ବଜାରରେ ୧୦ କୋଟିର ଜାଲ୍‌ ନୋଟ୍‌ : ଭୁବନେଶ୍ୱର, ସୋନପୁର, ଗୁଣୁପୁର, ଯାଜପୁର, କୋରାପୁଟ ଥିଲା କେନ୍ଦ୍ରସ୍ଥଳ

ଭୁବନେଶ୍ୱର : ଯେକୌଣସି ଲୋକଙ୍କ ଘରେ ଜାଲ୍‌ ନୋଟ୍‌ ଥାଇପାରେ। ଏକଥା ଆମେ କହୁନୁ, ଗତକାଲି ତମାଣ୍ଡୋ ଅଞ୍ଚଳରୁ ଜାଲ୍‌ ନୋଟ୍‌ ର‍୍ୟାକେଟ୍‌ର ପର୍ଦାଫାସ କରିବା ପରେ ଏଭଳି ସନ୍ଦେହ କଲାଣି କମିସନରେଟ୍‌ ପୁଲିସ। କାରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ରାମେଶ୍ୱର ମହାରଣା ଜେରା ବେଳେ ଏମିତି କିଛି ଚାଞ୍ଚଲ୍ୟକର ତଥ୍ୟ ଦେଇଛି। ପାଞ୍ଚ କି ଦଶ ଲକ୍ଷ ନୁହେଁ, ପାଖାପାଖି ୧୦ କୋଟି ଟଙ୍କାର ଜାଲ ନୋଟ୍‌ ଓଡ଼ିଶା ଓ ଆନ୍ଧ୍ର ବଜାରରେ ଛ଼ଡାଯାଇଥିବା ରାମେଶ୍ୱର ମାନିଛି। ଏପରିକି ଜାଲ୍‌ ନୋଟ ଦେଇ ଲୋକେ ଗାଡି କିଣିଛନ୍ତି, ଗଞ୍ଜେଇ କିଣାଯାଇଛି, ଚୋରା ମଦ କାରବାର ମଧ୍ୟ ହୋଇଛି ବୋଲି ରାମେଶ୍ୱର କହିଛି।

ରାମେଶ୍ୱର ଜେରା ବେଳେ ଏକଥା ବି ସ୍ୱୀକାର କରିଛି ଯେ ସେ କେବଳ ଭୁବନେଶ୍ୱର ନୁହେଁ, ପଶ୍ଚିମ ଓଡ଼ିଶାର ସୋନପୁର, ଦକ୍ଷିଣ ଓଡ଼ିଶାର ଗୁଣୁପୁର, କୋରାପୁଟ ଓ ଉପକୂଳବର୍ତୀ ଓଡ଼ିଶାର ଯାଜପୁରକୁ ସେମାନଙ୍କ କେନ୍ଦ୍ରସ୍ଥଳ ଭାବେ ବିଚାର କରି ଏହିଠାରେ ହିଁ ଜାଲ୍‌ ନୋଟ୍‌ ଅଦଳବଦଳ କରୁଥିଲା।

ଆନ୍ଧ୍ରର ଏକ ତିନି ଜଣିଆ ଦଳ ନିୟମିତ ଭାବେ ତା’ ଠାରୁ ଜାଲ୍‌ ନୋଟ୍‌ ନେଉଥିବା ସେ ପୁଲିସ ଆଗରେ ମାନିଛି।

କିଭଳି ସେ ନୋଟ୍‌ ପ୍ରସ୍ତୁତି କରୁଥିଲା, ବଜାରକୁ ଏସବୁ କେମିତି ଯାଉଥିଲା, ସେ ସଂକ୍ରାନ୍ତ ତଥ୍ୟ ଜଣାଇବା ପରେ ପୁଲିସ ଆଖି ଖୋସି ହୋଇଯାଇଛି। ଘଟଣା ସଂପର୍କରେ ପୁଲିସ ଡିଜିଙ୍କୁ ଅବଗତ କରାଯିବା ପରେ ସେ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି। କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌କୁ ଏହି ମାମଲା ହସ୍ତାନ୍ତର କରାଯିବ ବୋଲି ଆଜି ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି। ଅନ୍ୟପକ୍ଷରେ ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି, ଘଟଣାର ଗମ୍ଭୀରତା ଦୃଷ୍ଟିରୁ ଅଭିଯୁକ୍ତମାନଙ୍କୁ ଅଧିକ ଜେରାର ଆବଶ୍ୟକତା ପଡୁଛି। ଏଣୁ ରାମେଶ୍ୱରକୁ ୩ ଦିନିଆ ରିମାଣ୍ଡରେ ଆଣିବା ପାଇଁ କୋର୍ଟଙ୍କ ନିକଟରେ ଆବେଦନ କରାଯିବ।

