ଗଞ୍ଜାମରେ ଚାଲିଥିଲା ଛପା, ସାଢ଼େ ୬ ଲକ୍ଷ ଟଙ୍କାର ୨ ଶହ ଟଙ୍କିଆ ଜବତ
ଆନ୍ଧ୍ର ସମେତ ଏକାଧିକ ସ୍ଥାନରେ ଛପାଯିବାର ସୁରାକ୍ ମିଳିଲା
ଲାପଟପ୍, ପ୍ରିଣ୍ଟର, ରଙ୍ଗ, ନୋଟ୍ ଛପା କାଗଜ, ମୋବାଇଲ ଫୋନ୍ ଜବତ
ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ, ଚାକିରି ନାଁରେ ଲଗାଉଥିଲା ଚୂନ

Advertisment

ଭୁବନେଶ୍ବର : ଖୁବ୍ କମ୍ ଦିନ ଭିତରେ ପାଲଟି ଯାଇଥିଲେ ଜାଲନୋଟ୍‌ର ବାଦଶାହା। ରାଜ୍ୟରେ କୋଟି କୋଟି ଟଙ୍କାର କାରବାର କରିବା ପରେ ବାହାର ରାଜ୍ୟରେ ମଧ୍ୟ ଆଡ଼ା ଜମାଇଥିଲେ। ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଗତ କିଛିଦିନ ଧରି ବେପାର କରିବା ପରେ ଶେଷରେ ପୁଲିସ ହାତରେ ଧରାପଡ଼ିଛନ୍ତି ଦୁଇ ଜାଲ୍ ନୋଟ୍ ମାଫିଆ। ସେମାନଙ୍କ ଠାରୁ ପ୍ରାୟ ସାଢ଼େ ୬ ଲକ୍ଷ ଟଙ୍କାର ଜାଲ୍ ନୋଟ୍, ତିଆରି ପାଇଁ ବ୍ୟବହୃତ କାଗଜ, ଲାପଟପ୍, ପ୍ରିଣ୍ଟର, ରଙ୍ଗ, ଜେଲ୍ ପେନ୍, ମୋବାଇଲ ଫୋନ୍, ଦୁଇଟି ବ୍ୟାଙ୍କ ପାସବୁକ୍ ଜବତ କରାଯାଇଛି। ଆକାଉଣ୍ଟରେ ଥିବା ୩୨ ହଜାର ଟଙ୍କା ଅଚଳ କରିବା ପାଇଁ ପୁଲିସ ସମ୍ପୃକ୍ତ ବ୍ୟାଙ୍କ ଶାଖାକୁ ଚିଠି ଲେଖିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଭଞ୍ଜନଗରରେ ରହୁଥିବା ନୟାଗଡ଼ ଜିଲ୍ଲା ବାଣୀଗୋଚ୍ଛା ଥାନା ନୂଆଗାଁର ମୂଳ ବାସିନ୍ଦା ଏସ୍. ସତ୍ୟନାରାୟଣ ପୃଷ୍ଟି(୨୯) ଓ ଗଞ୍ଜାମ ଜରଡ଼ା ଥାନା ସୁବର୍ଣ୍ଣପୁର ଅଞ୍ଚଳର ଭୁଲା ପ୍ରଧାନ(୨୮)।

ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଚାକିରି କରାଇଦେବା ନାଁରେ ଶତାଧିକ ଆଶାୟୀଙ୍କ ଠାରୁ ସତ୍ୟନାରାୟଣ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ପୁଲିସ ଜାଣିବାକୁ ପାଇଛି। ଏବେ ସୁଦ୍ଧା ଦୁଇଟି ଘଟଣା ସାମ୍ନାକୁ ଆସିଥିବା ବେଳେ ଆହୁରି ଅଭିଯୋଗ ଆସିବ ବୋଲି ଅନୁମାନ କରାଯାଉଛି। ଉଭୟଙ୍କୁ କୋର୍ଟଚାଲାଣ ପରେ ଜେଲ୍ ପଠାଇ ଦିଆଯାଇଛି। ଅଧିକ ଖୋଳତାଡ଼ ପାଇଁ ରିମାଣ୍ଡରେ ଅଣାଯିବ ବୋଲି ଜଣାପଡ଼ିଛି। ସେହିପରି ଏହି ଜାଲ ନୋଟ୍‌କୁ ସେମାନେ ଆଉ କେଉଁଠି ଦେଇଛନ୍ତି? କେତେ କାରବାର କରିଛନ୍ତି? ରାଜଧାନୀର କେଉଁ କେଉଁ ସ୍ଥାନରେ ବ୍ୟବହାର କରିଛନ୍ତି କିମ୍ବା ଅଦଳବଦଳ କରିଛନ୍ତି? ସେ ନେଇ ପୁଲିସ ଖୋଳତାଡ଼ ଜାରି ରଖିଛି। ଆନ୍ଧ୍ର ଲିଙ୍କ୍ ମିଳିଥିବା ବେଳେ ସେଠାକୁ ମଧ୍ୟ ଏକ ଟିମ୍ ଯିବ ବୋଲି ଜଣାପଡ଼ିଛି। ଅଭିଯୁକ୍ତଙ୍କ ବିରୋଧରେ ଖାରବେଳନଗର ଥାନା ପୁଲିସ ଆଇପିସି ଦଫା-୪୮୯(ବି)(ଜାଲ ନୋଟ୍ କାରବାର), ୪୮୯(ସି)(ଜାଲନୋଟ୍ ମହଜୁଦ୍ ରଖିବା), ୪୮୯(ଡି)(ଜାଲ ନୋଟ୍ ତିଆରି କରିବା), ୩୪ରେ ମାମଲା ରୁଜୁ କରିଛି।

କୋଚିଂ ସେଣ୍ଟରରୁ ଜାଲ୍ ନୋଟ୍ ମାଫିଆ
ସତ୍ୟନାରାୟଣ ଭଞ୍ଜନଗରରେ ଏକ କୋଚିଂ ସେଣ୍ଟର ଖୋଲିଥିଲା। ମଝିରେ ମଝିରେ ଭୁବନେଶ୍ବର ଆସେ। ସେ ଖାରବେଳନଗର ଅଞ୍ଚଳରେ ଏକ ଲଜ୍‌ରେ ରହୁଥିଲା। ନିଜକୁ ଜଣେ ସରକାରୀ ଅଧିକାରୀ ବୋଲି ପରିଚୟ ଦେଉଥିଲା। ଲଜ୍‌ ମାଲିକଙ୍କ ସହ ସମ୍ପର୍କ ହେବା ପରେ ଯଦି କାହାର ଚାକିରି ଦରକାର ତାହେଲେ ସେ କରାଇଦେବ ବୋଲି କହିଥିଲା। ଲଜ୍‌ ମାଲିକ ତାଙ୍କର ଜଣେ ଚିହ୍ନା ଯୁବକ ବିସ୍ମୟ କୁମାର ହୋତାଙ୍କୁ ଏ ସମ୍ପର୍କରେ କହିଥିଲେ। ଗତବର୍ଷ ବିସ୍ମୟ ଲଜ୍‌ରେ ପହଞ୍ଚିବା ପରେ ତାଙ୍କୁ ଏମସିଏଲ୍(ମହାନଦୀ କୋଲ୍‌ଫିଲ୍ଡ ଲିମିଟେଡ୍)ରେ ଚାକିରି କରାଇ ଦେବ ବୋଲି କହି ତାଙ୍କ ଠାରୁ ୭୫ ହଜାର ଟଙ୍କା ନେଇଥିଲା। ଚାକିରି ନ ମିଳିବାରୁ ବିସ୍ମୟ ଟଙ୍କା ଫେରସ୍ତ ମାଗିଥିଲେ। ସେ ତାଙ୍କ ସହ ସମ୍ପର୍କ ବଢ଼ାଇ ଲୋଭ ଦେଖାଇବା ଆରମ୍ଭ କରିଥିଲା। ସତ୍ୟ ନାରାୟଣ କହିଥିଲା ତା’ ପାଖରେ ବିପୁଳ ୨ ଶହ ଟଙ୍କିଆ ନୋଟ୍ ଅଛି। ୨ ହଜାର ଓ ୫ ଶହ ଟଙ୍କିଆ ନୋଟ୍ ବଦଳରେ ଅଧିକ ପରିମାଣର ୨ ଶହ ଟଙ୍କିଆ ନୋଟ୍ ଦେବ ବୋଲି କହିଥିଲା। ବିସ୍ମୟଙ୍କ ଠାରୁ ସାଢ଼େ ୩ ଲକ୍ଷ ଟଙ୍କା ନେଇ ବଦଳରେ ୬ ଲକ୍ଷ ୨ ଶହ ଟଙ୍କିଆ ନୋଟ୍ ଦେଇଥିଲା। ବିସ୍ମୟ ଘରେ ଯାଇ ଦେଖିବା ପରେ ଜାଲ୍ ବୋଲି ଜାଣିବାକୁ ପାଇଥିଲେ। ସତ୍ୟ ନାରାୟଣକୁ ଫୋନ୍ କରିବା ପରେ ସେ ସୁଇଚ୍ ଅଫ୍ କରି ଦେଇଥିଲା। ସେହିପରି ବାଲିଅନ୍ତାର ଶିବ କୁମାର ମୁଦୁଲି ନାମକ ଜଣେ ବ୍ୟକ୍ତି ମଧ୍ୟ ପୁଅର ଚାକିରି ପାଇଁ ସତ୍ୟନାରାୟଣ ସହ ଯୋଗାଯୋଗ କରିଥିଲେ। ବ୍ୟାଙ୍କରେ ଚାକିରି କରାଇ ଦେବ ବୋଲି କହି ୮ ଲକ୍ଷ ନେଇଥିଲା। ସମାନ ଢଙ୍ଗରେ ଠକିବାକୁ ଆରମ୍ଭ କରିଥିଲା ସତ୍ୟନାରାୟଣ। ଅସଲି ୧୨ ଲକ୍ଷ ଟଙ୍କା ନେଇ ବଦଳରେ ୧୫ ଲକ୍ଷ ଟଙ୍କାର ନୋଟ୍ ଦେଇଥିଲା। ଏହି ଦୁଇଟି ଘଟଣା ସାମ୍ନାକୁ ଆସିଥିବା ବେଳେ ଆହୁରି ଅନେକ ରହିଥିବା ସନ୍ଦେହ କରାଯାଉଛି।

publive-image

ମୋବାଇଲ ଫୋନ୍‌ରୁ ମିଳିଲା ୫୦ ଚାକିରି ସାଇଟ୍
ସତ୍ୟନାରାୟଣ ମୋବାଇଲ ଫୋନ୍‌କୁ ଜବତ କରି ପୁଲିସ ଯାଞ୍ଚ କରିବା ପରେ ସେଥିରୁ ୫୦ଟି ଚାକିରି ସାଇଟ୍ ପାଇଛି। ଏହି ସବୁ ସାଇଟ୍‌କୁ ଭିତ୍ତି କରି ସତ୍ୟନାରାୟଣ ଚାକିରି ଆଶାୟୀଙ୍କୁ ଲୋଭ ଦେଖାଇ ଟଙ୍କା ଲୁଟୁଥିଲା। ଏବେ ସୁଦ୍ଧା ରାଜଧାନୀରେ ଦୁଇଟି ଠକେଇ ସାମ୍ନାକୁ ଆସିଥିବା ବେଳେ ଆହୁରି ବହୁ ସଂଖ୍ୟାରେ ଠକିଥିବା ଅନୁମାନ କରାଯାଉଛି। ଦୁଇ ଜଣ ଗିରଫ ପରେ ଥାନାକୁ ଆହୁରି ଅଭିଯୋଗ ଆସିବ ବୋଲି ଜଣାପଡ଼ିଛି।

କୌଶଳ ଶିଖାଇଥିଲା ଭୁଲା
ସତ୍ୟନାରାୟଣ ବ୍ରହ୍ମପୁରରୁ ଟ୍ରେନରେ ଯିବା ଆସିବା କରିବା ସମୟରେ ଅନ୍ୟତମ ଅଭିଯୁକ୍ତ ଭୁଲା ପ୍ରଧାନ ସହ ୨୦୨୦ରେ ଦେଖାସାକ୍ଷାତ ହୋଇଥିଲା। ଏହା ପରେ ସେମାନଙ୍କ ଭିତରେ ବନ୍ଧୁତ ହୋଇଥିଲା। ସତ୍ୟନାରାୟଣ ଚାକିରି ନାଁରେ ଠକୁଥିବା ଜାଣିବା ପରେ ଭୁଲା ମଧ୍ୟ ଆନ୍ଧ୍ରପ୍ରଦେଶରୁ ଜାଲ୍‌ ନୋଟର କୌଶ​​ଳ ଶିଖିଥିବା କହିଥିଲା। ଏହା ପରେ ଦୁହେଁ ମିଶି ଭୁଲାର ଘର ଜରଡ଼ାରେ ଆରମ୍ଭ କରି ଦେଇଥିଲେ ଜାଲ୍ ନୋଟ୍ ଛପା। ଇଣ୍ଟରନେଟରୁ ୨ ଶହ ଟଙ୍କିଆ ନୋଟ୍ ଡାଉନଲୋଡ୍ କରିବା ପରେ ତାହାର ଡିଜାଇନ୍ ପ୍ରସ୍ତୁତ କରୁଥିଲା। ଏହାପରେ କଲର ପ୍ରିଣ୍ଟର ସାହାଯ୍ୟରେ ଛପାଉଥିଲା। ନୋଟ୍ ପ୍ରସ୍ତୁତ ହେବା ପରେ ଏହାକୁ କଟର ସାହାଯ୍ୟରେ କାଟୁଥିଲା। ୱାଟର ମାର୍କକୁ ଗ୍ରିନ୍(ସବୁଜ) ଜେଲ୍ ପେନ୍ ଜରିଆରେ ଚିତ୍ରିତ କରୁଥିଲା। ଅସଲି ବଦଳରେ ବିପୁଳ ନକଲି ନୋଟ୍ ଲୋଭ ଦେଖାଇ ଉଭୟେ କାରବାର କରୁଥିଲେ।

ମଲ୍‌ରେ ଜାଲ ନୋଟ୍ ଦେଇ ଧରାପଡ଼ିଲେ
ଦୁଇ ଅଭିଯୁକ୍ତ ଗତ ତିନି ଦିନ ଧରି ରାଜଧାନୀର ମାଷ୍ଟରକ୍ୟାଣ୍ଟିନ ନିକଟରେ ଥିବା ଏକ ମଲ୍‌କୁ ଯାଉଥିଲେ। ସେଠାରେ ଜାଲ୍ ନୋଟ୍ ବଦଳରେ ସାମଗ୍ରୀ କିଣୁଥିଲେ। ମଲ୍‌ର ହିସାବ ସମୟରେ ଏହି ନୋଟ୍ ଜାଲ ବୋଲି ଜଣାପଡ଼ିଥିଲା। ଦୁଇ ଜଣଙ୍କୁ ସିସିଟିଭି କ୍ୟାମେରାରେ ଚିହ୍ନଟ ମଧ୍ୟ କରା ଯାଇଥିଲା। ଏ ସମ୍ପର୍କରେ ଖାରବେଳନଗର ଥାନା ପୁଲିସକୁ ମଲ୍ ପକ୍ଷରୁ ଖବର ଦିଆ ଯାଇଥିଲା। ପୁଲିସର ଏକ ଟିମ୍ ଜଗି ରହିଥିଲା। ଦୁଇ ଅଭିଯୁକ୍ତ ମଲ୍‌ ନିକଟରେ ପହଞ୍ଚିବା ମାତ୍ରେ ପୂର୍ବରୁ ପ୍ରସ୍ତୁତ ଥିବା ପୁଲିସ ସେମାନଙ୍କୁ କାବୁ କରି ନେଇଥିଲା। ଏହା ପରେ ଉଭୟଙ୍କୁ ଜେରା ପରେ ଜାଲ ନୋଟ୍ କାରବାର କଥା ପଦାକୁ ଆସିଥିଲା।