ପୁରୁଷୋତ୍ତମପୁର : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ପୁଲିସ ଆଜି ଜାଲ୍‌ନୋଟ୍ କାରବାର କରୁଥିବା ୨ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫମାନେ ହେଲେ, ଶାସନପଲ୍ଲୀ ଗ୍ରାମର କେ.ସୁ‌ରେଶ ପାତ୍ର (୨୩) ଓ କେ.ନୂଆଗାଁ ଥାନା ଅଧୀନ ଚିକିଟିପେଣ୍ଠ ଗ୍ରାମର ଭୈରବ କୁମାର ସାହୁ (୨୫)। ସେମାନଙ୍କଠୁ ୨୭ଟି ୫୦୦ ଟଙ୍କା ନୋଟ୍ ଓ ୧୫ଟି ୨ହଜାର ଟଙ୍କା ନକଲି ନୋଟ୍ ଜବତ ହୋଇଛି। ଏନେଇ କେସ୍ ନମ୍ବର ୪୯/୨୦ ଅନୁସାରେ ମାମଲା ରୁଜୁ ସହ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି। ତେବେ ଏହି ଜାଲ୍‌ନୋଟ୍ ରାକେଟ୍‌ରେ ଅନ୍ୟ କେଉଁ ମାନଙ୍କ ସଂପୃକ୍ତି ରହିଛି ଏନେଇ ତନାଘନା ଜାରି ରହିଛି। ଗତକାଲି ସକାଳେ ଭାବନ୍ଧ ଛକରେ ପୁଲିସ ପଇଁତରା ଚାଲିଥିବା ବେଳେ ସୁରେଶ ଓ ଭୈରବଙ୍କ ପଲସର୍ ବାଇକ୍‌ରୁ ଏସମସ୍ତ ନକଲି ନୋଟ୍ ମିଳିଥିଲା। ଜବତ ହୋଇଥିବା ମୋଟ ୧୬ହଜାର ୫ଶହ ଟଙ୍କାକୁ ଯାଞ୍ଚ ପାଇଁ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଶାଖାକୁ ପଠାଯାଇଥିଲା। ତାହା ନକଲି ବୋଲି ଶାଖା ପରିଚାଳକ ଅବଗତ କରିବା ପରେ ପୁଲିସ ମାମଲା ରୁଜୁ କରି ଉଭୟଙ୍କୁ ଗିରଫ କରିଥିଲା।