ଉଲ୍ଲେଖଯୋଗ୍ୟ ଗତକାଲି କମିସନରେଟ୍‌ ପୁଲିସ ଗିରଫ କରିଥିବା ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜାମିନ୍‌ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସେମାନେ ହେଲେ କାରଖାନାର ମାଲିକ ତଥା ଜାଲ୍‌ ନୋଟ୍‌ ଛପାଉଥିବା ମାଷ୍ଟର ମାଇଣ୍ଡ୍‌ ରାମେଶ୍ୱର ମହାରଣା ଓରଫ୍‌ ରମେଶ, ସହଯୋଗୀ କେ. ରମେଶ, ଶରତ କୁମାର ସାହୁ ଓରଫ୍‌ ବାପି, ଦିଲ୍ଲୀପ ଭୋଇ ଓ ପ୍ରଣମ ଭୋଇ। ଖୋର୍ଧା ତାପଙ୍ଗ ଟାଙ୍ଗୀ ସାହିର ପ୍ରଣମ ଓ ଦିଲ୍ଲୀପ ଦୁଇଭାଇ ବୋଲି ପୁଲିସ ସୂଚନା ଦେଇଛି ଓ ଏହି ଦୁଇ ଜଣ ବାପି ସହ ମିଶି ଜାଲ୍‌ ନୋଟ୍‌ କାରବାର ସହ ହନୁମାନ ପଇସା ଯୋଗାଇବା ନାଁରେ ଲୋକଙ୍କୁ ଠକୁଥିବା ଜଣାପଡ଼ିଛି। ଏପଟେ ଆଜି କମିସନରେଟ୍‌ ପୁଲିସର ବଚ୍ଛା ବଚ୍ଛା ଅଧିକାରୀଙ୍କୁ ନେଇ ଦୁଇଟି ଟିମ୍‌ ଆନ୍ଧ୍ରପ୍ରଦେଶ ଓ ଗଞ୍ଜାମ ଯାଇ ତଦନ୍ତ ଆରମ୍ଭ କରିଛନ୍ତି।

୪ ଥର ଜେଲ୍‌ ଯାଇଥିଲା ରାମେଶ୍ୱର

ପୂର୍ବରୁ ଜାଲ୍‌ ନୋଟ୍‌ର ଛପାଇବା ଓ ର‍୍ୟାକେଟ୍‌ ଜରିଆରେ ବଜାରକୁ ଛାଡ଼ୁଥିବା ଅଭିଯୋଗରେ ମୁଖ୍ୟ ନାୟକ ରାମେଶ୍ୱର ଚାରି ଚାରି ଥର ଜେଲ୍‌ ଯାଇଥିବା ପୁଲିସ କହିଛି। କାଳିଆପାଣି, ଗୁଣୁପୁର ଓ ରଘୁନାଥପୁରରୁ ସେ ୩ ଥର ଗିରଫ ହୋଇ ଜେଲ୍‌ ଯାଇଛି। ସବୁ ଥର ତା’ଠାରୁ ଜାଲ୍‌ ନୋଟ୍‌ ଜବତ କରାଯାଇଥିଲା। ଗଞ୍ଜାମ କେ.ନୂଆଗାଁ ବଜାର ସାହିସ୍ଥିତ ରାମେଶ୍ୱରର ନିଜ ଘରୁ ଜାଲ୍‌ ନୋଟ୍‌ ଛପା ଯାଉଥିଲା ଓ ସେଗୁଡ଼ିକୁ ସେ ନିଜେ ବା ର‍୍ୟାକେଟ୍‌ ଜରିଆରେ ବଜାରକୁ ପଠାଉଥିଲା। ତେବେ ସେ ନିଜେ ଜାଲ୍‌ ନୋଟ୍‌ ଛପାଉଥିଲା ବୋଲି ପୂର୍ବରୁ ପୁଲିସ ଜାଣିପାରିନଥିଲା।
ରାମେଶ୍ୱର ପୁଲିସକୁ ଦେଇଥିବା ବୟାନ୍‌ ଅନୁସାରେ ତା ଦ୍ୱାରା ପ୍ରସ୍ତୁତ ଜାଲ୍‌ ନୋଟ୍‌ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶକୁ ବି ଚାଲାଣ କରାଯାଇଛି। ଏମିତିକି ସେ ଥରେ ଆନ୍ଧ୍ର ପ୍ରଦେଶ ପୁଲିସ ହାତରେ ଗିରଫ ହୋଇଥିଲା ବୋଲି କହିଛି। ସେ ଏହାକୁ ଏକ ବେଉସା କରିଥିବା ସ୍ୱୀକାର କରିଛି ଓ ପ୍ରତିଥର ଜେଲ୍‌ରୁ ଫେରିବା ପରେ ସେ ପୁଣି ସେହି କାମରେ ଲାଗିପଡ଼େ ବୋଲି ରୋକ୍‌ଠୋକ୍‌ କହିଛି। ନିଜ ସ୍ୱୀକାରୋକ୍ତିରେ ସେ କହିଛି ଯେ ମାତ୍ର କିଛି ଟଙ୍କାର କମିସନ ପାଇ ସେ ଜାଲ୍‌ ନୋଟ୍‌ ଯୋଗାଉଥିଲା। ଏକ ଲକ୍ଷ ଟଙ୍କାର ଜାଲ୍‌ ନୋଟ୍‌ ବଦଳରେ ତାକୁ ୨୦ରୁ ୩୦ ହଜାର ଟଙ୍କା ମିଳୁଥିଲା। ପୁଣି ବେଳେବେଳେ ପାର୍ଟିମାନେ ବାକି ରଖି ପରେ ଟଙ୍କା ଦିଅନ୍ତି ନାହିଁ। କଳା କାରବାର ହେତୁ ଚୁପ୍‌ ରହିବାକୁ ପଡ଼େ ବୋଲି ସେ କହିଛି।

ର‍୍ୟାକେଟକୁ ଧରାଇଲା ହନୁମାନ ପଇସା

ଏହି ର‍୍ୟାକେଟ୍‌ ଧରାପଡ଼ିବା ପଛରେ ମୁଖ୍ୟ କାରଣ ହେଉଛି ହନୁମାନ ପଇସା। ଖୋର୍ଧା ତାପଙ୍ଗ ଟାଙ୍ଗି ସାହିର ପ୍ରଣମ, ଦିଲ୍ଲୀପ ଓ ଡାଳତୋଳାର ବାପି ଏକ ହନୁମାନ ପଇସା ପାଇଁ ତମାଣ୍ଡୋ ଥାନା ମହୁରା ବଜାରକୁ ଆସିଥିଲେ। ସେମାନେ ନକଲି ନୋଟ୍‌ ଦେଇ ପାର୍ଟିଠାରୁ ହନୁମାନ ପଇସା ହାତେଇବେ ବୋଲି ଯୋଜନାରେ ଥିଲେ। ହନୁମାନ ପଇସା ପାର୍ଟି ସେମାନଙ୍କଠାରୁ ୫୦ ହଜାର ଟଙ୍କା ନେବା ପରେ ବି ଖେଳୁଥିଲା ବୋଲି ଏମାନେ ନକଲି ନୋଟ୍‌ ବଦଳରେ ପାର୍ଟିକୁ ଠକିବାକୁ ବସିଥିଲେ। ମାତ୍ର ମହୁରା ବଜାରରେ କୁଇକ୍‌ ଆକ୍‌ସନ ଟିମ୍‌ ଓ ତମାଣ୍ଡୋ ଥାନା ପୁଲିସ ହାବୁଡ଼ରେ ପଡ଼ିଗଲେ। ଶେଷରେ ପୁରା ର‍୍ୟାକେଟ୍‌ ପୁଲିସ ପଞ୍ଝାରେ ପଡ଼ିଗଲା।

କୁଆଡ଼େ ଗଲା ଲ୍ୟାପ୍‌ଟପ୍‌?

ଖାଲି ଏକ ପ୍ରିଣ୍ଟରରେ ରାମେଶ୍ୱର କିଭଳି ଜାଲ୍‌ ନୋଟ୍‌ ଛପାଉଥିଲା, ତାହାକୁ ନେଇ କିଛି କମ୍ପ୍ୟୁଟର ବିଜ୍ଞାନୀ ପ୍ରଶ୍ନ ଉଠାଇଛନ୍ତି। ଏପରିକି ଲାପଟପ୍‌ ବା କମ୍ପ୍ୟୁଟର ବିନା କେବଳ ପ୍ରିଣ୍ଟରରେ ଅବିକଳ ନୋଟ୍‌ ଛପାଇବା ଅସମ୍ଭବ ବୋଲି ସେମାନେ କହିଛନ୍ତି। ପ୍ରିଣ୍ଟରରେ ଯେମିତି ବି ପ୍ରିଣ୍ଟ ବାହାର କଲେ, ତାହା ଅରିଜିନାଲ୍‌ ନୋଟ୍‌ର ରଙ୍ଗଠାରୁ ସାମାନ୍ୟ ଫିକା ରହିବ। ପୁଣି ନୋଟ ଆଗ ପଛ ପୂରା ଠିକଭାବେ ସେଟିଙ୍ଗ୍‌ ନେଇ ଛପିବା ମଧ୍ୟ ବହୁ କାଠିକର ପାଠ। ତେଣୁ ପୁଲିସ ପ୍ରିଣ୍ଟର ଜବତ କରିଥିଲେ ବି ଲାପଟପ୍‌ ବା କମ୍ପ୍ୟୁଟର ଡେସ୍କଟପ ମିଳିନଥିବାରୁ ନୋଟ୍‌ କାରଖାନାର ମୂଳଟା ପୁଲିସ ହାତରେ ଲାଗିନଥିବା କୁହାଯାଉଛି।

ତଦନ୍ତକାରୀ ଅଧିକାରୀଙ୍କ ସୂଚନାନୁସାରେ ରାମେଶ୍ୱର କୋଲକାତାରୁ ଅରିଜିନାଲ୍‌ ନୋଟ୍‌ର ପ୍ରିଣ୍ଟିଂକୁ କମ୍ପ୍ୟୁଟରରେ କୋଲାବରେସନ୍‌ କରି ନେଇ ଆସେ ଓ ଗୋଟିଏ ଥର କୋଲାବରେସନ୍‌ ହେଲା ପରେ ପ୍ରିଣ୍ଟର ସେହି ଛାପକୁ ନେଇ ପ୍ରିଣ୍ଟ୍‌ କରିଚାଲେ। ଅର୍ଥାତ୍‌ ରାମେଶ୍ୱର ଏଭଳି ଜାଲି ନୋଟ୍‌ ପ୍ରସ୍ତୁତ କରୁଥିବା ଏକ ବଡ଼ ର‍୍ୟାକେଟ୍‌ର ଅଂଶ ବିଶେଷ ବୋଲି ପୁଲିସ ନିଜେ ହିଁ ସ୍ୱୀକାର କରିଛି।

ମାଷ୍ଟରମାଇଣ୍ଡ୍‌ କିଏ?

ରାମେଶ୍ୱର ମାତ୍ର ପ୍ରାଥମିକ ବିଦ୍ୟାଳୟ ମାଟି ମାଡ଼ିବା ପରେ ପାଠପଢ଼ା ଛାଡ଼ିଛି। ତେଣୁ କମ୍ପ୍ୟୁଟରରେ କୋଲାବରେସନ୍‌ କରିବା ତା ପକ୍ଷେ ଅସମ୍ଭବ। ପ୍ରିଣ୍ଟରକୁ ସେଟ୍‌ କରି ପ୍ରିଣ୍ଟ୍‌ ବାହାର କରିବା ଭିନ୍ନ କଥା। ତେଣୁ ରାମେଶ୍ୱର ପଛରେ ଏକ ଶକ୍ତିଶାଳୀ ର‍୍ୟାକେଟ୍‌ ରହିଛି ବୋଲି ପୁଲିସ ଅନୁମାନ କରୁଛି।

କୋଲକାତା ହେଉ କିମ୍ବା ବାଲାଂଦେଶକୁ ଏହି ର‍୍ୟାକେଟ୍‌ର ଚେର ଲମ୍ବିଥିବା କିଛି ଅସମ୍ଭବ ନୁହେଁ ବୋଲି ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର