ରାଉରକେଲାରେ ୧୬ ଲକ୍ଷ ଜାଲ୍‌ ନୋଟ୍‌ ଜବତ

ଧରାପଡ଼ିଲା ଜାଲ୍‌ ନୋଟ୍‌ ବେପାରୀ, ରାକେଟ୍‌ରେ ସାମିଲ ଏକାଧିକ!

ରାଉରକେଲା : ରାଉରକେଲାରେ ରବିବାର ଦିନ ଜଣେ କୁଖ୍ୟାତ ଜାଲ ନୋଟ୍‌ ବେପାରୀକୁ ପୁଲିସ କାବୁ କରିନେଇଛି। ରାଜ୍ୟ ଟାସ୍କଫୋର୍ସ ଓ ରାଉରକେଲା ଜିଲ୍ଲା ପୁଲିସ ଆଜି ଯୋଜନାବଦ୍ଧ ଭାବେ ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି)ର ଏକ ପରିତ୍ୟକ୍ତ କ୍ବାର୍ଟରରୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛି ନୂଆଦିଲ୍ଲୀ ବଦରପୁର ଥାନା ଅଞ୍ଚଳର ମୂଳବାସିନ୍ଦା ତଥା ସେକ୍ଟର-୧୭, କ୍ବାର୍ଟର ନଂ ସି ୨୩୧ରେ ରହୁଥିବା ଅହମଦ ଅଲ୍ଲୀ(୨୨)। ଅଭିଯୁକ୍ତ ପାଖରୁ ନଗଦ ୧୬ ଲକ୍ଷ ୧୧ ହଜାର ଟଙ୍କା ଜବତ ହୋଇଛି। ଏହାସହ ନକଲି ନୋଟ୍‌ ଛାପିବାରେ ବ୍ୟବହୃତ କଲର୍‌ ପ୍ରିଣ୍ଟର୍‌, ଲାପଟପ୍‌, ମୋବାଇଲ, ସ୍ୟାହି, ସ୍କେଲ ଆଦି ଜବତ ହୋଇଛି। ପୁଲିସ ପଚରାଉଚରା ଜାରି ରଖିଛି।

ଅଭିଯୁକ୍ତ ଅହମଦ ଅଲ୍ଲୀ ଗତ କିଛିବର୍ଷ ହେଲା ରାଜଗାଙ୍ଗପୁରରେ ଏକ ବେସରକାରୀ ସଂସ୍ଥାରେ ନିୟୋଜିତ ଥିଲା। ଗତ ପ୍ରାୟ ୨ ମାସ ପୂର୍ବେ ସେ ରାଉରକେଲାକୁ ସ୍ଥାନାନ୍ତର ହୋଇଥିଲା। ପରେ ଆର୍‌ଏସ୍‌ପିର ସେକ୍ଟର-୧୭, ସି ବ୍ଲକ କ୍ବାର୍ଟର ନଂ ୨୩୧କୁ ଟାର୍ଗେଟ୍‌ କରିଥିଲା। ଏହି ବାସଗୃହଟି ପରିତ୍ୟକ୍ତ ହୋଇପଡ଼ିବାରୁ ‌ସେ ଦୃଷ୍ଟି ଆଢ଼ୁଆଳରେ ରହିଯାଇଥିଲା। ପରେ ମନଇଚ୍ଛା ସେଠାରେ ଜାଲ୍‌ ନୋଟ୍‌ ଛାପିଥିଲା। ଏନେଇ ରାଜ୍ୟ ଟାସ୍କ୍‌ଫୋର୍ସ‌୍(ଏସ୍‌ଟିଏଫ୍‌) ଗୁପ୍ତ ସୂଚନା ପାଇଥିଲା। ପରେ ଏସ୍‌ଟିଏଫ୍‌ ଓ ରାଉରକେଲା ପୁଲିସ ଅଭିଯୁକ୍ତକୁ କାବୁ କରିବାକୁ ଜାଲ ବିଛାଇଥିଲେ। ଯୋଜନାମୁତାବକ ଆଜି ପୂର୍ବାହ୍ନରେ ଏକ ଦଳ ଉକ୍ତ କ୍ବାର୍ଟରରେ ଚଢ଼ଉ କରି ଅଭିଯୁକ୍ତକୁ କାବୁ କରିନେଇଥିଲା। ପୁଲିସ ଅଭିଯୁକ୍ତକୁ ପଚରାଉଚରା ଜାରି ରଖିଛି। ତେବେ, ତଦନ୍ତ ଜାରି ରହିଥିବାରୁ ସବିଶେଷ ତଥ୍ୟ ମିଳିପାରିନାହିଁ।

ଅନ୍ୟପକ୍ଷରେ, ଏହି ଘଟଣା ସହରରେ ଚାଞ୍ଚଲ୍ୟ ଖେଳାଇଦେଇଛି। ବାସ୍ତବରେ ଅଭିଯୁକ୍ତ କେତେ ନକଲି ନୋଟ୍‌ ଛାପିଛି? ଏହି ନୋଟ୍‌କୁ ସେ ବଜାରକୁ ଛାଡ଼ୁଥିଲା ନା ବାହାରକୁ ପଠାଉଥିଲା? କିଭଳି ଚାଲିଥିଲା ଜାଲ୍‌ ନୋଟ୍‌ ରୢାକେଟ୍‌? ରୢାକେଟ୍‌ରେ ଆଉ କିଏ କିଏ ସାମିଲ ଅଛନ୍ତି? ଏଭଳି ଏକାଧିକ ପ୍ରଶ୍ନ ଏବେ ସାଧାରଣରେ ଉଙ୍କିମାରିଛି।

ସମ୍ବନ୍ଧିତ ଖବର