ଢେଙ୍କାନାଳ : ସଦର ଥାନା ଭାପୁର ଫାଣ୍ତି ଅନ୍ତର୍ଗତ ରଥପଦାଠାରେ ଶନିବାର ଦିନ ଭୁବନେଶ୍ବର ଏସ୍‌ଟିଏଫ୍‌ର ଏକ ଦଳ ନକଲି ନୋଟ୍ ଚାଲାଣକାରୀ ଜଣେ ଯୁବକକୁ କାବୁ କରିବା ସହ ତା’ଠାରୁ ଲକ୍ଷାଧିକ ଟଙ୍କାର ନକଲି ନୋଟ୍ ଜବତ କରିଛି। ସଂପୃକ୍ତ ଯୁବକ ଦେବଗଡ଼ ଅଞ୍ଚଳର ତୁଷାର କୁମାର ବିଶ୍ବାଳ (୨୭) ବୋଲି ପୁଲିସ୍‌ ସୂତ୍ରରୁ ଜଣାଯାଇଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ତୁଷାର ଏକ ବାଇକ୍‌ ଯୋଗେ ନକଲି ଟଙ୍କା ଧରି ସମ୍ବଲପୁର ଆଡ଼ୁ ପୁରୁଣା କଟକ- ସମ୍ବଲପୁର ରାସ୍ତାରେ ଭୁବନେଶ୍ବର ଅଭିମୁଖେ ଯାଉଥିଲା। କୌଣସି ସୂତ୍ରରୁ ଖବର ପାଇ ଭୁବନେଶ୍ବର ଏସ୍‌ଟିଏଫ୍ ଦଳ ଢେଙ୍କାନାଳ ସଦର ଥାନା ପୁଲିସ୍‌ ସହଯୋଗରେ ଭାପୁର ଫାଣ୍ତିର ରଥପଦାଠାରେ ଜଗି ରହିଥିଲେ। ସଂପୃକ୍ତ ଯୁବକ ସମ୍ବଲପୁର ଆଡ଼ୁ ଆସୁଥିବା ବେଳେ ଏସ୍‌ଟିଏଫ୍ ଦଳ ତାକୁ ସେଠାରେ ଅଟକାଇ କାବୁ କରିନେବା ସହ ତନଖି କରିଥିଲେ। ତା’ଠାରୁ ୧ଲକ୍ଷ ୯୦ ହଜାର ୬୦୦ ଟଙ୍କାର ଜାଲ୍ ନୋଟ୍ ବାହାରିଥିଲା। ଜାଲ୍ ନୋଟ୍ ସହ ତା’ ବାଇକ୍‌କୁ ଜବତ କରାଯାଇ ସଦର ଥାନାରେ ଅଟକ ରଖାଯାଇ ତଦନ୍ତ ଜାରି ରହିଛି ବୋଲି ସଦର ଥାନା ଅଧିକାରୀ ପ୍ରଦୀପ କୁମାର ପ୍ରଧାନ ସୂଚନା ଦେଇଛନ୍ତି।

ଏ ସଂପର୍କରେ ସଦର ଥାନାରେ ୬୫୮/୨୨ରେ ଏକ ମାମଲା ରୁଜୁ କରାଯାଇଛି। ଏହି ଘଟଣାରେ ଆଜି ରାତିରେ ଦେବଗଡ ଥାନା ପୁଲିସ୍ ସହଯୋଗରେ ଢେଙ୍କାନାଳ ପୁଲିସ୍ ୨ ଜଣ ଯୁବକକୁ ଗିରଫ କରିଛି। ଗିରଫ ଯୁବକ ମାନେ ପୌରାଂଚଳର ତ୍ରିନାଥ ଦାସ ଓ ବିଶ୍ୱନାଥ ଆଚାର୍ଯ୍ୟ । ତାଙ୍କ ନିକଟରୁ ଲାପଟପ ଓ ଜାଲ ନୋଟରେ ବ୍ୟବହାର ବିଭିନ୍ନ କାଗଜ ପତ୍ର ଜବତ କରିଛି।