ ପୁଲିସ ଡିିଜି ବିପିନ ମିଶ୍ରଙ୍କ କହିବା ଅନୁଯାୟୀ, ନାସିକ ନିକଟରେ ଥିବା ଟଙ୍କା ଛପା ମେସିନ ଗଲା ୧୫ ବର୍ଷ ତଳେ ଜଣେ ନିର୍ଦ୍ଦେଶକ ଅଳ୍ପ ମୂଲ୍ୟରେ ବିକ୍ରି କରିଦେଇଥିଲେ। ନିୟମ ଅନୁଯାୟୀ, ମେସିନ୍‌ ଭାଙ୍ଗି ବିକ୍ରି କରିବାର ଥିଲା। ଯଦ୍ବାରା ଏହା ପୁନଃ ବ୍ୟବହାର ଉପଯୋଗ ହୋଇପାରିବ ନାହିଁ। କିନ୍ତୁ ସେହି ମେସିନ୍‌ ବିକ୍ରି ପରେ ସେଥିରୁ ବି ନକଲି ନୋଟ୍‌ ଛପା ହେଉଥିବା କୁହାଯାଉଛି। ଅନ୍ୟପଟେ ଓଡ଼ିଶାକୁ ନକଲି ନୋଟ୍‌ ଆସିବା ପଛରେ ବାଂଲାଦେଶ ଓ ନେପାଳର ପ୍ରମୁଖ ହାତ ରହିଛି। କମିସନରେଟ୍‌ ପୁଲିସକୁ ନକଲି ନୋଟ୍‌ ପ୍ରବେଶ ହେଉଛି। ଉଭୟ ବାଂଲାଦେଶ, ନେପାଳ ସମେତ ଓଡ଼ିଶାର ପୁଲିସ ବିଭାଗର ଗୁଇନ୍ଦା ବ୍ୟବସ୍ଥା ଅଧିକାର ସକ୍ରିୟ ହେବାର ଆବଶ୍ୟକତା ଥିବା ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର